ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ନବୀନଙ୍କ ନିର୍ବାଚନ ମନ୍ତ୍ର ବୁଝିପାରୁନାହାନ୍ତି

0

ଭୁବନେଶ୍ବର: ୨୦୧୪ ନିର୍ବାଚନରେ ୩୫ ବିଧାୟକଙ୍କ ଟିକେଟ୍ କାଟିଥିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ୬ ଜଣ ସାଂସଦଙ୍କର ବି ଟିକେଟ୍ କଟିଥିଲା। ୨୦୧୯ରେ ଦଳର ଅନେକ ତୁଙ୍ଗ ନେତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ଦେବା ପରେ ୪୧ ନୂଆ ବିଧାୟକଙ୍କୁ ଗୃହକୁ ଜିତାଇ ଆଣିବାରେ ସକ୍ଷମ ହୋଇଛନ୍ତି ନବୀନ। ୨୦୧୪ କିମ୍ବା ୨୦୧୯ରେ କେବଳ ଏମିତି ହୋଇଛି ତା ନୁହେଁ, ୨୦୦୦ ମସିହାରେ ରାଜ୍ୟ ରାଜନୀତିକୁ ଆସିବା ଲାଗି ମନ ବଳାଇବା ପରଠାରୁ ଏହି ରଣନୀତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୨୦୦ରୁ ଅଧିକ ନୂଆ ନେତା ତିଆରି କରିସାରିଛନ୍ତି। କିଛି ନେତା ବିଜେଡିରୁ ଯାଇ ଅନ୍ୟ ରାଜନୈତିକ ଦଳକୁ ଚାଲି ଯାଇଛନ୍ତି, ଆଉ କିଛି ବିଜେଡିରେ ନିଜ କର୍ମହୀନତା କାରଣରୁ ବା ଦଳ ସହିତ ଉତ୍ତମ ସଂପର୍କ ରଖିବାରେ ବିଫଳ ହେବା ଯୋଗୁ ରାଜନୀତିରେ ନିଷ୍ପ୍ରଭ ବା ଏକଘରକିଆ ଜୀବନ ବିତାଉଛନ୍ତି। ତୃଣମୂଳସ୍ତର ପର୍ଯ୍ୟନ୍ତ ନୂଆ ନେତା ତାଲିକା କରିବା ଅସମ୍ଭବ।

ଏକଥା ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ, ଯେଉଁ ନେତାଙ୍କ ବିରୋଧରେ ଯେତେବେଳେ ଜନମତ ଆସିଛି, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ତାଙ୍କୁ ଅବିଳମ୍ବେ ଘରର ବାହାର ଦରଜା ଦେଖାଇଛନ୍ତି। ହାତଗଣତି କେଉଁଠି ଦୁଇ ଚାରିଜଣ ନେତା ଦଳୀୟ ମାମଲତକାରଙ୍କ ଶରବ୍ୟ ହୋଇଥିବେ। ଏହାଦ୍ବାରା ରାଜ୍ୟ ରାଜନୀତିରେ ଦୁଇଟି ପ୍ରଭାବ ପରିଲକ୍ଷିତ ହୋଇଛି। ପ୍ରଥମତଃ, ଆଜି ଦିନରେ ଓଡ଼ିଶା ରାଜନୀତିରେ ଯେତେ ଯୁବ ନେତା ପ୍ରମୁଖ ସ୍ଥାନରେ ଅଛନ୍ତି, ସେମାନେ ସମସ୍ତେ ନବୀନ ପଟ୍ଟନାୟକଙ୍କ ଦାନ। ଧୀରେ ଧୀରେ ପୁରୁଖା ନେତାଙ୍କୁ ସେ ବଦଳାଇ ଦେବାର ସାମର୍ଥ୍ୟ ରଖୁଥିବା କାରଣରୁ ନେତାଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଯେଉଁ ହାଵା ତିଆରି ହୋଇଥାଏ, ସେଥିରୁ ଦଳ ବଞ୍ଚିତ ହୋଇପାରିଛି। ନବୀନ ପାଞ୍ଚ ପାଞ୍ଚ ଥର କ୍ଷମତାକୁ ଆସିବା ପଛରେ ଏହା ବି ଏକ କାରଣ ବୋଲି ବିଚାର କରାଯାଏ।

୨୦୧୯ ନିର୍ବାଚନରେ ନବୀନ ସମାନ୍ତରାଳ ଭାବେ ଦୁଇଟି ନୀତି ଗ୍ରହଣ କରିଛନ୍ତି। ଦଳର ଅନେକ ପୁରୁଖା ନେତାଙ୍କ ଟିକେଟ୍ କାଟିଦିଆଯାଇଥିଲା। ଫଳରେ ଦଳରେ ଅଧିକାଂଶ ଯୁବକ ଶ୍ରେଣୀର ଓ ସେମାନଙ୍କୁ ନେଇ ଦଳ ବେଶ୍ ଖେଳ ଖେଳିପାରୁଛି, ଯାହା ବିରୋଧୀ ଦଳ କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଆଙ୍କିଲେଣି। ଉଭୟ କଂଗ୍ରେସ ଓ ବିଜେପି ଯେଉଁ ବଡ଼ ରୋଗରେ ସବୁଠାରୁ ଆକ୍ରାନ୍ତ, ତାହା ହେଲା ନେତା ବଦଳାଇ ପାରୁନାହାନ୍ତି। ବିଜେଡିର ଅଲୋଡା ନେତାଙ୍କୁ ନେଇ ବିଜେପି ଆଗକୁ ବଢିବ ବୋଲି ଯୋଜନା କରିଛି ଓ ନିଜର ପୁରୁଖା ନେତାଙ୍କୁ ଛାଡିପାରୁନି। କଂଗ୍ରେସ ସ୍ଥିତି ସବୁଠାରୁ ସାଂଘାତିକ। ଦଳର ପୁରୁଖା ନେତାମାନେ ନୂଆ ପିଲାଙ୍କୁ ଆଗକୁ ଛାଡିବାକୁ ନାରାଜ। ନୂଆ ନେତୃତ୍ବ ବି କଠିନ ପରିଶ୍ରମ କରି ଜନମତକୁ ନିଜ ଆଡକୁ ଟାଣିବା ଲାଗି ଚେଷ୍ଟା କରିବା ପରିବର୍ତେ ପୁରୁଣା କଂଗ୍ରେସିଆଙ୍କ ତରିକାରେ ରାଜନୀତି କରିବା କାରଣରୁ ଲୋକଙ୍କ ମନ ଆକର୍ଷଣ କରିପାରୁନାହାନ୍ତି।

ନବୀନ ନିର୍ବାଚନ ପରବର୍ତୀ ସମୟରେ ପୁଣି ଏକ ନୂଆ ଖେଳ ଖେଳିଛନ୍ତି। ଯାହା ବିରୋଧୀଙ୍କ ରାସ୍ତାକୁ ଅଟକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତାହା ହେଉଛି, ପଞ୍ଚମ ପାଳିର ସରକାର ଗଠନ ପରେ ନବୀନ ପରାଜିତ ନେତାମାନଙ୍କୁ ଥଇଥାନ ନ କରି ସେମାନଙ୍କ ନିର୍ବାଚନ କ୍ଷେତ୍ରରେ ଅଧିକ ସମୟ ଦେବା ପାଇଁ ସୁଯୋଗ ସୃଷ୍ଟି କରିବା ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହେଲାଣି। ଏହାଦ୍ବାରା ଏକକାଳୀନ ଦୁଇଟି ପ୍ରଭାବ ପରିଲକ୍ଷିତ ହେଉଛି। ବିଭିନ୍ନ ନିଗମ, ବୋର୍ଡ ଆଦିରେ ଦ୍ବିତୀୟ ପିଢୀର ନେତାମାନେ ସାମିଲ ହୋଇଛନ୍ତି। ଏହାଦ୍ବାରା ସେମାନେ ଦଳ ପାଇଁ ଯେଉଁ ପରିଶ୍ରମ କରିଥିଲେ, ତାଙ୍କ ତ୍ୟାଗ ବୃଥା ଯାଇନି ବୋଲି ଅନୁଭବ ହେଉଛି। କେବଳ ସେତିକି ନୁହେଁ, ସେମାନେ ଏବେ କଠିନ ପରିଶ୍ରମ କରି ନିଜ ନିଜର ନିର୍ବାଚନମଣ୍ଡଳୀରେ ଶକ୍ତି ବଢାଇବାରେ ସାମର୍ଥ୍ୟ ରଖିପାରିବେ। ଏହିଭଳି ପ୍ରାୟ ୪୦ ନେତାଙ୍କୁ ନବୀନ ମଇଦାନକୁ ଛାଡିଛନ୍ତି, ଯେଉଁଥିରୁ ସର୍ବନିମ୍ନ ୧୫ରୁ ୧୭ ଜଣ ନିର୍ବାଚନ ମଇଦାନରେ ଲଢିବା ପାଇଁ ସକ୍ଷମ।

ଦ୍ବିତୀୟତଃ, ଏମାନଙ୍କୁ ଦଳରେ ନିଯୁକ୍ତି ଦିଆନଯାଇଥିଲେ, ସେମାନେ ବିରୋଧୀଙ୍କ ପୁଞ୍ଜି ପାଲଟିଥାନ୍ତେ। ଅର୍ଥାତ୍ ବିଜେଡି ଯେଉଁ ଶକ୍ତି ତିଆରି କରିଥିଲା, ତାହା ବିଜେପି ବା କଂଗ୍ରେସର ଅସ୍ତ୍ର ହୋଇଥିଲେ ନବୀନଙ୍କ ପାଇଁ କେବଳ ଅଡୁଆ ହିଁ ଅଡୁଆ ଥିଲା। ଆହୁରିୁ ସ୍ପଷ୍ଟ ବାର୍ତା ହେଲା, ଯିଏ ନିର୍ବାଚନରେ ହାରିଛନ୍ତି,ତାଙ୍କୁ ଥଇଥାନ କରି ନବୀନ ଜନମତକୁ ଅସମ୍ମାନିତ କରିବାକୁ ଚାହୁଁନାହାନ୍ତି। ଅନ୍ୟପକ୍ଷରେ ନିର୍ବାଚନରେ ଟିକେଟ୍ ନେଇଥିବା ନେତାମାନେ ସାମାନ୍ୟ ଅସନ୍ତୁଷ୍ଟ ହୋଇପାରନ୍ତି, ମାତ୍ର ସେମାନେ ଦଳକୁ ପ୍ରଭାବିତ କରିବା ଲାଗି ସକ୍ଷମ ହେବେ ନାହିଁ। ସେ ଯେତେ ପ୍ରଭାବୀ ନେତା ହୁଅନ୍ତୁ, ଯାହାକୁ ଲୋକେ ପରାଜିତ କରିଛନ୍ତି, ତାଙ୍କୁ ଥଇଥାନ କରିବା ଅର୍ଥ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ତିରସ୍କାର କରିବା, ଅସମ୍ମାନିତ କରିବା। ଏମିତିରେ ବି ସେମାନେ ଲୋକଙ୍କ ସମର୍ଥନ ହରାଇଥିବାରୁ ସରକାରର ବହୁ ବଡ଼ କ୍ଷତି କରିବାର ସାମର୍ଥ୍ୟ ରଖନ୍ତିନି। ବରଂ ଏବେ ପରୀକ୍ଷାର ବେଳ ଯେ ସେମାନେ ଦଳୀୟ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ନା ବିଜେଡିରେ କଳି ମଞ୍ଜି ପୋତି ଦଳକୁ ବିପଦକୁ ଠେଲୁଛନ୍ତି। ସେମାନଙ୍କୁ ଚିହ୍ନିବାକୁ ନେତାଙ୍କୁ ମଉକା ମିଳିବ।

ଉଲ୍ଲେଖଯୋଗ୍ୟ, ମନ୍ତ୍ରୀ ପ୍ରତାପ ଜେନା ହୁଅନ୍ତୁ କି ଅରୁଣ ସାହୁ ଅଥବା ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା ପ୍ରମୁଖ ଏମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ହିଁ ରାଜ୍ୟ ରାଜନୀତିରେ ପାଦ ରଖିଛନ୍ତି। ଗତ ପାଞ୍ଚଥର ନିର୍ବାଚନରେ ଏମାନଙ୍କୁ ମଧ୍ୟରୁ ଦୁଇ ଚାରିଜଣଙ୍କୁ ଛାଡିଦେଲେ ଅନ୍ୟମାନେ ପ୍ରାୟ ଚାରିଥର ନିର୍ବାଚନ ଜିତିଛନ୍ତି ଓ ଆଜି ଦିନରେ ପୁରୁଖା ନେତାଙ୍କ ସ୍ଥାନ ନେବାକୁ ବସିଲେଣି। ବିଜେଡି ନିର୍ବାଚନ ରଣନୀତିରେ ପ୍ରତିପକ୍ଷଙ୍କୁ ବାଜିମାତ୍ କରିବାର ସାମର୍ଥ୍ୟ ରଖନ୍ତି ଓ ଅଧିକରୁ ଅଧିକ ଯୁବବର୍ଗକୁ ନିଜ ଅଞ୍ଚଳରେ ଗୁରୁତ୍ବ ଦେଉଥିବା କାରଣରୁ ବିଜେପି ଅପେକ୍ଷା ଆଜି ଦିନରେ ବିଜେଡି ପାଖରେ ଯୁବ ଓ ମହିଳାଙ୍କ ସଂଖ୍ୟା ଅଧିକ।

ଅବଶ୍ୟ ମହିଳା ଭୋଟର ବିଜେଡି ସହିତ ରହିବା ପଛର କାରଣ ବିଧାୟକ ବା ଦଳର କୌଣସି ନେତା ନୁହେଁ। ଏହାର ବିଶ୍ବକର୍ମା ହେଉଛନ୍ତି ନିଜେ ନବୀନ ପଟ୍ଟନାୟକ। ମହିଳା ଭୋଟର ତାଙ୍କୁ ଅସମ୍ବବ ସମର୍ଥନ ଦେଇ ଆସିଛନ୍ତି ଓ ବିଜେପି ହାତ ଛାଡିବା ପରଠାରୁ ଏମାନେ ହିଁ ନବୀନଙ୍କ ହାତ ମୁଠାକୁ ଟାଣ କରିଛନ୍ତି। ଏଣୁ ନବୀନ ପ୍ରତିବାଦରେ ଉଭୟ ପୌର ଓ ପଞ୍ଚାୟତରେ କେବଳ ଯେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ତା ନୁହଁ, ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ସପକ୍ଷରେ ଯୁକ୍ତି ରଖୁଛନ୍ତି। ନିଜେ ଗତଥର ୭ଜଣ ମହିଳା ସାଂସଦଙ୍କୁ ଲୋକସଭା ନିର୍ବାଚନରେ ଟିକେଟ୍ ଦେଇଥିଲେ ଓ ୬ଜଣଙ୍କୁ ଜିତାଇଥିଲେ। ଆଗାମୀ ରାଜ୍ୟସଭା ନିର୍ବାଚନରେ ମହିଳା ପ୍ରାର୍ଥୀ ଦେଖିବାକୁ ମିଳିବା ଅସମ୍ଭବ ନୁହେଁ। ବିଜୁ ବାବୁଙ୍କ ଟାର୍ଗେଟରେ ଥିଲେ ମହିଳା। ହେଲେ ନା ବିଜେପି ନା କଂଗ୍ରେସ ଏମାନଙ୍କୁ କେବେ ନିଜ ସାଙ୍ଗରେ ନେଇପାରିନାହାନ୍ତି, ବିଜେଡି ବା ଜନତାଦଳ ଭଳି।

Leave A Reply

Your email address will not be published.