ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ମନଲାଖି ନେତା ପାଉନାହାନ୍ତି ସୋନିଆ

0
  • ପ୍ରଶାନ୍ତଙ୍କ ଫର୍ମୁଲା ପରେ କଂଗ୍ରେସରେ ଉତ୍ସାହ
  • ଚାରି କାର୍ଯ୍ୟକାରୀ ସଭାପତିଙ୍କୁ ନିଆଯାଇପାରେ
  • ଆଲୋଚନା ପାଇଁ ୨୨ରେ ଆସୁଛନ୍ତି ଚେଲ୍ଲାକୁମାର

ନୂଆଦିଲ୍ଲୀ: ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ୨୦୨୪ ନିର୍ବାଚନ ସଂକ୍ରାନ୍ତରେ ଯେଉଁ ଫର୍ମୁଲା କଂଗ୍ରେସ ହାଇକମାଣ୍ଡଙ୍କୁ ଧରାଇଛନ୍ତି, ତାହା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ରିପୋର୍ଟରେ ଓଡ଼ିଶା ସଂପର୍କରେ ପ୍ରଶାନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଠାରେ କଂଗ୍ରେସ ଭବିଷ୍ୟତ ଏତେ ମନ୍ଦ ନୁହେଁ। ବରଂ ଦଳର ପୁନରୁଦ୍ଧାର ସମ୍ଭାବନା ଅତ୍ୟନ୍ତ ଉଜ୍ଜଳ ରହିଛି। ଏଣୁ ଓଡ଼ିଶାରେ କଂଗ୍ରେସ ଅନ୍ୟ ଦଳ ସହିତ ମେଣ୍ଟ କରିବାର କୌଣସି ଆବଶ୍ୟକତା ନାହିଁ।

ପ୍ରଶାନ୍ତଙ୍କ ଏହି ଫର୍ମୁଲାକୁ ନେଇ ସୋମବାର ନୂଆଦିଲ୍ଲୀରେ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ ବରିଷ୍ଠ ନେତାଙ୍କୁ ଡାକି ବୈଠକ କରିଥିଲେ। ଏଥିରେ ବିଶଦ ଆଲୋଚନା ହୋଇଛି। ଓଡ଼ିଶା ସଂପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା।

ମିଳୁଥିବା ସୂଚନା ଅନୁସାରେ, କଂଗ୍ରେସ ହାଇକମାଣ୍ଡ ଉପଲବ୍ଧି କରୁଛନ୍ତି ଯେ ଓଡ଼ିଶାରେ କଂଗ୍ରେସ ସପକ୍ଷରେ ଏବେ ବି ଗୋଟିଏ ବାତାବରଣ ରହିଛି। ଏକଦା ଦଳ ଏଠାରେ ଦୀର୍ଘ ଦିନ ଧରି ସରକାରରେ ଥିଲା। ଏବେ ସଂଗଠନ ଦୁର୍ବଳ ହୋଇଥିଲେ ହେଁ ଏହାର ପୁନରୁଦ୍ଧାର କରାଯାଇପାରିବ। ୨୦୨୪ ନ େହଲେ ବି ୨୦୨୭ ପଞ୍ଚାୟତ ନିର୍ବାଚନ ବେଳକୁ ସୁଧାର ଆସିଯାଇପାରେ। ଏଥିପାଇଁ ଠୋସ୍ ରଣନୀତି କଥା ପ୍ରଶାନ୍ତ କହିଛନ୍ତି।

ସଂପ୍ରତି ଓଡ଼ିଶା କଂଗ୍ରେସ ସଭାପତି ପରିବର୍ତ୍ତନ ପ୍ରସଙ୍ଗ ଜୋର ଧରିଛି। ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରିବାକୁ କଂଗ୍ରେସ ହାଇକମାଣ୍ଡ ସମ୍ମତି ପ୍ରକାଶ କରିଛନ୍ତି। ଆସନ୍ତା ୨୨ ତାରିଖରେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଓ଼ଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଦଳର ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିବେ।

ହେଲେ ନୂଆଦିଲ୍ଲୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ପିସିସି ସଭାପତି ପଦବି ଲାଗି ମନଲାଖି ନେତା କଂଗ୍ରେସ ମୁଖିଆ ପାଉନାହାନ୍ତି। ଯେଉଁମାନେ ପୂର୍ବରୁ ସଭାପତି ହୋଇସାରିଛନ୍ତି, ସେମାନଙ୍କୁ ଆଉଥରେ ଏହି ଦାୟିତ୍ବ ଦେବାକୁ ହାଇକମାଣ୍ଡ ଚାହୁଁନାହାନ୍ତି। ଏହି କ୍ରମରେ ଶରତ ପଟ୍ଟନାୟକ, ଜୟଦେବ ଜେନାଙ୍କ ନାମ ନେଇ ଯେଉଁ ଚର୍ଚ୍ଚା ହେଉଥିଲେ, ତାହା ବାସ୍ତବବାଦୀ ନୁହେଁ। ଏମିତିରେ ବି ଜୟଦେବ ଜେନା ଏହି ଦୌଡରେ ସାମିଲ ନାହାନ୍ତି ବୋଲି ସ୍ପଷ୍ଟ କରିସାରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ପାଇଁ ନୂଆଦିଲ୍ଲୀରେ ଜୋରଦାର ଲବି ଚାଲିଥିଲେ ହେଁ, କଳାହାଣ୍ଡିରେ ତାଙ୍କର ପ୍ରଦର୍ଶନ ଏଥିରେ ବାଧକ ସାଜିଛି। ଏପରିକି ତାଙ୍କ ପୁଅଙ୍କୁ ବି ସେ ଜିତାଇ ପାରିନାହାନ୍ତି। ଓଲଟା ଏହି ଜିଲ୍ଲାରେ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।

ଚର୍ଚ୍ଚାରେ ଥିବା ଅନ୍ୟତମ ନେତା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତି କଂଗ୍ରେସ ମୁଖିଆଙ୍କର ଗୋଟିଏ ଭଲ ଧାରଣା ରହିଛି। ହେଲେ ନବୀନ ପଟ୍ଟନାୟକଙ୍କ ଚେହେରା ସହିତ ଶ୍ରୀ ବାହିନୀପତିଙ୍କର ଭାବମୂର୍ତି ଗୋଟିଏ ପ୍ରସଙ୍ଗ। ସେହିଭଳି ତାରାଙ୍କ ତୁଣ୍ଡକୁ କଂଗ୍ରେସ ମୁଖିଆଙ୍କର ଭୟ ରହିଛି। ମହମ୍ମଦ ମୋକିମ୍ ପ୍ରମୁଖ ଦାବିଦାର ଥିଲେ ହେଁ ତାଙ୍କ ବିରୋଧରେ ଦଳର ଆଉ ଗୋଟିଏ ସମାନ୍ତରାଳ ଗୋଷ୍ଠୀ ଅଛନ୍ତି, ଯିଏ କି ବାଟ ଓଗାଳୁଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ନାମ ହାଇକମାଣ୍ଡଙ୍କ ମନକୁ ଯାଉଥିଲେ ହେଁ ତାଙ୍କର ଆର୍ଥିକ ସ୍ଥିତି ଏ କ୍ଷେତ୍ରରେ ବାଧକ।

ଏଣୁ କାହାକୁ ନେଇ କଂଗ୍ରେସ ଆଗକୁ ବଢ଼ିବ, ଏଭଳି ନେତା କିଏ ତାଙ୍କୁ ଖୋଜିବା ଲାଗି ଚେଲ୍ଲାକୁମାର ରାଜ୍ୟର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହିତ ଆଲୋଚନା ଚଳାଇଛନ୍ତି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ମଧ୍ୟ କଂଗ୍ରେସ ଶିବିରରୁ ଫୋନ୍ ଆସୁଥିବା ସୂଚନା ମିଳିଛି।

ଗୋଟିଏ ଖବର ଅନୁସାରେ, ଜଣେ ନିର୍ମଳ ଭାବମୂର୍ତିଙ୍କୁ ନେତା ଦଳ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛି। କଂଗ୍ରେସର ଗୋଟିଏ ଗୋଷ୍ଠୀ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସହିତ ଯୋଗାଯୋଗ କରୁଥିବା ସୂଚନା ମିଳିଛି। ବିଜୟ ଏ ନେଇ କୌଣସି ଉଁ କି ଚୁଁ କହିନାହାନ୍ତି। କିନ୍ତୁ ନିକଟରେ ତାଙ୍କର ଦିଲ୍ଲୀଗସ୍ତ ସମୟରେ କିଛି ନେତା ତାଙ୍କୁ ଭେଟିଥିବା କୁହାଯାଉଛି।

ଅନ୍ୟଗୋଟିଏ ସୂତ୍ରରୁ ଆସୁଥିବା ଖବର ଅନୁସାରେ ଦକ୍ଷିଣ ଓଡ଼ିଶା ପାଇଁ ତାରା ପ୍ରସାଦ ବାହିନୀପତି, ପଶ୍ଚିମ ଓଡ଼ିଶାରେ ସନ୍ତୋଷ ସିଂହ ସାଲୁଜା, ଉତ୍ତର ଓଡ଼ିଶା ପାଇଁ ନବଜ୍ୟୋତି ପଟ୍ଟନାୟକ, ଉପକୂଳ ଓଡ଼ିଶା ପାଇଁ ଚିରଞ୍ଜିବୀ ବିଶ୍ବାଳଙ୍କୁ ଦଳ ଦାୟିତ୍ବ ଦେଇପାରେ।ଏମାନେ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିବେ। ଏହାବ୍ୟତୀତ ପ୍ରତି ବରିଷ୍ଠ ନେତାଙ୍କୁ ଦୁଇ ଦୁଇଟି ସଂସଦୀୟ କ୍ଷେତ୍ର ଓ ତା’ ଅନ୍ତର୍ଗତ ୧୪ଟି ଲେଖାଏଁ ବିଧାନସଭା ନିର୍ବାଚନମଣ୍ଡଳୀର ଦାୟିତ୍ବ ଦେବ। ଏହି ପ୍ରକ୍ରିୟାରେ ୧୦ ବରିଷ୍ଠ ନେତାଙ୍କୁ ନେଇ ଗୋଟିଏ ପ୍ରଭାବଶାଳୀ କମିଟି ଗଠନ କରିବାକୁ ବିଚାର ଚାଲିଛି।

Leave A Reply

Your email address will not be published.