![](https://reportersnewsagency.com/wp-content/uploads/2020/02/odisha-20160318-1.jpg)
ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ ୧୯୯୦ ମସିହା ବେଳକୁ ଅନୁଭବ ହେଉଥିଲା। ସାରା ଦେଶରେ ନବେ ଦଶକରେ ତିଆରି ହୋଇଥିବା ସବୁ ଆଞ୍ଚଳିକ ଦଳ ସେମାନଙ୍କ ରାଜ୍ୟରେ ପ୍ରଭାବଶାଳୀ ହୋଇଛନ୍ତି। ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ସବୁଠାରେ ଏହି ଦଳମାନେ ସଶକ୍ତ। ଯେମିତି ବିଜେଡି। ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଅବର୍ତମାନରେ ତାଙ୍କ ନାମରେ ଗଠନ ହୋଇଥିବା ବିଜେଡି ଏବେ ମହାଦ୍ରୁମରେ ପରିଣତ ହୋଇଛି। ଏମିତି ଯେ ଜାତୀୟ ରାଜନୀତିରେ ପ୍ରଭାବ ରଖୁଛି, ରାଜ୍ୟ ରାଜନୀତିକୁ ଏକଚାଟିଆ ଭାବେ ନିୟନ୍ତ୍ରଣ କରୁଛି। ତା ଆଗରେ ବିଜେପି, କଂଗ୍ରେସ ଓ ବାମ ଦଳ ନିଷ୍ପ୍ରଭ ହୋଇଯାଇଛନ୍ତି।
ଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳ ପୂର୍ବରୁ ଯେ ଗଠନ ହୋଇନାହିଁ ତା ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ, ହରେକୃଷ୍ଣ ମହତାବ, ନନ୍ଦିନୀ ଶତପଥୀଙ୍କ ଭଳି ତୁଙ୍ଗ ନେତା ରାଜ୍ୟ ରାଜନୀତିରେ ନିଜର ପୃଥକ୍ ପ୍ରଭାବ ରଖିବା ପାଇଁ ଏଭଳି ଉଦ୍ୟମ କରିଥିଲେ। ନିଜେ ବିଜୁ ପଟ୍ଟନାୟକ କରିଥିବା ଆଞ୍ଚଳିକ ଦଳ ବିଫଳ ହେଲା, କିନ୍ତୁ ତାଙ୍କ ନାମରେ ଗଠନ ହୋଇଥିବା ରାଜନୈତିକ ଦଳ ଦୁଇ ଦଶନ୍ଧି ଧରି କ୍ଷମତାରେ। ଏହାବ୍ୟତୀତ ବିଜୟ ମହାପାତ୍ରଙ୍କର ଓଡ଼ିଶା ଗଣ ପରିଷଦ, ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚା ଠାରୁ ଆରମ୍ଭ କରି ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ଯାଏ ଅନେକ ପରୀକ୍ଷା ନିରୀକ୍ଷା ହୋଇଆସିଛି। କିନ୍ତୁ ଏସବୁର ପ୍ରଭାବ ପକାଇ ପାରିନି। ରାଜନୈତିକ ମହଲ ଯେଉଁ ସଙ୍ଗିନ୍ କାରଣଟିକୁ ଏହା ମଧ୍ୟରେ ଦେଖୁଛନ୍ତି, ତାହା ହେଲା ନେତୃତ୍ବର ବିଚକ୍ଷଣତା ଅଛି, କିନ୍ତୁ ସାଧାରଣ ଲୋକ ନୁହେଁ, ବରଂ ନିଜକୁ କେନ୍ଦ୍ର କରି ଶାସନ ବ୍ୟବସ୍ଥାକୁ ଏମାନେ ସମସ୍ତେ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି।
![](https://reportersnewsagency.com/wp-content/uploads/2020/02/Odisha-Jan-Morcha.jpg)
ଅନ୍ୟ ଉଲ୍ଲେଖନୀୟ ଦିଗଟି ହେଲା, ବିଜେଡି ୨୩ ବର୍ଷ ଧରି କେବଳ ନବୀନଙ୍କ ନେତୃତ୍ବରେ ହିଁ ବଢୁଛି। ଦଳରେ ଯେତେବେଳେ ବି ଷଡଯନ୍ତ୍ର ହୋଇଛି, ନେତୃତ୍ବ ବିରୋଧରେ ଚକ୍ରାନ୍ତ ହୋଇଛି ଅଥବା ବାଧାବିଘ୍ନ ଆସିଛି,ସେତେବେଳେ ଓଡ଼ିଶାର ଜନସାଧାରଣ ନବୀନଙ୍କ ସପକ୍ଷରେ ରହି ପ୍ରତିପକ୍ଷଙ୍କୁ ତେଜ୍ୟ କରିଛନ୍ତି। ଏ କଥା ବିଜୟ ମହାପାତ୍ରଙ୍କ ଘଟଣାରେ ଘଟିଛି। ପରବର୍ତୀ ସମୟରେ ଏକାଧିିକବାର ନିଜ ନିର୍ବାଚନମଣ୍ଡଳୀରୁ ଜିତିଥିବା ନଳିନୀ ମହାନ୍ତିଙ୍କ କ୍ଷେତ୍ରରେ ବି ଘଟିଲା। ଗଞ୍ଜାମ ଟାଇଗର ଭାବେ ଜଣାଶୁଣା ରାମକୃଷ୍ଣ ପଟ୍ଟନାୟକ, ତାଙ୍କ ଇଚ୍ଛାରେ ବିଜେଡି ବଢୁଛି ବୋଲି ନାରାବାଜି କରୁଥିବା ପ୍ୟାରୀମୋହନ ମହାପାତ୍ର ଏବଂ ପାରାଦୀପରେ ଡାକ୍ତର ଦାମୋଦର ରାଉତଙ୍କ କ୍ଷେତ୍ରରେ ବ ଅନୁରୂପ ସ୍ଥିତି ଉପୁଜିଛି, ଲୋକେ ସେମାନଙ୍କୁ କ୍ଷମତା ଚୌକିରୁ ତଡି ଦେବା ଲାଗି ଆଦୌ କାର୍ପଣ୍ୟ କରିନାହାନ୍ତି।
ସମ୍ଭବତଃ, ଅନେକ କାରଣ ମଧ୍ୟରୁ ଏହା ବି ପ୍ରମୁଖତା ଲାଭ କରିଛି ଯେ ଭୟରେ ନେତାମାନେ ନବୀନଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରିନାହାନ୍ତି। ଦ୍ବିତୀୟତଃ ବେଶଭୂଷା, ଜୀବନ ଶୈଳୀରେ ନବୀନଙ୍କ ସରଳତା ଭୋଟରଙ୍କୁ ଏତେ ପରିମାଣରେ ଆକର୍ଷିତ କରିଛି ଯେ ତା ସାମ୍ନାରେ ବିରୋଧୀଙ୍କ କଥା ଦୂରେ ଥାଉ ବିଜେଡିରେ ଥିବା ତଥାକଥିତ ପ୍ରଭାବଶାଳୀ ନେତାମାନେ ବି ନିଜର ଉପସ୍ଥିତି ଜାହିର କରିପାରୁନାହାନ୍ତି। ନବୀନଙ୍କୁ ଆଖିରେ ରଖି ଲୋକେ ସେମାନଙ୍କୁ ତଉଲୁଛନ୍ତି।ଯିଏ ଖାପଖାଇଲା, ଜିତିଲା। ସୀମା ଟପିଲେ ବିଧାନସଭା ବା ଲୋକସଭା ନିର୍ବାଚନରୁ ଦୂରେଇ ଦେଉଛନ୍ତି।
![](https://reportersnewsagency.com/wp-content/uploads/2020/02/Naveen-Patnaik_BJD.jpg)
ନବୀନଙ୍କ ପତିଆରା ବଢିବା ପଛର ଅନ୍ୟ ଗୋଟିଏ ଉଲ୍ଲେଖନୀୟ ଦିଗ, ଯାହା ତାଙ୍କୁ ସୁରକ୍ଷା ଦେଇ ଆସିଛି। ତାହା ହେଉଛି, ଅଳ୍ପ ମତ ରଖିବା। ଖାସ୍ ଏହି କାରଣରୁ ତାଙ୍କର କୌଣସି ମତକୁ ନେଇ ଓଡ଼ିଶାର ଗଣମାଧ୍ୟମ ଦୀର୍ଘ ୨୩ ବର୍ଷ ଧରି ବିବାଦ ଛିଡା କରାଇପାରିନାହିଁ। ବରଂ ଅଳ୍ପ ଶଦ୍ଦ ବ୍ୟବବହାର କରୁଥିବା କାରଣରୁ ତାହା ଖବରର ଶିରୋନାମାରେ ରଖିବା ସହଜ ହୋଇଛି ଓ ନବୀନଙ୍କ ପତିଆରା ବଢିଛି। ଅନ୍ୟଥା ସରକାର ବିରୋଧରେ ଯେଉଁ ଦୁଇଟି ଅଭିଯୋଗ ଆରମ୍ଭରୁ ରହିଛି, ତାହା ବିଜେଡିକୁ ଶାସନ କ୍ଷମତାରୁ ନିଶ୍ଚୟ ଦୂରେଇ ଦେଇଥାନ୍ତା। ସବୁବେଳେ ନେତାମାନେ ତମ୍ବିତୋଫାନ କରି ଆସିଛନ୍ତି ଯେ ନବୀନଙ୍କ ଉପରେ ଅମଲାତନ୍ତ୍ରର ଜବରଦସ୍ତ ପ୍ରଭାବ ରହିଛି ଓ ସେ ଓଡ଼ିଆଭାଷା କହିଜାଣି ନାହାନ୍ତି। ଏ ଦୁଇଟି ଯାକ ଅଭିଯୋଗକୁ ଭୋଟର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଆଞ୍ଚଳିକ ଦଳ ଭାବେ ନବୀନ ରାଜ୍ୟ ରାଜନୀତିରେ ଯେତିକି ସଫଳ, ଜାତୀୟ ରାଜନୀତିରେ ସେତିକି ବିଶ୍ବାସ ଯୋଗ୍ୟ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ବିଜେଡି ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କର ଆସ୍ଥା ଜିତିବାରେ ସଫଳ ହୋଇଛି। ବାରମ୍ବାର ନବୀନଙ୍କ ସମର୍ଥନ ସେମାନେ ନେଇ ଆସିଛନ୍ତି। କେତେ ପ୍ରତିଦାନରେ ମିଳିଛି ତାହା ଅଲଗା କଥା। କିନ୍ତୁ ନବୀନଙ୍କ ରାଜନୈତିକ ସ୍ବୀକୃତିକୁ ଅବମାନନା କରିବାର ସାହସ ଦେଖାଇନାହାନ୍ତି। ନିର୍ବାଚନ ରାଜନୀତିରେ ଯେତେବେଳେ ବି ସେମାନେ ଆଗକୁ ଆସି ତାଙ୍କ ବାଟ ଓଗାଳିବାକୁ ଚେଷ୍ଟା କରିଛନ୍ତି, ବିଫଳ ହୋଇଥିବା କାରଣରୁ ଜାତୀୟ ରାଜନୀତିରେ ନବୀନଙ୍କ ପତିଆରା ଅକ୍ଷୁର୍ଣ୍ଣ ରହିଛି। ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଠାରୁ ଆରମ୍ଭ କରି ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ନ ଦିବସ ଅବସରରେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ରାଷ୍ଟ୍ରପତି ଭବନରେ ସେ ଦେଇଥିବା ପ୍ରସ୍ତାବ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ସଂସଦରେ ନିଜେ ମୋଦୀ କହିବାକୁ ବାଧ୍ୟ ହୋଇଛନ୍ତି ନବୀନଙ୍କ ବିଜେଡି ଶୃଙ୍ଖଳିତ।