- ହଜାର ହଜାର ଗ୍ରାମ୍ୟ ମନ୍ଦିର ସହିତ ଲକ୍ଷାଧିକ ପରିବାରର ଅର୍ଥନୀତି ଯୋଡିହୋଇରହିଛି
- ବିଶ୍ବାସ ଓ ସକାରାତ୍ମକ ଭାବନା ସୃଷ୍ଟିଲାଗି ଏସବୁ ମନ୍ଦିର କାଳେ କାଳେ ପ୍ରତ୍ୟକ୍ଷ ହୋଇଉଠିଛନ୍ତି
- କୁଂସସ୍କାର, ଅନ୍ଧବିଶ୍ବାସକୁ ଦମନ କର, ସଂସ୍କୃତି ଓ ପରମ୍ପରା ନଷ୍ଟଭ୍ରଷ୍ଟ ହେଲେ ସବୁ ବିଗିଡ଼ିଯିବ
ଭୁବନେଶ୍ବର: ଓଡ଼ିଶାରେ ଏମିତି କୌଣସି ଗାଁ ବା ପଡ଼ା ନାହିଁ,ଯେଉଁଠାରେ ମନ୍ଦିର ନାହିଁ। ବରଂ ଏକାଧିକ ମନ୍ଦିର ରହିଛି କେଉଁ ଆବାହମାନ କାଳରୁ। କେଉଁ ମନ୍ଦିର ପଛରେ ଓଡ଼ିଶା ଇତିହାସ ଛପିଛି, ଆଉ କାହା ପଛରେ ପୌରାଣିକ କିମ୍ବଦନ୍ତୀ ଅତ୍ୟନ୍ତ ସଶକ୍ତ, ଦୃଢ ଭାବେ ବିଚାର କରାଯାଇଥାଏ। ଅନେକ ମନ୍ଦିର ଗଜପତି, ରାଜା ମହାରାଜା ବସାଇଛନ୍ତି, ଆଜି ଦିନରେ ଆଧ୍ୟାତ୍ମିକବାଦୀମାନେ ମନ୍ଦିର ପ୍ରତିଷ୍ଠା କରୁଛନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ଏତେ ମନ୍ଦିର ବସାଯାଇଛିି, ଠାକୁର ମଣିଷକୁ ତିଆରି କରିଛି କି ମଣିଷ ଠାକୁରଙ୍କୁ ଏସବୁ ବିତର୍କର ବିଷୟ। ଏ ସଂପର୍କରେ ବ୍ୟକ୍ତିବିଶେଷସ୍ଥଳରେ ମତ ବିଭାଜନ ଘଟିପାରେ।
କିନ୍ତୁ ଯେଉଁ ଦୁଇଟି ବଡ଼ ଶକ୍ତି ଏହି ମନ୍ଦିର ଆଢୁଆଳରେ ବିଦ୍ୟମାନ, ତାହାକୁ ସମସ୍ତେ ସ୍ବୀକାର କରିବାକୁ ବାଧ୍ୟ। ଠାକୁର ଅଛନ୍ତି କି ନାହାନ୍ତି, ତାହା ଜଣେ ଶ୍ରଦ୍ଧାଳୁ ପାଇଁ କିଛି ମାନେ ରଖେନି। ବରଂ ତାର ଠାକୁରଙ୍କ ପ୍ରତି ଥିବା ବିଶ୍ବାସ ଅନେକ ସମୟରେ ତାକୁ ନିରାଶାବାଦରୁ ଉର୍ଧ୍ବକୁ ଆଣିପାରେ। ‘ଠାକୁର ବୁଝିବେ’ ବୋଲି ସେ ସବୁକିଛି ତାଙ୍କ ଉପରେ ଛାଡ଼ିଦେଇ ଅନେକ ସମୟରେ ନିଜର ପ୍ରଚଣ୍ଡ ଶତ୍ରୁକୁ ଆକ୍ରମଣ କରିବା ପରିବର୍ତେ କ୍ଷମା ଦେଇଥାଏ। ଏହା ସମାଜରେ ହିଂସା, ଦ୍ବେଷ, କ୍ରୋଧ ଦମନ ସହ ବିଶ୍ବାସ ବୃଦ୍ଧିରେ ବଡ଼ ସାହାଯ୍ୟ କରେ। ଦ୍ବିତୀୟ ଶକ୍ତିଟି ହେଲା, ଯେତେ ମନ୍ଦିର, ଯେତେ ବଡ଼ ତାର ଚେହେରା, ସେଠାରେ ସେତେ ଅଧିକ ବ୍ୟବସ୍ଥା। ଆଉ ସେହି ବ୍ୟବସ୍ଥା ସହିତ କିଛି ଲୋକଙ୍କର ଦାନା ବା ଅନ୍ନ ଯୋଡି ହୋଇରହିଛି। ସେମାନେ ସେଇଠାରେ ସେବା କରି ଯାହା ପାଆନ୍ତି, ତାହା ହିଁ ତାଙ୍କ ପରିବାରର ସମ୍ବଳ। ଅର୍ଥାତ୍ ଲକ୍ଷାଧିକ ପରିବାରର ଅର୍ଥନୀତି ସହିତ ଏସବୁ ମନ୍ଦିର କେଉଁଠି ନା କେଉଁଠି ଯୋଡି ହୋଇରହିଛି।
ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ଲକଡାଉନ୍ କାରଣରୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିରେ ୨୧୩୦ ପରିବାର ଉପକୃତ ହେବେ ବୋଲି କୁହାଯାଇଛି। ୧ କୋଟି ୬ଲକ୍ଷ ଟଙ୍କାର ପ୍ୟାକେଜ୍ ପ୍ରସ୍ତୁତ କରିଛନ୍ତି ସରକାର। ଶ୍ରୀମନ୍ଦିର ବନ୍ଦ ଥିବା କାରଣରୁ ଏଭଳି ନିଷ୍ପତ୍ତି ଯଥାର୍ଥ। ହେଲେ ଓଡ଼ିଶାର କୋଣ ଅନୁକୋଣରେ ଆଉ କୌଣସି ମନ୍ଦିର ଖୋଲା ନାହିଁ। ସେସବୁ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ବ୍ୟକ୍ତି କଥା କିଏ ବୁଝିବ? ଓଡ଼ିଶାରେ ହଜାର ହଜାର ମନ୍ଦିର ଦେବୋତ୍ତର ବିଭାଗ ଚଳାନ୍ତି। କିଛି ମନ୍ଦିର ଏମିତି ଅଛି, ସେଠାରେ ପୂଜକ ଯାହା ପାଏ, ସେଥିରେ ଠାକୁରଙ୍କୁ ଭୋଗ ଲଗାଏ ଓ ନିଜ ପରିବାର ଚଳାଏ। ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳିସ୍ଥିତିରେ ଏତେ ବଡ଼ ଶକ୍ତିକୁ ଯୋଡି ରଖିଥିବା ସଂପୃକ୍ତ ବ୍ୟକ୍ତିବିଶେଷ ଓ ପାଖାପାଖି ୧ଲକ୍ଷ ପରିବାରର ଅର୍ଥନୀତି ଏବେ ଦୋହଲିଯାଇଥିବା ବେଳେ ସରକାର ସାହାଯ୍ୟ କରିବେନି?
ଗାଁର ସରପଞ୍ଚ ନିର୍ବାଚନ ହେଉ କି ବିଧାନସଭା, ଲୋକସଭା ନିର୍ବାଚନରେ ଏସବୁ ମନ୍ଦିରରେ ଅନେକ ଲୋକ ପୂଜାର୍ଚ୍ଚନା କରିଥାନ୍ତି। ଠାକୁର ବା ଠାକୁରାଣୀ ଯେତିକି ପ୍ରତ୍ୟକ୍ଷ ସେ ମନ୍ଦିରମାନଙ୍କରେ ପୂଜା ସେତିକି ଅଧିକ ହୋଇଥାଏ। ସମାଜରେ ଆଜି ଦିନରେ ସବୁ ବଡ଼ବଡ଼ିଆ ପାଠ ପଢିବା ବେଳେ ଏହି ଗାଁ ମାନଙ୍କରେ ଥିବା ମନ୍ଦିରରେ ମାଆ ଦୀପଟିଏ ଜାଳିଦିଏ ବା କିଛି ଭୋଗ ଲଗାଇବାର ମାନସିକ ରଖିଥାଏ। ଏହା ବାସ୍ତବରେ କେତେ କାମ ଦିଏ, ତାହା ଅଲଗା କଥା। କିନ୍ତୁ ଠାକୁର ତା ସହିତ ନିଶ୍ଚିତ ରହିବେ ବୋଲି ଯେଉଁ ସକାରାତ୍ମକ ବିଚାରଧାରା ସୃଷ୍ଟି ହୁଏ, ତାହା ପରୀକ୍ଷାକୁ ସାମ୍ନା କରିବା ବେଳେ ମନରେ ଥିବା ଭୟକୁ ଦୂର କରିବାରେ ସହାୟକ ହୋଇଥାଏ। ରାଜ୍ୟ ସରକାର ଚଳାଉଥିବା ନେତା, ମନ୍ତ୍ରୀ, ଅଫିସର ଏବେ ସେ ପୁରୁଣା ଦିନକୁ ଭୁଲିଗଲେ କି?
ଏସବୁ ମନ୍ଦିର ଓ ପୂଜକର ଅର୍ଥନୀତି ଦୁର୍ବଳ ହୋଇଗଲେ, ଆମ ବ୍ୟବସ୍ଥା ପଛରେ ଅଦୃଶ୍ୟ ଭାବରେ ଥିବା ବିଶ୍ବାସ ଦୋହଲିଯିବନି ତ? କୁସଂସ୍କାର ଓ ଅନ୍ଧବିଶ୍ବାସକୁ ସିନା ବଳିଦେବା, କିନ୍ତୁ ତୃଣମୂଳସ୍ତରରେ ଆମ ସମାଜ, ଆମ ପରିବେଶ ସହିତ ଯୋଡ଼ି ହୋଇ ରହିଥିବା ଏହି ଶକ୍ତିକୁ କଣ ନଷ୍ଟ୍ର ଭ୍ରଷ୍ଟ କରିଦେବା? ପରିବାର ଭାଙ୍ଗି ଟିକିଟିକି ହୋଇଗଲା ଓ ଆଜି ସମସ୍ତେ ଧୀରେ ଧୀରେ ଏକୁଟିଆ ହୋଇଗଲା ପରି ଦିନେ ଆମେ ସମାଜ ଭିତରେ ଏକୁଟିଆ ହୋଇଯିବାନି ତ?