ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବିଜେଡିକୁ ଏ କି ରୋଗ ହୋଇଛି?

0

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ପରିଚାଳନା ଠିକ୍ ଭାବେ ହେଉନାହିଁ। ନୂଆଦିଲ୍ଲୀରୁ ଏଭଳି ସଙ୍ଗିନ୍ ଅଭିଯୋଗ ଆଣିଲେ ବିଜେପି ସାଂସଦ ସୁରେଶ ପୂଜାରୀ। ଏହାର ଦୀର୍ଘ ସମୟ ପରେ ରାଜ୍ୟ ସରକାରଙ୍କ ପରିବର୍ତେ ବିଜେଡି ପକ୍ଷରୁ ଲେନିନ୍ ମହାନ୍ତି ପ୍ରତିଜବାବ ଦେଲେ। ସ୍ବାସ୍ଥ୍ୟମନ୍ତ୍ରୀ କୁଆଡେ ଗଲେ? ଦିଲ୍ଲୀରେ ଥିବା ବିଜେଡି ସାଂସଦମାନେ?

ରାଜ୍ୟ ସରକାରଙ୍କ କୃଷକଙ୍କ ଆଭିମୁଖ୍ୟ ସଂପର୍କରେ ସୁରେଶ ପୂଜାରୀଙ୍କ ସମେତ ରାଜ୍ୟ ବିଜେପି ନେତାମାନେ ଗର୍ଜନ ତର୍ଜନ କଲେ। ସରକାରଙ୍କ ଅତି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଜେପି ଖୋଲାଖୋଲି ହାତ ମାରିଲା। ପଶ୍ଚିମ ଓଡ଼ିଶା ରାଜନୀତିରେ ଏହାର ଏକ ଜବରଦସ୍ତ ପ୍ରଭାବ ରହିଛି। ହେଲେ ବିଜେଡି ଏହାର ଯେଭଳି ପ୍ରତିଜବାବ ଦେବା କଥା ତାହା ଦେଖାଦେଲାନି। ନା କୃଷି ମନ୍ତ୍ରୀ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁହଁ ଖୋଲିଲେ ନା ଦଳର କୌଣସି ବରିଷ୍ଠ ନେତା ଅଥବା ସାଂସଦ।

ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଚଢଉ କଲା। ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ମନଇଚ୍ଛା ସମାଲୋଚନା କରିବାକୁ ପଛାଇଲା ନାହିଁ। ଗୋଟିଏ ସମୟରେ ପ୍ରଭାତ ବିଶ୍ବାଳଙ୍କ ସିବିଆଇ ଗିରଫଦାରି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ନୂଆଦିଲ୍ଲୀରୁ ଫେରି ସିଧାସଳଖ ଗଣମାଧ୍ୟମ ସାମ୍ନାରେ ମତ ରଖିଥିଲେ। ହେଲେ ବିଜେଡି ପ୍ରତି ଆସନ୍ନ ବିପଦ ଓ ବିରୋଧୀଙ୍କ ସମାଲୋଚନା ସଂପର୍କରେ କେହି ଉଁ କି ଚୁଁ ମୁହଁ ଖୋଲିଲେନାହିଁ। ବହୁ ଭାବିଚିନ୍ତି ରାତିରେ ସେହି ଲେନିନ୍ ମହାନ୍ତିଙ୍କ ମୁହଁରେ ମତ ରଖିଲା ବିଜେଡି। ଆଇନମନ୍ତ୍ରୀ, ବରିଷ୍ଠ ନେତାମାନେ କୁଆଡେ ଗଲେ?

ବିଶ୍ବବିଦ୍ୟାଳୟ ଆଇନ ପରିବର୍ତନ ଭଳି ଏକ ବଡ଼ ନିଷ୍ପତ୍ତି କ୍ୟାବିନେଟରେ ନିଆଗଲା। ଏହା ବିରୋଧରେ ରାଜନୈତିକ ଦଳଗୁଡିକ କେବଳ ମୁଖରା ହୋଇଛନ୍ତି ତା ନୁହେଁ, କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍ ଗଲାଣି। ଓଡ଼ିଶାର ବଛା ବଛା ଶିକ୍ଷାବିତ୍‌ମାନେ ସରକାରଙ୍କ ବିରୋଧରେ ସିଧାସଳଖ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେଲେ। ଶିକ୍ଷାବିତ୍‌ମାନଙ୍କୁ ସରକାର ଏ କ୍ଷେତ୍ରରେ ବିଶ୍ବାସକୁ ନେଇନଥିଲେ? କୌଣସି ଜଣେ ବି ବିଶ୍ବବିଦ୍ୟାଳୟର କୁଳପତି, ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ବା ବର୍ତମାନର ଶିକ୍ଷାମନ୍ତ୍ରୀ ଏହି ବ୍ୟବସ୍ଥା ସଂପର୍କରେ ପଦୁଟିଏ ଯୁକ୍ତି ରଖିବାର ସାହସ କାହିଁକି କରୁନାହାନ୍ତି? ସେମାନଙ୍କୁ କିଏ ମନା କରିଛି ନା ଜାଣିଶୁଣି ସରକାର ଅକଳରେ ପଡନ୍ତୁ ବୋଲି ସେମାନେ ଚାହୁଁଛନ୍ତି? ଏଭଳି ନିରବତା ଅବଲମ୍ବନ କରି ଏହି ନିଷ୍ପତ୍ତିରେ ଭୂମିକା ନାହିଁ, ଏକଥାକୁ ମନ୍ତ୍ରୀ ପ୍ରମାଣିତ କରିବାକୁ ଚାହୁଁନାହାନ୍ତି ତ?

କରୋନାକୁ ନେଇ ସାରା ଓଡ଼ିଶା ସନ୍ତୁଳି ହେଉଛି। ଏପଟେ କେତେ ଫୁଟ ଉଚ୍ଚର ମୂର୍ତି ହେବ, ପୁଲିସ କମିସନରଙ୍କ ଏହି ବକ୍ତବ୍ୟ ସରକାର ବିରୋଧରେ ଗୋଟିଏ ମତ ଠିଆ କଲାଣି। ଯଦିଓ ମୂର୍ତିର ଉଚ୍ଚତା କେବେ ଲୋକଙ୍କୁ ଆକର୍ଷଣ କରିନଥାଏ, ବରଂ ମେଢ, ସାଜସଜ୍ଜା ଏବଂ ଦେବୀଙ୍କ ପ୍ରତି ଭକ୍ତି ଏକ କାରଣ। ୪ ଫୁଟ ଉଚ୍ଚତାର ମୂର୍ତି ହେଲେ କରୋନା କମିଯିବ? ୬ଫୁଟ ମୂର୍ତି ହେଲେ କରୋନା ବଢ଼ିଯିବ? ଇଏ କି ଅବାଞ୍ଝିତ ଯୁକ୍ତି। ମୂର୍ତିର ଉଚ୍ଚତା ସହିତ କେବଳ ଦେବୀଙ୍କ ମୁହଁର ସଂପର୍କ ଥାଏ ଓ ପୂଜାର। ଏ ପାଠଟି ସରକାରଙ୍କୁ କିଏ ବୁଝାଇବ? ସର୍ବୋପରି ଏ ନିଷ୍ପତ୍ତିଟି ପୁଲିସ କମିସନର କାହିଁକି ନେବେ?

ଗତ କିଛି ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଆଚରଣ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଭୂମିକା ରାଜ୍ୟ ରାଜନୀତିରେ ବଡ଼ ଧରଣର ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜେଡି ନେତାମାନେ ଏଭଳି ଆଚରଣ କରୁଛନ୍ତି, ଯେମିତି ସରକାର ଓ ଦଳର ଭାବମୂର୍ତି ସଙ୍କଟରେ ପଡି଼ଲେ ସେମାନଙ୍କର ଯାଏ ଆସେ କିଛି ନାହିଁ। କେବଳ ସେତିକି ନୁହେଁ, ପରସ୍ପର ବିରୋଧରେ ଖୋଲାଖୋଲି ସାଧାରଣରେ ମନ୍ତବ୍ୟ ଦେବାର ନଜିର ମଧ୍ୟ ବଢିବାରେ ଲାଗିଲାଣି।

ଆହୁରି ଆଶ୍ଚର୍ଯ୍ୟ ଲାଗୁଛି, ବିଜେଡି ନିକଟରେ ସାଂଗଠନିକ ପୁନର୍ବିନ୍ୟାସ କରିଛି। ଜଣେ କି ଦୁଇ ଜଣେ ନୁହେଁ, ଦେଢ ସରିକି ନେତାଙ୍କୁ ସୁପ୍ରିମୋ ବିଭିନ୍ନ ପଦପଦବିରେ ଥଇଥାନ କରିଛନ୍ତି। ଦଳରେ ସାଂଗଠନିକ ସଂପାଦକ ଓ ସାଂଗଠନିକ ସଂପାଦକ (ମୁଖ୍ୟାଳୟ) ଭଳି ଗୁରୁତ୍ବପୂର୍ଣ୍ଣ ପଦବି ସୃଷ୍ଟି ହୋଇଛି ଏବଂ ମାଳ ମାଳ ବରିଷ୍ଠ ଏବଂ କନିଷ୍ଠ ଉପସଭାପତି, ସାଧାରଣ ସଂପାଦକ ଏବଂ ସଂପାଦକ ନିଯୁ୍କ୍ତି ପାଇଛନ୍ତି। ଏତେ ଜଲଦି ସମସ୍ତଙ୍କର ମୋହ ଭଙ୍ଗ ହୋଇଗଲା? ଦଳର ସୋସିଆଲ୍ ମିଡ଼ିଆ ପ୍ଲାଟ୍‌ଫର୍ମ, ବିରାଟ ପଲଟଣ ସବୁ କୁଆଡେ ଗଲା? ଏସବୁକୁ ଆଉ ବିଜେଡିରେ ନାହିଁ ନା ଏହାକୁ କିଏ ଅକାମୀ କରିଦେଇଛି?

ବିଜେଡି ଭଳି ଗୋଟିଏ ଶୃଙ୍ଖଳିତ ଦଳରେ ଏଭଳି ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେବାର କାରଣ କଣ? ନେତୃତ୍ବ ପ୍ରତି ଭୟ ବା ଭକ୍ତି କମିଯାଇଛି ନା ଆଭ୍ୟନ୍ତରୀଣ ରଣନୀତି ବିଗିଡିଗଲାଣି? କୌଣସି ବାହ୍ୟ ଶକ୍ତି ବିଜେଡିର ରାଜନୀତିକୁ ଗୋଳିଆ କରିବା ଲାଗି କସରତ ଚଳାଇନାହାନ୍ତି ତ? ବିଜେଡିର ନେତାମାନେ ହନି ଟ୍ରାପ୍ ଭଳି ସ୍ଥିତି ସାମ୍ନା କରୁନାହାନ୍ତି ତ? ଏଭଳି ମାଳ ମାଳ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି। ଦଳୀୟ ନେତାମାନେ ଏ ନେଇ ଠୋସ୍ ଉତ୍ତର ରଖିବା ପରିବର୍ତେ, ଏଭଳି ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ,ଯେମିତି ସେମାନେ ଆଉ ବିଜେଡିରେ ଅଛନ୍ତି କି ନାହିଁ, ତାହା ବୁଝାପଡୁନାହିଁ।

ଏହି ପ୍ରସଙ୍ଗଟି ଏବେ ରାଜ୍ୟ ସୀମା ଡେଇଁ ଜିଲ୍ଲା ଓ ବ୍ଲକସ୍ତର ଯାଏ ବ୍ୟାପିଗଲାଣି। ବିଜେଡିର ରାଜନୀତିରେ ବଡ଼ ଧରଣର ପ୍ରଭାବ ରଖିଲାଣି। ସରକାର ଓ ବିଜେଡିର ମୁଣ୍ଡିଆଳ ମାନେ ଏସଂପର୍କରେ ଖବର ପାଉନାହାନ୍ତି ନା ପାଇ କି ଚୁପ୍ ବସିଛନ୍ତି? ଆଗକୁ ଦଳ ଦୁଇ ଦୁଇଟି ଉପନିର୍ବାଚନ ସାମ୍ନା କରିବ। ଏହା ଯେତେ ବଡ଼ କଥା ନୁହେଁ, ତା ଚାହିଁ ସାଂଘାତିକ କଥାଟି ହେଲା ଉଭୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି। ଆସନ୍ତା ଦେଢ ବର୍ଷ ଭିତରେ ଏ ସବୁଦାୟ ପ୍ରକ୍ରିୟା ସରିବ। ଯଦି ବିଜେଡିର ଏଭଳି ସ୍ଥିତି ଲାଗିରହେ ଓ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସିବିଆଇ ଅସ୍ତ୍ର ମାଡ଼ କରିବା ଆରମ୍ଭ କରନ୍ତି, ତେବେ ବିଜେଡି ଯେ ଆଗକୁ ଭୀଷଣ ପରିସ୍ଥିତି ସାମ୍ନା କରିବ, ଏକଥାକୁ ଏଡ଼ାଇ ଦେଇ ହେବନାହିଁ।କେବଳ ସେତିକି ନୁହେଁ, ଧୀରେ ଧୀରେ ୧୧୨ସଂଖ୍ୟାର ବିଧାୟକ ଥିବା ସରକାର ଦୁର୍ବଳ ହୋଇଗଲାଣି ବୋଲି ମଧ୍ୟ ବାର୍ତା ଯିବାକୁ ବେଶୀ ସମୟ ଲାଗିବ ନାହିଁ, ଯାହା ବିରୋଧୀଙ୍କ ପାଇଁ ସୁଯୋଗ ଆଣିପାରେ।

Leave A Reply

Your email address will not be published.