- ଗଣତନ୍ତ୍ରରେ ରାଜତନ୍ତ୍ରର ଛାପ, ପରିବାରବାଦକୁ ପ୍ରୋତ୍ସାହନ କାହିଁକି?
- ବାପା, ତା’ପରେ ପୁଅ, ନାତି…ଅଯୋଗ୍ୟ ହେଲେ ବି ଗାଦିରେ ବସିବେ
- ବିଜେଡି-ବିଜେପି-କଂଗ୍ରେସ ସମସ୍ତେ ଏକାରାସ୍ତାରେ, ଅସନ୍ତୋଷ ବଢିଲାଣି
ଭୁବନେଶ୍ବର: ରାଜା ରାଜୁଡା ଶାସନ କାଳରେ ରାଜାଙ୍କ ପରଲୋକ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ର ରାଜଗାଦିରେ ବସିଥାନ୍ତି। ସ୍ଥଳବିଶେଷରେ ସାନପୁଅ ଏବଂ କେବେ କେବେ ମହାରାଣୀ ମଧ୍ୟ ଶାସନ କରିବାର ନଜିର ରହିଛି। ସାଧାରଣ ଲୋକ ଯେତେ ଯୋଗ୍ୟ ହୋଇଥାନ୍ତୁ ନା କାହିଁକି, ସେ ସବୁବେଳେ ପ୍ରଜା ହୋଇ ରହିବ। ଅଯୋଗ୍ୟ ରାଜା ତାକୁ ଶାସନ କରିବ।
ସମୟ ବଦଳିଲା। ଦେଶ ସ୍ବାଧୀନ ହେଲା। ପ୍ରଜା ହେଲେ ମାଲିକ। ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ସାଧାରଣ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଲେ। ନବକୃଷ୍ଣ ଚୌଧୁରୀଙ୍କ ଭଳି ଜଣେ ଗାନ୍ଧିବାଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ଆଦୌ ପାରିବାରିକ ରାଜନୀତିର ସତ୍ତା ଭିତରେ ନଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଦୀର୍ଘ ୧୪ବର୍ଷ ଶାସନ କଲେ।
ଓଡ଼ିଶା କଥାକୁ ବିଚାର କଲେ, ଯେଉଁ କଥାଟି କଂଗ୍ରେସକୁ ସବୁଠାରୁ ଅଧିକ ବିବାଦୀୟ କରିତୋଳିଥିଲା, ତାହା ହେଉଛି ପରିବାରବାଦ। ମୁଖ୍ୟମନ୍ତ୍ରୀତ୍ବ କାଳରେ ଜାନକୀଙ୍କ ସଂପର୍କୀୟ ରାଜ୍ୟ ରାଜନୀତିରେ ସକ୍ରିୟ ହେବା ପ୍ରସଙ୍ଗକୁ ବିରୋଧୀ ପ୍ରସଙ୍ଗ କରିବାରେ ସମର୍ଥ ହୋଇଥିଲେ ଓ କଂଗ୍ରେସ ଏଥିପାଇଁ ଢେର୍ ମୂଲ୍ୟ ଦେଇଛି। ଦଳ ଶାସନ କ୍ଷମତାରୁ ତଡ଼ା ଖାଇବା ପଛରେ ଥିବା ଅନେକ କାରଣ ମଧ୍ୟରୁ ଏହା ଗୋଟିଏ ନିଶ୍ଚୟ।
ହେଲେ ଯେଉଁପ୍ରସଙ୍ଗରେ କଂଗ୍ରେସ ସଂଗଠନ କ୍ଷତବିକ୍ଷତ ହେଲା, ତା କବଳରୁ ସେମାନେ ଏଯାଏ ବାହାରିପାରିନାହାନ୍ତି। ବିଜେପି ଓ ବିଜେଡି କଥା ନ କହିବା ଭଲ। ରାଜା ରାଜୁଡାଙ୍କ ଭଳି ପରିବାରବାଦ ଆଡକୁ ଗଣତନ୍ତ୍ର ମୁହାଁଇଛି। ତେଣିକି ସେ ଯୋଗ୍ୟ ହୋଇଥାନ୍ତୁ ବା ଅଯୋଗ୍ୟ। ଆହୁରି ଆଶ୍ଚର୍ଯ୍ୟ କଥା ହେଲା, ଅନେକ ଯୋଗ୍ୟ ବିଧାୟକ, ମନ୍ତ୍ରୀ ବା ସାଂସଦ ନିଜ ଜୀବଦଶାରେ ପୁଅକୁ କିଭଳି ରାଜନୀତିରେ ଥଇଥାନ କରିବେ, ସେଥିଲାଗି ନିଜର ନୀତି, ଆଦର୍ଶକୁ ଜଳାଞ୍ଜଳି ଦେବା, ଶୀର୍ଷ ନେତୃତ୍ବ ନିକଟରେ ନିଜର ଆତ୍ମସମ୍ମାନର ଆତ୍ମସମର୍ପଣ କରିବାକୁ ଭୁଲୁନାହାନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତି ଭିତରେ ନଥିଲେ କିମ୍ବା ତାଙ୍କୁ ବିଜୁ ବାବୁ କ୍ଷମତା ରାଜନୀତିର ସ୍ପର୍ଶ କରାଇ ଦେଇନଥିଲେ। ସେ ସମୟର ନେତାମାନଙ୍କର ଭାବମୂର୍ତି ସଙ୍କଟ ଥିଲା। ବିଶ୍ବସନୀୟତାରେ ପ୍ରଶ୍ନଚିହ୍ନ ଲାଗିଥିଲା। ଏହି କାରଣରୁ ବିଜୁଙ୍କ ଚେହେରାରେ ରାଜନୀତି କରିବା ଲାଗି ନବୀନଙ୍କ ସମସ୍ତ ଅନାଗ୍ରହ ସତ୍ତ୍ବେ ତାଙ୍କୁ ରାଜନୀତିକୁ ଟାଣିଆଣିଥିଲେ। ନିଜେ ନବୀନ ତାଙ୍କ ଉତ୍ତରାଧିକାରୀ ସଂପର୍କରେ ଅତ୍ୟନ୍ତ ସ୍ପଷ୍ଟ ମତ ରଖିଛନ୍ତି। ତାଙ୍କର ପରିବାରରୁ ସେ କାହାକୁ ଥଇଥାନ କରିବେ ନାହିଁ। ବରଂ ଓଡ଼ିଶାର ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ବୋଲି କହିଛନ୍ତି ନବୀନ। ତା ସତ୍ତ୍ବେ ଦେଖାଯାଇଛି ନବୀନଙ୍କ ସମୟରେ ସାଧାରଣ ଲୋକଟିଏ କ୍ଷମତା ଚୌକିରେ ବସିବାର ଉଦାହରଣ ଯେତିକି, ଉତ୍ତରାଧିକାରୀ ସୂତ୍ରରେ ରାଜନୀତି ପାଇଁ ସୁଯୋଗ ମିଳିଥିବାର ଉଦାହରଣ ପ୍ରାୟ ସେତିକି।
ପରିବାରବାଦ ଏତେ ପରିମାଣରେ ବଢିଛି ଯେ ବିଜେଡିରେ ଥିବା ଅନେକ ଯୋଗ୍ୟ ନେତା, ଯୁବକ ପଦପଦବି ଏବେ କଣ.. କେବେ ବି କିଛି ପାଇବେ ନାହିଁ। ଥୋକେ ସଫଳ ହୋଇଛନ୍ତି, ଆଉ ଥୋକାଏ ନିଜ ପୁଅକୁ ଥଇଥାନ କରିବା ଲାଗି ବିଜେଡି ସଂଗଠନକୁ ମଡ଼ିମକଚି ଦଳି ଦେଇସାରିଲେଣି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ପୁଅ ଡାନି ହୁଅନ୍ତୁ କି କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, ଏହି ସୂତ୍ରରେ ରାଜନୀତିରେ ପାହାଚ ଚଢିଛନ୍ତି। ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ, ଝିଅ ପ୍ରୀତିନନ୍ଦା ରାଉତରାୟ, ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ ଏବଂ ଅର୍କେଶ ଏହି ଧାରାରେ ସ୍ଥାନୀୟ ରାଜନୀତିର ମୁଖିଆ ପାଲଟିଛନ୍ତି।
ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଂଜନ, ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକ୍, ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ, ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ଏବେ ରାଜନୀତିରେ ସକ୍ରିୟ ଓ ପଦପଦବି ଧରିଲେଣି। ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପୁଅ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ , ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷବ ଏବେ କ୍ଷମତା ଚୌକି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏ ତାଲିକା ଏମିତି ଲମ୍ବିଚାଲିଥିବ।
ନିକଟରେ ଯେତେ ଉପନିର୍ବାଚନ ହୋଇଛି ବିଜେଡି ପରିବାର ଧାରାରୁ ବାହାରିପାରିନାହିଁ। ଅତ୍ୟନ୍ତ ଚମତ୍କାର ସାଂଗଠନିକ କ୍ଷମତା ରଖିଥିବା ନେତାମାନେ ନିଜର ପତିଆରା, ପରାକାଷ୍ଠା ଓ ଦବଦବା ସଂପର୍କରେ ଛାତିପିଟୁଥିଲେ ହେଁ, ଏହି ଧାରାରୁ ବାହାରି ପ୍ରାର୍ଥୀ ଦେବା ଲାଗି ସାହସ କୁଳେଇ ପାରିନାହାନ୍ତି। ଅନୁକମ୍ପା ହାସଲ ଆଶାରେ ପରିବାରର ଜଣକୁ ସିଂହାସନରେ ବସାଇବାକୁ ସେମାନେ ଯେମିତି ବିକଳ ହୋଇଯାନ୍ତି। ବିଜେପୁରରେ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କ ଭଳି ଏବେ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଏବଂ ଆଗକୁ ପ୍ରଦୀପ ମହାରଥୀଙ୍କ ଅବର୍ତମାନରେ ତାଙ୍କ ପରିବାର ହାତକୁ ଟିକେଟ୍ ଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
କଂଗ୍ରେସ ଏବଂ ବିଜେପି ମଧ୍ୟ ଏ ରୋଗରୁ ମୁକୁଳିିପାରିନାହାନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁଅ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ବୀରାଜଙ୍କ ଠାରୁ ଆରମ୍ଭକରି ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ଟିକେଟ୍ ନେବା ଭଳି ଅନେକ ଉଦାହରଣ ରହିଛି। କଂଗ୍ରେସ ଏତେ କ୍ଷତି ସହିବା ପରେ ବି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପୁଅ ନବଜ୍ୟୋତିଙ୍କୁ ରାଜନୀତିକୁ ଆଣିବା ଲାଗି ଯେମିତି ବ୍ୟଗ୍ର ହେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ସେମିତି। ତାଙ୍କ ପୁଅକୁ ନିଜେ ଥିବା ସମୟରେ ପ୍ରତ୍ୟକ୍ଷ ରାଜନୀତିକୁ ଆଣିବାକୁ କୁଣ୍ଠାବୋଧ କଲେନି। କେବଳ ଏଇ ଦୁଇଜଣ ନୁହଁନ୍ତି, ପାରିବାରିକ ରାଜନୀତି ଚକ୍କରରେ ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ପୂର୍ବତନ ବିଧାୟକ ଅନନ୍ତ ସେଠୀ, କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି ଏମିତି ଏ ତାଲିକା ବି ବିଶାଳ।
ଏସବୁ ରାଜନୈତିକ ଦଳର ଛାମୁଆ କର୍ମୀ ଏହାକୁ ବରଦାସ୍ତ କରିପାରୁନାହାନ୍ତି। ହେଲେ ନେତାମାନଙ୍କର ଟଙ୍କା, ପତିଆରା ଏତେ ଯେ ସେମାନଙ୍କ ଅସନ୍ତୋଷ ସୀମା ଡେଇଁ ପାରୁନି ବରଂ ନିଜ ଭିତରେ ଚପିଯାଉଛି। ଯଦିଓ ଗଣତନ୍ତ୍ର ପ୍ରତି ଏହା ସାଂଘାତିକ ବିପଦ ବୋଲି ସମସ୍ତେ ଅନୁମାନ କରୁଛନ୍ତି, ତଥାପି ଶୀର୍ଷ ନେତୃତ୍ବ ଚେତୁନାହାନ୍ତି କି ରାଜନେତା ବନିଥିବା ବାପାମାନେ। ଏହା ଓଡ଼ିଶାରେ ଯେ କୌଣସି ମୁହୂର୍ତରେ ରାଜନୈତିକ ବିଦ୍ରୋହର ମଞ୍ଜିବୁଣିପାରେ, ସେ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।