ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବର୍ଷେ ଆଗରୁ ପଞ୍ଚାୟତ ଦଖଲ ଅଭିଯାନ

0
  • ବିକାଶକୁ ଏଜେଣ୍ଡା କରି ନବୀନ ଓହ୍ଲାଇଲେ ମଇଦାନକୁ
  • ହାତରେ ଧରିଛନ୍ତି ୨୦୮୫ କୋଟି ଓ ୧୦୬ଟି ପ୍ରକଳ୍ପ
  • ଶହେ ପ୍ରତିଶତ ପଞ୍ଚାୟତ ଦଖଲ ଲାଗି ବିଜେଡିର କସରତ
  • କଳାହାଣ୍ଡିରେ ଉତ୍ସବ ଭଳି ପରିବେଶ, ବିଜେଡି ପଶିଗଲା ସବୁ ଘରକୁ
  • ବିରୋଧୀଙ୍କ ପାଇଁ ଆହ୍ବାନ ବଢ଼ିଲା; ସଂଗଠନ ନାହିଁ କି ଯୋଜନା ବି

ଭୁବନେଶ୍ବର: ବିକାଶ ହେଉଛି ଏଜେଣ୍ଡା। ଉଦ୍ଦେଶ୍ୟ ହେଉଛି , ଶହେ ପ୍ରତିଶତ ପଞ୍ଚାୟତକୁ ନିଜ ଅକ୍ତିଆରକୁ ଆଣି ରେକର୍ଡ କରିବା। ଏମିତି ଏକ ବଡ଼ ଲକ୍ଷ୍ୟ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଖାପାଖି ବର୍ଷେ ଆଗରୁ ଅର୍ଥାତ୍ ଆଜିଠାରୁ ଅନୌପଚାରିକ ଢଙ୍ଗରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏ ନେଇ ଠୋସ୍ ଖସଡ଼ା ସରକାର ପ୍ରସ୍ତୁତ କରିଛନ୍ତି ଓ ଦଳ ବି। ଏହା ଭିତରେ ଯଦି ପୌର ନିର୍ବାଚନ ରାସ୍ତା ବି ଖୋଲିଲା (ଯାହାର ସମ୍ଭାବନା କ୍ଷୀଣ), ତାହା ବି ବିଜେଡି କବ୍‌ଜାରୁ ଯିବ ନାହିଁ।

ଆଜି କଳାହାଣ୍ଡି ଜିଲ୍ଲାରୁ ନବୀନ ପଞ୍ଚାୟତର ଯେଉଁ ପରିବର୍ତ୍ତିତ ଚିତ୍ର ଆଙ୍କୁଛନ୍ତି, ତାହା ବିଶ୍ବ ପାଇଁ ଉଦାହରଣ ହୋଇରହିବ ବୋଲି ସ୍ଲୋଗାନ୍ ଦିଆଯାଇଛି। ଗୋଟିଏ କି ଦୁଇଟି ନୁହେଁ, କଳାହାଣ୍ଡି ଜିଲ୍ଲାର ୧୦୬୪ କୋଟି ୮୬ଲକ୍ଷ ଟଙ୍କାର ୫୪ଟି ପ୍ରକଳ୍ପ ଉଦ୍‌ଘାଟିତ ହେଉଛି ଏବଂ ୧୦୨୦ କୋଟି ୩୪ଲକ୍ଷ ଟଙ୍କାର ୫୨ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯାଉଛି। ଅର୍ଥାତ୍ ପ୍ରାୟ ସବୁ ପଞ୍ଚାୟତରେ ନବୀନଙ୍କର ଏହି ବିକାଶର ଛିଟା ପଡ଼ିବ ହିଁ ପଡ଼ିବ।

ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେଲା, ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ ହେବ। ଯେଉଁଥିପାଇଁ ସରକାର ପ୍ରାୟ ୯୮୬ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାର ପ୍ରଭାବ ନବରଙ୍ଗପୁର ଆଦି ପଡ଼ୋଶୀ ଜିଲ୍ଲା ଉପରେ ବି ପଡ଼ିବ। ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରହିଛି ଓ ୩ଲକ୍ଷରୁ ଅଧିକ ଚାଷୀଙ୍କ ପାଖରେ ସରକାର ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି।

ନବୀନଙ୍କର ଏହି ଗସ୍ତ ଅନ୍ୟ ଗୋଟିଏ ଦିଗରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମୁଦାୟ ୧୦୬ଟି ପ୍ରକଳ୍ପ ଭିତରେ ବୃହତ୍ ଉଠା ଜଳସେଚନ ବ୍ୟତୀତ ମହିଳା ଓ ଶିଶୁ ବିକାଶ , ଶକ୍ତି , ସ୍ବାସ୍ଥ୍ୟ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ପୂର୍ତ୍ତ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, ସମବାୟ ବିଭାଗ, କ୍ରୀଡା, ଗ୍ରାମ୍ୟ ଉନ୍ନୟନ ଓ ଜଙ୍ଗଲ ଏବଂ ପରିବେଶ ଭଳି ୧୧ଟି ବିଭାଗର ପ୍ରକଳ୍ପ ସାମିଲ ଅଛି। ସମ୍ଭବତଃ କୌଣସି ସରକାର ସମୟରେ ଗୋଟିଏ ଦିନରେ ଏତେ ସଂଖ୍ୟକ ପ୍ରକଳ୍ପ କେଉଁଠି ଶୁଭ ବା ଉଦ୍‌ଘାଟନ କାର୍ଯ୍ୟକ୍ରମ ହୋଇନଥିବ।

ଶାସକ ଦଳର କହିବା କଥା ହେଉଛି, ନବୀନ ନିବାସରୁ ଗତ ୯ମାସ ଧରି ଓଡ଼ିଶା ଶାସନ କରିଛନ୍ତି ନବୀନ। କୋଭିଡ୍ ପରିଚାଳନାରେ ରାଜ୍ୟ ପ୍ରଶଂସା ସାଉଁଟିଛି ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଏବେ କୋଭିଡ୍ ଶେଷ ହେବା ପରେ ନବୀନ ଯେବେ ବାହାରକୁ ଆସିଛନ୍ତି, ସେବେ ତାଙ୍କ ହାତରେ ‘ନୂଆ ଓଡ଼ିଶା’ ଗଠନ ପାଇଁ ଆବଶ୍ୟକ ବିକାଶ କାର୍ଡ ରହିଛି। ଏହି କାର୍ଡ ଧରି ସେ ଆଜି କଳାହାଣ୍ଡି ଗସ୍ତ କରିଛନ୍ତି। ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲ୍ଲା ଗସ୍ତ କରି ସେ ଏଭଳି ଏକ ପରିବେଶ ସୃଷ୍ଟି କରିବେ, ଯାହା ସାମ୍ନାରେ ବିରୋଧୀ ଓ ସମାଲୋଚକ ନିଷ୍ପ୍ରଭ ମନେହେବେ।

ବିଜେଡିର ଏଭଳି ଯୁକ୍ତି ପଛରେ ଦମ୍ ବି ରହିଛି। ୨୦୨୨ ପ୍ରାରମ୍ଭରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ୨୦୨୪ରେ ସାଧାରଣ ନିର୍ବାଚନ ବେଳକୁ ନବୀନ ‘ନୂଆ ଓଡ଼ିଶା’ ସ୍ଲୋଗାନ ପୂରଣ ହୋଇଥିବା କଥା କହୁଥିବେ, ଯେତେବେଳେ କେନ୍ଦ୍ର ସରକାର ନୂଆ ଭାରତ ଗଠନ ସଂକଳ୍ପ ନେଉଥିବେ। ଏଣୁ ଉଭୟ ନିର୍ବାଚନ ପାଇଁ ଏହି ଗସ୍ତ ମାଷ୍ଟର କାର୍ଡ ହେବ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଯେଉଁ ଦିଗଟି ଆନ୍ଦୋଳିତ କରୁଛି, ତାହା ହେଲା, ସମୁଦାୟ କଳାହାଣ୍ଡି ଜିଲ୍ଲାର ସବୁ ପଞ୍ଚାୟତରେ ଆଜି ଉତ୍ସବ ପ୍ରାୟ ପରିବେଶ। ପ୍ରତି ଜିଲ୍ଲାରେ ବିଧାୟକ ଓ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇ ବିଜେଡି ନିର୍ବାଚନୀ ଯୁଦ୍ଧରେ ଗଡ଼ ଦଖଲ କରିନେଇଛି। ଯେଉଁଠି ପ୍ରତି ଘରେ ବିଜେଡି ପହଞ୍ଚିଛି ଓ ପଶ୍ଚିମ ଓଡ଼ିଶାରୁ ଦଳ ବିଜେପିକୁ ତଡ଼ିବା ଲାଗି ଏହାଠାରୁ ଆଉ ବଡ଼ କସରତ କିଛି ହୋଇନପାରେ।

ବିନା ନିର୍ବାଚନରେ କୌଣସି ଏକ ସମୟର ଏତେ ସଂଖ୍ୟକ ନେତାଙ୍କୁ ରାଜ୍ୟ ବା ଦେଶ କେବେ ଦେଖିନଥିବ। ନବୀନ ନିର୍ବାଚନ ପ୍ରଚାରର ଏ ଯେଉଁ ନୂଆ ତରିକା ଆରମ୍ଭ କରିଛନ୍ତି, ଏହାକୁ ଓଡ଼ିଶାରେ ବିରୋଧୀ ଦଳ ମୁକାବିଲା ବା ସାମ୍ନା କରିବା ଅବସ୍ଥାରେ ନାହାନ୍ତି। ଉପରସ୍ତରରେ ବା ରାଜଧାନୀରେ ବିରୋଧୀ ଯେତେ ତମ୍ବିତୋଫାନ କଲେ ବି ବିଜେଡି ତୃଣମୂଳସ୍ତରରେ ନିଜ ଗଡ଼କୁ ସଶକ୍ତ କରି ସେମାନଙ୍କୁ ବେଦଖଲ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି।

ଏହି ମହଲର ଅନ୍ୟ ଯୁକ୍ତିଟି ହେଉଛି ଯେ ଉଭୟ ବିଜେପି କିମ୍ବା କଂଗ୍ରେସ ଏବେ ଯେଉଁ ସ୍ଥିତିରେ ଅଛନ୍ତି, ଏତେ ସଂଖ୍ୟକ ଲୋକବଳ ସେମାନଙ୍କ ପାଖରେ ନାହାନ୍ତି। କେବଳ ଟ୍ବିଟ୍, ସୋସିଆଲ ମିଡ଼ିଆରେ ଝଡ଼ କରି ନବୀନଙ୍କୁ ଅଟକାଇ ହେବ ନାହିଁ, ଏକଥା ଏବେଠାରୁ ବିରୋଧୀ ବୁଝିବା ଦରକାର। ସବୁଠାରୁ ବଡ଼ କଥା ହେଲା, ନବୀନ ପୁଣି ସକାରାତ୍ମକ ରାଜନୀତି ଆରମ୍ଭ କରିଛନ୍ତି ଓ ବିକାଶକୁ ଧରି ଚାଲିଛନ୍ତି। ଠିକ୍ ଏହି ସମୟରେ ବିରୋଧୀ ସଂଗଠିତ ତ ନାହାନ୍ତି ବରଂ ସରକାରଙ୍କୁ ସମାଲୋଚନାରେ ଦିନ ସାରୁଛନ୍ତି।

ଏଠାରେ ଉଲ୍ଲେଖଥାଉକି, ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କ ଭାଷଣ ଅନେକ ସଙ୍କେତ ଦେଇଥିଲା। ଆଜି ଏହାର ପ୍ରଥମ ସଙ୍କେତ ଦେଖିବାକୁ ମିଳିଛି। ସେଥିରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିକାଶ ସହିତ କେନ୍ଦ୍ର ନାହିଁ। ନିର୍ବାଚନ ଆସିଲେ ସେମାନେ ଆସନ୍ତି ଓ ପୁଣି ଚାଲିଯାନ୍ତି। ମାସକ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଯେଉଁ ଯୋଜନା ନିଆଯାଇଛି, ତାହା ଲୋକଙ୍କୁ ଛୁଇଁବ ହିଁ ଛୁଇଁବ।

Leave A Reply

Your email address will not be published.