କେନ୍ଦ୍ରାପଡା: ପରଲୋକରେ ଓଲିଉଡ ଜଣାଶୁଣା ପ୍ରଯୋଜକ ରବୀନ୍ଦ୍ର ସାହୁ। ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ, ବିଶିଷ୍ଟ ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁଙ୍କର ପରଲୋକ ଘଟିଛି। ଆଜି ସକାଳ ୭.୪୫ ମିନିଟରେ ରାଧାନୀର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ନେଇ ରବୀନ୍ଦ୍ରଙ୍କ ବଡ଼ପୁଅ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରଣଜିତ ସାହୁ ସୂଚନା ଦେଇଛନ୍ତି।
ଗତ କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା। ଫଳରେ ଅସୁସ୍ଥତା ନେଇ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ତାଙ୍କ ବିୟୋଗରେ ଓଲିଉଡ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ ଜଣେ ଝିଅ ଅଛନ୍ତି।
ରବୀନ୍ଦ୍ର ସାହୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ସୁନାମଧନ୍ୟ ପ୍ରଯୋଜକ ଭାବେ ଜଣାଶୁଣା। ୧୯୮୭ରେ ରିଲିଜ ଫିଲ୍ମ ‘ଏଇ ତ ଦୁନିଆ’ ସହ ପ୍ରଯୋଜକ ଭାବେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଯାହା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସଫଳତା ଦେଇଥିଲା। ଏହା ପରେ ସେ ୧୯୯୧ ମସିହାରେ ‘ବସ୍ତ୍ରହରଣ’ ଫିଲ୍ମ କରିଥିଲେ। ତାଙ୍କ ପ୍ରଡକ୍ସନ ବ୍ୟାନରରେ ୧୯୯୨ରେ ମସିହାରେ ରିଲିଜ ଫିଲ୍ମ ‘ନାଗ ପଞ୍ଚମି’ ର ସେ ପ୍ରଯୋଜନା କରିଥିଲେ।
ତାଙ୍କ ଶେଷ ପ୍ରଯୋଜନା ଫିଲ୍ମ ଥିଲା ‘ରସିକ ନାଗର’ ଯାହାକି ୨୦୦୭ରେ ମୁକ୍ତିଲାଭ କରିଥିଲା। ସେ ତାଙ୍କ ପ୍ରଯୋଜନା କ୍ୟାରିଅର ମଧ୍ୟରେ ୨୦ରୁ ଅଧିକ ଫିଲ୍ମ ନିର୍ମାଣ କରିଛନ୍ତି। ରବିନ୍ଦ୍ର ଅନେକ ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଯେଉଁଥିରେ ଉତ୍ତମ ମହାନ୍ତି ଏବଂ ବିଜୟ ମହାନ୍ତି ପରି କିମ୍ବଦନ୍ତୀ ଅଭିନେତାଙ୍କ ସହ କାମ କରିଛନ୍ତି। ତାଙ୍କ ପତ୍ନୀ, ୫ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଏଥିସହ ବଳଦେବଜୀଉ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ରବୀନ୍ଦ୍ର। ଏଥିସହ ସେ କେନ୍ଦ୍ରାପଡା ସହରରେ ବାପା ଭାସ୍କର ସାହୁଙ୍କ ସ୍ମୃତିରେ ସେ ଭାସ୍କର ସିନେମା ହଲ ପ୍ରତିଷ୍ଠା କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକମାନଙ୍କ ପାଇଁ ମନୋରଞ୍ଜନ ଖୋରାକ ଯୋଗାଇଥିଲେ।
ରବିନ୍ଦ୍ର ସାହୁ ସେ ପୂର୍ବରୁ କେନ୍ଦ୍ରାପଡ଼ା ପୌରପାଳିକାର କାଉନସିଲର ଭାବରେ କାର୍ଯ୍ୟ କରିଥିଲେ। ଏଥିସହ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ପ୍ରାର୍ଥୀ ଭାବରେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଆଜି ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।