ଭୁବନେଶ୍ବର: କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ପୁଣି ରାଜନୈତିକ ଉଷ୍ମତା ବଢ଼ିଛି। ଏହା ଉପରେ ସ୍ୱତନ୍ତ୍ର ଆଲୋଚନା ଦାବି କରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ଗୃହ ଆରମ୍ଭରୁ ଏହି ପ୍ରସଙ୍ଗରେ ଆଲୋଚନା ନହେଲେ ବିଧାନସଭା ପରିସରରେ ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି।
ତାରାଙ୍କ କହିବା ଅନୁଯାୟୀ, ଅଧିବେଶନ ଆରମ୍ଭରୁ ସେ କୋଟିଆ ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଆସୁଛନ୍ତି। ମାତ୍ର ସରକାରଙ୍କ ଅନାଗ୍ରହ ଯୋଗୁଁ ଏହା ଗୃହରେ ଆଲୋଚନା ହୋଇପାରୁନାହିଁ। ଅନ୍ୟପକ୍ଷରେ କୋଟିଆର ୫୪ ଜଣ ବ୍ୟକ୍ତି ଆନ୍ଧ୍ରପ୍ରଦେଶ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ଓଡ଼ିଶାର ସ୍ୱାର୍ଥ ଓ ସୀମା ସୁରକ୍ଷା ପାଇଁ ଚିନ୍ତାଜନକ ବିଷୟ ବୋଲି ତାରା କହିଛନ୍ତି। କୋଟିଆବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ତୁରନ୍ତ ଆଲୋଚନା କରନ୍ତୁ ବୋଲି ସେ ଦାବି କରିଛନ୍ତି। ତାଙ୍କ ଚେତାବନୀକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।