ଭୁବନେଶ୍ବର: ରାଜ୍ୟରେ ଡାକ୍ତର ଅଭାବକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ। ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୫ ହଜାରରୁ ଅଧିକ ଡାକ୍ତର ପଦ ଖାଲି ପଡ଼ିଛି। ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ମୋଟ ୧୫ ହଜାର ୭୯୩ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବାବେଳେ ସେଥିରୁ ୫ ହଜାର ୨୧୯ଟି ପଦ ଖାଲି ରହିଛି। ସେହିପରି ୪ ହଜାର ୩୯୨ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବୀ ମଧ୍ୟରୁ ୧ ହଜାର ୩୪୮ଟି ଖାଲି ପଡ଼ିଛି। ଡାକ୍ତରୀ ଶିକ୍ଷକଙ୍କ ଅଭାବ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ସରକାର ଯତ୍ନବାନ ଥିବା ମନ୍ତ୍ରୀ କହିଛନ୍ତି। ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ନିୟମିତ ଚୟନ, ବିଭାଗୀୟ ପଦୋନ୍ନତି, ଡେପୁଟେସନ୍ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ଭଳି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସେ ସ୍ପଷ୍ଟ କରିଛନ୍ତି।