- କେଉଁଠି ଅଟକିଗଲା ଭିଜିଲାନ୍ସ ତଦନ୍ତ ଆଉ କେହି ମୁହଁ ଖୋଲୁନାହାନ୍ତି
- ଗଣମାଧ୍ୟମ ଚୁପ୍ ପଡିଗଲା, ବିରୋଧୀ ରାଜନୈତିକ ଦଳ ନେତା ବି
- କମିସନଙ୍କ ଅଧ୍ୟକ୍ଷ ଓ ସଦସ୍ୟଙ୍କ ପ୍ରତି ସରକାରଙ୍କ ଏତେ ଦରଦ କାହିଁକି?
ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବହୁ ଚର୍ଚ୍ଚିତ ବିରଞ୍ଚି ସାହୁ ମାମଲାରେ ଗଣମାଧ୍ୟମରେ ଚର୍ଚ୍ଚା ଥମିଛି। ସେପଟେ ଭିଜିଲାନ୍ସ ତଦନ୍ତ ଅଗ୍ରଗତି କଣ ହେଲା ସେ ନେଇ ବି ଆଉ କେହି ମୁହଁ ଖୋଲୁନାହାନ୍ତି। ନା ଭିଜିଲାନ୍ସ ମୁଖିଆ ଏ ସଂପର୍କରେ ଗଣମାଧ୍ୟମକୁ କିଛି କହିଲେ ନା ରାଜ୍ୟ ସରକାର କମିସନର ଅଧ୍ୟକ୍ଷ କିମ୍ବା ସଦସ୍ୟଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ପଦକ୍ଷେପ ନେଲେ। ଅତି ସମ୍ବେଦନଶୀଳ ଏହି ପ୍ରସଙ୍ଗଟି ଏବେ କୋଳାହଳ ଭିତରେ ହଜିଯିବାକୁ ବସିଲାଣି। ରାଜ୍ଯର ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ଯତ ସହିତ ଯୋଡି ହୋଇଥିବା ଏହି ସଂସ୍ଥାଟି କ୍ଷେତ୍ରରେ ସରକାରୀ ଉଦାସୀନତା ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି।
ସବୁଠାରୁ ବଡ଼ କଥା ହେଲା, କମିସନ ଏବେ ଯେଉଁ ସବୁ ପରୀକ୍ଷା କରୁଛନ୍ତି, ତାହା ନିରପେକ୍ଷ ଭାବେ ହେବ ତ? ଯେଉଁ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ସ୍ବଚ୍ଛତା ନେଇ ଏତେ ବଡ ପ୍ରଶ୍ନ ଉଠିଲା, ସେ ସଦସ୍ୟଙ୍କ ଉପସ୍ଥିତିରେ ପରୀକ୍ଷାରେ କିଭଳି ସ୍ବଚ୍ଛତା ଆସିବ? କମିସନ ଅଧ୍ୟକ୍ଷ ନିର୍ମଳ ମିଶ୍ରଙ୍କ ପାଖରେ ରାଜ୍ୟ ସରକାରଙ୍କର କି ବାଧ୍ୟବାଧକତା ରହିଛି ଯେ ତାଙ୍କୁ ସୁରକ୍ଷା ଦେବା ଲାଗି ସମସ୍ତେ ଆଗଭର ହୋଇ ଉଠିଛନ୍ତି। କେବଳ ସେତିକି ନୁହେଁ, କମିସନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଭିଜିଲାନ୍ସ ପଚରା ଉଚରା କଲା କି ନାହିଁ?
ରିମାଣ୍ଡରେ ନେବା ପରେ ଭିଜିଲାନ୍ସ ଯେଉଁ ତଥ୍ୟ ପାଇଲା, ସେ ନେଇ ତଦନ୍ତ କେତେ ଆଗକୁ ବଢିଲା? କେବଳ ବିରଞ୍ଚି ସାହୁ କଣ ଏତେ ବଡ଼ କେଳେଙ୍କାରୀ ମହାନାୟକ ଥିଲେ? ଏସବୁ ଉପରେ ତଦନ୍ତକାରୀ ସଂସ୍ଥା ନିରବ। ସରକାରଙ୍କ ଅନ୍ୟ ଅଙ୍ଗ କ୍ରାଇମବ୍ରାଞ୍ଚ ଏବେ ଏଥିରେ ସାମିଲ ହେବାର ଆବଶ୍ୟକତା ରହିଛି। ଏହି ଘଟଣାର ଅପରାଧିକ ଦିଗକୁ ଭିଜିଲାନ୍ସ କିଭଳି ତଦନ୍ତ କରିବ? ସରକାର କ୍ରାଇମବ୍ରାଞ୍ଚକୁ ଏହି ଘଟଣାର ତଦନ୍ତ କରିବା ଲାଗି ଦେବାକୁ କାହିଁକି ଚାହୁଁନାହାନ୍ତି। ପୂର୍ବରୁ ଅଭୟ ପାଠକ ଘଟଣାରେ ଉଭୟ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚକୁ ବ୍ୟବହାର କରାଯାଇଥିଲା। ଏ କ୍ଷେତ୍ରରେ କିନ୍ତୁ ବ୍ୟତିକ୍ରମ। କାହା ଇସାରାରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ କେଳେଙ୍କାରୀ ଘଟଣାର ତଦନ୍ତର ଦିଗକୁ ମୋଡି ଦିଆଯାଉଛି, ତାହା ଏବେ ସାଧାରଣରେ ବଡ ପ୍ରଶ୍ନ ଭାବେ ଉଭା ହେଲେଣି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ଓ ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରି ଆସିଛନ୍ତି। କିନ୍ତୁ ଏହି ଘଟଣା, ଯେଉଁଟାକି ପ୍ରତି ପରିବାରରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି, ସେ କ୍ଷେତ୍ରରେ ପ୍ରଶାସନିକ ମନ୍ଥରତା, ସରକାରୀ ତନଘନା ନ ହେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।
ଏହି ମାମଲାରେ ଆଉ ଦୁଇଟି କଥା ମଧ୍ୟ ଆଲୋଚନା ହେଉଛି। ଗୋଟିଏ ମହଲର କହିବା କଥା ହେଉଛି, ସରକାରରେ କାମ କରୁଥିବା ବା ନିଷ୍ପତ୍ତି ନେଉଥିବା ବ୍ୟକ୍ତିମାନେ ଗୋଟିଏ ଗୋଟିଏ ପରିବାରର ସଦସ୍ୟ ନା ନାହିଁ? ସେମାନଙ୍କ ପିଲାମାନେ ଚାକିରି ଅନ୍ବେଷଣ ପ୍ରକ୍ରିୟାରେ ଅଛନ୍ତି ନା ନାହାନ୍ତି? ସେମାନେ ଥରେ ଅଭିଭାବକ ଭୂମିକାରେ ରହି ନିଯୁକ୍ତି ପ୍ରକ୍ରିୟାର ସ୍ବଚ୍ଛତାକୁ ଅବଲୋକନ କରୁନାହାନ୍ତି କାହିଁକି? ଯଦି ସେମାନେ ନିଜ ପିଲାଙ୍କ କ୍ଷେତ୍ରରେ ଏଭଳି ଘଟିଥାନ୍ତା, ତାହାକୁ ସହିଥାନ୍ତେ କି? ଯଦି ହଁ, ତେବେ ଠିକ୍ ଅଛି। ଅନ୍ୟଥା ଏ କ୍ଷେତ୍ରରେ ସେମାନଙ୍କ ନିଦାବିଷ୍ଣୁ ଭୂମିକା ରାଜ୍ୟର ମେଧା ଶକ୍ତି ପ୍ରତି ଏକ ବଡ଼ ଅନ୍ୟାୟ କରୁନି କି?
ଦ୍ବିତୀୟ ଆଲୋଚନାଟି ହେଉଛି, ଓଡ଼ିଶାରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପି ସଭାପତି ସମୀର ମହାନ୍ତିଙ୍କ ଭୂମିିକାକୁ ବି ଦେଖିବାର କଥା। ଏତେ ବଡ଼ ପ୍ରସଙ୍ଗରେ ସେମାନଙ୍କ ତୁଣ୍ଡ ଖୋଲିଲାନି। ଏଭଳି ନେତାଙ୍କୁ ରାଜ୍ୟବାସୀ ଭୋଟ ରାଜନୀତିରେ ଦୂରେଇ ରଖି କିଛି ଭୁଲ କରିନାହାନ୍ତି ବୋଲି ଅଭିଭାବକମାନେ ଖୋଲାଖୋଲି କହିଲେଣି। ଯେତେବେଳେ ରାଜ୍ୟର ଯୁବ ବର୍ଗ ଭବିଷ୍ଯତ ପ୍ରତି ହୋଇଥିବା ଏକ ସାଂଘାତିକ ଷଡଯନ୍ତ୍ର ବିରୋଧରେ ସେମାନଙ୍କ ମୁହଁ ଖୋଲୁନି, ସେବେ ରାଜ୍ୟର କେଉଁ ବଡ଼ ପ୍ରସଙ୍ଗରେ ସେମାନଙ୍କ ତୁଣ୍ଡ ଖୋଲିବ? ସରକାରଙ୍କ ଠାରୁ କେଉଁ ଲାଭ ପାଇବା ଆଶାରେ ସେମାନେ ଏ ପ୍ରସଙ୍ଗରେ କମିସନ ଅଧ୍ୟକ୍ଷ ଓ ସଦସ୍ୟଙ୍କ ବହିଷ୍କାର ଦାବି କରିପାରୁନାହାନ୍ତି? କଂଗ୍ରେସ-ବିଜେପିର ଏହି ବଡପଣ୍ଡାମାନେ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ଦେଇଛନ୍ତି କି? ସେମାନେ ଭବିଷ୍ଯତରେ ବିଜେଡି ସହିତ ମେଣ୍ଟ କରିବାକୁ ଚାହାନ୍ତି ନା ପୂର୍ବରୁ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଭଳି ସରକାରୀ ଦଳରେ ରାତି ଅଧିଆ ଯୋଗଦେବାର ଆଗ୍ରହ ରଖିଛନ୍ତି। କେଉଁସ୍ବାର୍ଥରେ ଏସବୁ ନେତାଙ୍କ ମୁହଁରେ ତୁଣ୍ଡି ବନ୍ଧାଯାଇଛି? ଏହା ବି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।