ପୂର୍ବାପେକ୍ଷା ଦକ୍ଷ ଓ ଅନୁଭବୀ ବିଧାୟକ ଜିତୁଛନ୍ତି
ବିତର୍କର ମାନ ବଢୁନି କି ବିଲ୍ ଆଲୋଚନା ହେଉନି
କଣ ପାଇଁ ଆଗୁଆ ସରିଯାଉଛି ଅଧିବେଶନ
ବାଚସ୍ପତିଙ୍କ କଥା ଶୁଣୁନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କର ବି
ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ଯେତେ ଅଧିକ ଦକ୍ଷ, ଶିକ୍ଷିତ ତଥା ଅନୁଭବୀ ସାଂସଦ ଓ ବିଧାୟକ ନିର୍ବାଚିତ ହୋଇ ଆସିବେ, ଗଣତନ୍ତ୍ର ସେତିକି ଦୃଢ ହେବ ବୋଲି ଗୋଟିଏ ମତ ପ୍ରକାଶ ପାଉଛି । ଏହାପଛରେ ବଡ଼ ଯୁକ୍ତି ହେଉଛି, ପ୍ରତିନିଧିମାନେ ବ୍ୟବସ୍ଥାକୁ ଭଲ ଭାବେ ବୁଝିପାରିବେ, ଯାହା ଦ୍ୱାରା ବ୍ୟବସ୍ଥାରେ କ୍ରିୟାଶୀଳତା ବୃଦ୍ଧିପାଇବ । ବିତର୍କର ମାନ ବଢିବ, ସରକାର ନୀତି ପ୍ରଣୟନ କରିବା ବେଳେ, ସେଥିରେ ଏହାର ଛାପ ଦେଖାଯିବ ।
ଏହି ବିଶ୍ୱାସ ପଛରେ ବାସ୍ତବିକତାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଙ୍କି ମାରିଲେଣି । ସଂସଦ କଥା ଦୂରେ ଥାଉ, ଓଡ଼ିଶା ବିଧାନସଭାକୁ ନିରେଖି ଦେଖିଲେ, ଏକଥା ଯେ କେହି ସହଜରେ ବୁଝିପାରିବେ । ବିଧାନସଭାରେ ବିତର୍କର ମାନ ବଢିଛି କି ଛିଡିଛି, ତାହା ବି ଜଣାପଡିଯିବ ।
ସତ୍ୟ ସମାପ୍ତ ଓଡ଼ିଶା ବିଧାନସଭା ନଭେମ୍ୱର ୧୩ ତାରିଖରେ ଆରମ୍ଭ ହୋଇ ୧୩ ଦିନ ପାଇଁ ଚାଲିଲା । ଆଉ ୧୭ ଦିନ ଅଧିବେଶନ ବସିପାରିଥାନ୍ତା । ଏହାକୁ ନେଇ ୨୮ ତାରିଖରେ ବିଭିନ୍ନ ରାଜନୈତିକ ଦଳ ତମ୍ୱିତୋଫାନ କରିଛନ୍ତି । ଏଥିପାଇଁ ସରକାର ଯେତିକି ଦାୟୀ, ଦଳମତ ନିର୍ବିଶେଷରେ ବିଧାୟକମାନେ କମ ଦୋଷୀ ନୁହଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ସତ୍ତ୍ୱେ ଅଧିକାଂଶ ଶାସକ ଦଳ ବିଧାୟକ ପ୍ରଶ୍ନକାଳ ପରେ ଗୃହରେ ରହିଲେନି । ବିଧେୟକ ପ୍ରଣୟନ ହେଉଛି, ବିଧାନସଭାରେ ବିରୋଧୀଙ୍କ ମୁଖ୍ୟ କାର୍ଯ୍ୟ । ଖାସ୍ ସେଇଥିପାଇଁ ସେମାନେ ନିର୍ବାଚିତ ହୋଇଥାନ୍ତି । ହେଲେ ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ଯେଭଳି ଢଙ୍ଗରେ ଅନୁମୋଦନ କରାଇ ନିଆଗଲା, ତାହା ଇତିହାସରେ ବିରଳ । ଏ ପରିସ୍ଥିତିରେ ଶିକ୍ଷିତ ଯୁବକ ଅଧିକ ସଂଖ୍ୟାରେ ନିର୍ବାଚିତ ହୋଇ ବିଧାନସଭାରେ କି ପରିବର୍ତନ ହେଲା, ତାହା ଏକ ବଡ଼ ବିତର୍କକୁ ଆହ୍ୱାନ କରୁଛି ।
ପରିସଂଖ୍ୟାନ କହୁଛି, ଓଡ଼ିଶା ବିଧାନସଭାରେ ଅନୁଭବୀ ବିଧାୟକଙ୍କ ସଂଖ୍ୟା କିଛି କମ୍ ନାହିଁ । ମାତ୍ର ୧ ପ୍ରତିଶତ ବିଧାୟକ ଅଛନ୍ତି, ଯେଉଁମାନଙ୍କ ବୟସ ୩୦ ବର୍ଷ ତଳେ ରହିଛି । ମାତ୍ର ୧୩ ପ୍ରତିଶତ ବିଧାୟକ ଅଛନ୍ତି, ଯେଉଁମାନଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ସୀମିତ । ଏମାନଙ୍କୁ ଛାଡି ୮୪ ପ୍ରତିଶତ ବିଧାୟକଙ୍କ ବୟସ ୪୧ରୁ ୭୦ ବର୍ଷ ଯାଏ ରହିଛି, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ଜିତିଥିଲେ ବି ବିଭିନ୍ନ କ୍ଷେତ୍ରରେ ସେମାନେ ପ୍ରତିଷ୍ଠିତ । କିଛି ବିଧାୟକ ଲଗାତାର ପାଞ୍ଚ ଥରରୁ ଅଧିକ ଧର ଜିତିଲେଣି । ଏତେ ଲମ୍ୱା ଅନୁଭବ, କାହା ସ୍ୱାର୍ଥରେ ଉପଯୋଗ ହେଲା ।
ଶିକ୍ଷାଗତ ଯୋଗ୍ୟତାକୁ ନିରେଖି ଦେଖିଲେ, ଏ ଚିତ୍ରପଟ୍ଟ ରାଜ୍ୟବାସୀଙ୍କୁ ଆହୁରି ଅଧିକ ଆଘାତ ଦେଇପାରେ । ଓଡ଼ିଶା ବିଧାନସଭାରେ ପାଖାପାଖି ୬୯ ପ୍ରତିଶତ ବିଧାୟକ ଅଛନ୍ତି, ଯେଉଁମାନେ ଗ୍ରାଜୁଏଟ୍ । ମାତ୍ର ୨୯ ପ୍ରତିଶତ ବିଧାୟକଙ୍କ ଯୋଗ୍ୟତା ୫ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏ ରହିଛି । କିଛି ବିଧାୟକଙ୍କ ଯୋଗ୍ୟତା ଏତେ ଅଧିକ ଯେ ସେମାନେ ବିଶ୍ୱବିଦ୍ୟାଳୟରେ ପ୍ରଫେସର ହୋଇପାରିଥାନ୍ତେ । ଅନେକ ଆଇନ ବିଶାରଦ ବି ଗୃହରେ ଅଛନ୍ତି । ହେଲେ ହାତଗଣତି କିଛି ବିଧାୟକଙ୍କୁ ଛାଡିଦେଲେ, ବିଲ୍ ଆଲୋଚନାରେ ଅନ୍ୟମାନେ ଭାଗ ନ ନେବା ସେମାନଙ୍କ ଅନାଗ୍ରହ କାହିଁକି । କିଏ ସେମାନଙ୍କୁ ବାରଣ କରୁଛନ୍ତି । ସେହିପରି ୧୯ ପ୍ରତିଶତ ମନ୍ତ୍ରୀଙ୍କୁ ଛାଡିଦେଲେ ବାକି ୮୧ ପ୍ରତିଶତ ମନ୍ତ୍ରୀ ଗ୍ରାଜୁଏଟ୍ ।
ପରିିସଂଖ୍ୟାନ କିନ୍ତୁ ଆଉ ଦୁଇଟି ଦିଗକୁ ସଙ୍କେତ ଦେଉଛି, ଯାହା ବିଚଳିତ କରିବା ଭଳି । ବିଧାନସଭାରେ କୋଟିପତି ବିଧାୟକଙ୍କ ସଂଖ୍ୟା ବଢିଛି । ଅନୁରୂପ ଭାବରେ ଅପରାଧ ମାମଲା ଥିବା ବିଧାୟକଙ୍କ ସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ୨୦୧୪ ବିଧାନସଭାରେ ୫୨ ଜଣ ବିଧାୟକ ଥିଲେ, ଯେଉଁମାନେ ସେମାନଙ୍କ ସତ୍ୟପାଠରେ ଅପରାଧ ବିବରଣୀକୁ ସ୍ଥାନ ଦେଇଥିଲେ । ଏଥର ଏହି ସଂଖ୍ୟା ୧୧ ପ୍ରତିଶତ ବଢିଛି । ୬୭ ପ୍ରତିଶତ ବିଧାୟକ ମୁକ୍ତ କଣ୍ଠରେ ଘୋଷଣା କରିଛନ୍ତି ଯେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଯାହା ଚିନ୍ତାଜନକ । ବିଧାନସଭାରେ ବିତର୍କ ନହେବା, ବିଶୃଙ୍ଖଳା ବଢିବା ପଛରେ ଏହା କଣ ଏକ କାରଣ କି ।
ଉଲ୍ଲେଖଯୋଗ୍ୟ, ବିଧାନସଭା ଆରମ୍ଭରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସବୁ ବିଧାୟକ ଦଳର ନେତାଙ୍କୁ ଏକ ଚିଠି ଲେଖି ଗୃହରେ ବିଶୃଙ୍ଖଳାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏପରିକି ବିଧାନସଭା ଗୃହର ମଧ୍ୟଭାଗକୁ ଅର୍ଥାତ୍ ତାଙ୍କ ପୋଡିୟମ୍ ସାମ୍ନାକୁ ନ ଆସିବାକୁ ବାରଣ କରିଥିଲେ । ହେଲେ ଏହାର ସାମାନ୍ୟତମ ପ୍ରଭାବ ପଡିଲାନି । ଖୋଦ୍ ମୁଖ୍ୟମନ୍ତ୍ରୀ ନିଜର ଦଳର ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଉପସ୍ଥାନ ନିୟମ କାଢିଥିଲେ । ଏହାକୁ ବି କେହି ଡରିଲେନି ।