ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

କାହା ହାତକୁ ଯିବ ବିଜେଡି ମହିଳା ସଂଗଠନ?

0
  • ଦଳରେ ଏଯାଏ ଅବହେଳିତ ହୋଇ ରହିଛି ମହିଳା ସଂଗଠନ
  • ସରକାରକୁ ସୁରକ୍ଷା ଦେଇପାରିନାହାନ୍ତି ମହିଳା ନେତ୍ରୀ
  • ସଭାପତି ଦୌଡରେ ସରୋଜିନୀ, ଲତିକା, ସ୍ନେହାଙ୍ଗିନୀ
  • ଉପଯୁକ୍ତ ନେତ୍ରୀଙ୍କୁ ଖୋଜିବା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ଲାଗି ପୂରା ଦମରେ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ସଭାପତି ହେବେ। ଦଳର ଆଳଙ୍କରିକ ପଦ ପଦବି ଯେମିତି ଉପସଭାପତି, ସଂପାଦକ ଆଦିରେ କିଏ ରହିବ, ତାହା ବିଶେଷ ଫରକ ରଖେନି। ବିଜେଡି ଇତିହାସରେ ଗତ ୨୦ ବର୍ଷ ମଧ୍ୟରେ ନବୀନଙ୍କୁ ଛାଡି ସଂଗଠନରେ କେହି କିଛି ନିଜର ପ୍ରତିଷ୍ଠା ବା ପ୍ରଭାବ ଦେଖାଇପାରିନାହାନ୍ତି। ଯୁବ ଓ ଛାତ୍ର ସଂଗଠନ କିନ୍ତୁ ଏସବୁ ପଦବି ତୁଳନାରେ ଅଧିକ ପ୍ରଭାବୀ ଭାବେ କାର୍ଯ୍ୟ କରନ୍ତି। ସେ ଅରୁଣ ସାହୁ ହୁଅନ୍ତୁ କି ସଂଜୟ ଦାସବର୍ମା, ଏମାନେ ରାଜ୍ୟ ରାଜନୀତିରେ ବିଶେଷ ଛାପ ରଖିବାରେ ସକ୍ଷମ ହୋଇଛନ୍ତି, ଆଜି ରଖିଥିବା ପଦପଦବି ଲାଗି ନୁହେଁ, ବରଂ ଯୁବ, ଛାତ୍ର ସଂଗଠନକୁ ହାତରେ ରଖି।

ଇତିମଧ୍ୟରେ ବିଜେଡି ଆଇନସେଲ୍, ଶ୍ରମିକ ସେଲ୍ ଏମିତି ଅନେକ ଗଠନ କରାଯାଇଛି। ହେଲେ ଯେଉଁ କଥାକୁ ଦଳ ସ୍ଲୋଗାନ କରି ଆଗକୁ ବଢିଛି, କ୍ରମାଗତ ଭାବେ ସେହି କ୍ଷେତ୍ରଟି ଏବେ ଅବହେଳିତ ହୋଇ ରହିଛି। ଏବଂ ସେଇଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଅପବାଦ ମୁଣ୍ଡାଇଛନ୍ତି। ତାହା ହେଉଛି ମହିଳା ପ୍ରସଙ୍ଗ। ମା’କୁ ସମ୍ମାନ ହେଉଛି ବିଜେଡିର ସ୍ଲୋଗାନ। କିନ୍ତୁ ମହିଳା ସଂଗଠନ ବିଜେଡିରେ ସବୁବେଳେ ଅଣଦେଖା ହୋଇ ରହିଆସିଛି।

ବେଶ୍ କିଛି ବର୍ଷ ଧରି ପ୍ରମିଳା ମଲ୍ଲିକ ଏହି ସଂଗଠନର ନେତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ହେଲେ ଏହି ସମୟରେ ସରକାର ସବୁଠାରୁ ଅଧିକ ମହିଳା ପ୍ରସଙ୍ଗରେ ସମାଲୋଚିତ ହୋଇଛନ୍ତି। ଏପରିକି ବେବିନା ଠାରୁ ଆରମ୍ଭ କରି ଇତିଶ୍ରୀ, ମାଧବୀଲତା, ସ୍ମିତାରାଣୀ ଆଦି ପ୍ରସଙ୍ଗରେ ସରକାର ଯେତେବେଳେ କାଠଗଡାରେ ରହିଛି, ମହିଳା ସଂଗଠନ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁଠାରୁ ଅଧିକ ପ୍ରତାରଣା କରିଛି। ମହିଳା ସଂଗଠନ ଏହି ପ୍ରସଙ୍ଗରେ ସାମ୍ନାକୁ ଆସି ପରିସ୍ଥିତିକୁ ମୁକାବିଲା କରିବା ଲାଗି ସାହସ ଦେଖାଇ ପାରିନାହିଁ। ସତ କଣ, ମିଛ କଣ ଏକଥା ଲୋକଙ୍କ ସାମ୍ନାରେ ରଖିବା ଲାଗି ଚିନ୍ତା ବି କରିନାହିଁ।

ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଥର କ୍ଷମତାକୁ ଆସିବା ପରେ ବି ଯଦି କୌଣସି ପ୍ରସଙ୍ଗରେ ତାଙ୍କ ସରକାର ନାମରେ ସବୁଠାରୁ ଅପବାଦ ଥାଏ, ତାହା ହେଉଛି, ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇ ରହିଛନ୍ତି। ସେମାନଙ୍କ ପ୍ରତି ଅପରାଧିକ ଷଡଯନ୍ତ୍ର ହୋଇଛି। ହେଲେ ମହିଳା ସଂଗଠନ ଗୋଟିଏ ବି ପଦକ୍ଷେପ ନେଇନାହାନ୍ତି। ଏହାସତ୍ତ୍ବେ ସରକାର ଯଦି ପଞ୍ଚମ ଥର କ୍ଷମତାକୁ ଆସିଛି, ସେଥିପାଇଁ ମୁଖ୍ୟତଃ ମହିଳା ଭୋଟ ହିଁ ଦାୟୀ। ଲକ୍ଷେ କି ପାଞ୍ଚଲକ୍ଷ ନୁହେଁ, ପୂରା ୭୦ଲକ୍ଷ ମିସନ ଶକ୍ତି ମହିଳା ନବୀନ ପଟ୍ଟନାୟକଙ୍କୁ ଏହି ନିର୍ବାଚନୀ ବୈତରଣୀ ପାର କରାଇଛନ୍ତି। କେନ୍ଦ୍ର ସରକାରଙ୍କ ସବୁ ଚାପକୁ ସେମାନେ କାଢି ଦେଇ ବିଜେଡି ସହିତ ରହିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ଏବେ ଦଳ ଏକ ତିରୋଟ ସମୟରେ ଗତି କରୁଛି। ମହିଳା ସୁରକ୍ଷା ପ୍ରସଙ୍ଗ ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି। କିଛି ମହିଳା ନେତ୍ରୀ ଦଳ ସପକ୍ଷରେ ଗଣମାଧ୍ୟମରେ ଯୁକ୍ତି କରୁଛନ୍ତି। ହେଲେ ସେମାନେ ନିଜସ୍ବ ଭାବମୂର୍ତିରେ ଅନ୍ୟକୁ ପ୍ରଭାବିତ କରିବା ସ୍ଥିତିକୁ ଆସିନାହାନ୍ତି।ଏଣୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଯଦି ସବୁଠାରୁ ଅଧିକ କେଉଁ କ୍ଷେତ୍ରକୁ ଗୁରୁତ୍ବ ମିଳିବା ଦରକାର, ତାହା ହେଉଛି ମହିଳା ସଂଗଠନ।

ବିଜେଡି ଶିବିରର ଖବର ଅନୁସାରେ, ମହିଳା ସଂଗଠନ ନେତୃତ୍ବ ନେବା ଲାଗି ବିଜେଡିରେ ନେତ୍ରୀ ସଙ୍କଟ ଜଳ ଜଳ। ହାତଗଣତି କିଛି ମହିଳା ନେତ୍ରୀଙ୍କୁ ଛାଡିଦେଲେ, ଅନ୍ୟମାନଙ୍କୁ ଦବାଇବା ଭଳି ଯଥେଷ୍ଟ ଶକ୍ତି ବିରୋଧୀ ଦଳର ରହିଛି। ଗଣମାଧ୍ୟମ ପରଦାରେ ଏକଥା ସମସ୍ତେ ସବୁଦିନ ଅନୁଭବ କରୁଛନ୍ତି। ଏହା ସତ୍ତ୍ବେ ସାଂସଦ ସରୋଜିନୀ ହେମ୍ର୍ବମ୍, ସ୍ନେହାଙ୍ଗିନି ଛୁରିଆ ଓ ଲତିକା ପ୍ରଧାନଙ୍କ ଭଳି ନେତ୍ରୀଙ୍କୁ ବିଜେଡି ମହିଳା ସଂଗଠନ ଦାୟିତ୍ବ ଦେବାକୁ ଚିନ୍ତା କରୁଛି। କୌତୂହଳର କଥା ହେଉଛି, ତିନିଜଣ ଯାକ ମହିଳା ରାଜ୍ୟ ରାଜନୀତିରେ ପ୍ରଭାବ ରଖିବା ଭଳି ସ୍ଥିତିରେ ନାହାନ୍ତି।

ପୂର୍ବରୁ ଦଳ କିଛି ପ୍ରଭାବୀ ମହିଳାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରିସାରିଛି। ଏଣୁ ଏବେ ଦଳ ପାଇଁ ଜଣେ ଦକ୍ଷ ମହିଳା ଖୋଜିପାଇବା ଏକପ୍ରକାର ଚ୍ୟାଲେଞ୍ଜ। ଖାଲି ପାଟି କଲେ ହେବନି, ମହିଳାଙ୍କୁ ପ୍ରଭାବିତ କରିପାରୁଥିବା ଭଳି ଜଣେ ନେତ୍ରୀ ଦରକାର, ଯିଏ ଏହି ସଂଗଠନକୁ ହାତରେ ରଖିପାରିବେ। ଅନ୍ୟଥା ସବୁଦିନ ଯେ ମିସନ ଶକ୍ତି ସହିତ ଯୋଡିହୋଇଥିବା ମହିଳା ବିଜେଡି ହାତରେ ରହିବେ ଏ ଗ୍ୟାରେଣ୍ଟି ଦେଇ ହେବନାହିଁ।

ବିଜେପି ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ନଜର ପକାଇଛି। ଉପରସ୍ତରରେ କିଛି ନ କରି ସେମାନେ ଗାଁ ଗଣ୍ଡାରେ ଏଭଳି ଗୋଷ୍ଠୀକୁ ନିଜ ସପକ୍ଷକୁ ନେବାକୁ କସରତ ଆରମ୍ଭ କରିଛନ୍ତି। ଏପରିସ୍ଥଳେ ବେଳ ଥାଉ ଥାଉ ଯଦି ନବୀନ ପଦକ୍ଷେପ ନ ନେବେ, ଯେ କୌଣସି ମହିଳାଙ୍କୁ ସଂଗଠନ ଦାୟିତ୍ବ ଦେଇ ବିରୋଧୀଙ୍କୁ ମାତ୍ ଦେବାକୁ ଚାହୁଁଥିବେ, ତେବେ ଷଷ୍ଠ ପାଳି ହୁଏତ ତାଙ୍କ ପାଇଁ କାଠିକର ହୋଇପାରେ। ଯେଉଁ ମହିଳାଙ୍କ ଭୋଟ ତାଙ୍କୁ ଏତେ ବଡ଼ ପ୍ରତିଷ୍ଠା ଦେଇଛି,ସେମାନେ ବିରୋଧୀ ଭୂମିକାକୁ ଆସିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

Leave A Reply

Your email address will not be published.