ବଜାର ଉପରେ ନିୟନ୍ତ୍ରଣ ହରାଇଲେ
- ୫ ବର୍ଷରେ ସବୁଠାରୁ ଖରାପ ସ୍ଥିତିରେ ଖୁଚୁରା ବଜାର
- ପନିପରିବା ଦର ଆୟତ୍ତ ବାହାରେ, ମାଛ,ମାଂସ, ଡାଲି ବି
- ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଅର୍ଥନୀତି ସଙ୍କଟକୁ ଚାଲିଗଲାଣି
ନୂଆଦିଲ୍ଲୀ:ମାଛ ଓ ମାଂସ କ୍ଷେତ୍ରରେ ମୁଦ୍ରାସ୍ପୀତି ହାର ୯.୫୭ % ବୃଦ୍ଧି ଘଟିଛି। ଅଣ୍ଡା ଦରରେ ଏହି ବୃଦ୍ଧିର ପରିମାଣ ଥିଲା ୮.୭୯ % । କ୍ଷୀର ଜାତୀୟ ସାମଗ୍ରୀ କ୍ଷେତ୍ରରେ ଏହାର ପରିମାଣ ୪.୨୨ ପ୍ରତିଶତ ହୋଇଥିବା ବେଳେ ଫଳରେ ୪.୪୫ % , ତେଲ ଆଦିରେ ୩.୧୧ % ବୃଦ୍ଧି ଘଟିଛି। ପରିବାର ଦର କିନ୍ତୁ ଏହା ବଢିଛି ପାଖାପାଖି ୬୦.୫ % ।
ଦେଶରେ ଆର୍ଥିକ ମାନ୍ଦାବସ୍ଥାର ସାଂଘାତିକ ପ୍ରଭାବରେ ଲୋକେ ଯେତେବେଳେ ନାହିଁ ନଥିବା ଦୁର୍ଦଶା ଭିତରେ ଗତି କରୁଛନ୍ତି, ଠିକ୍ ସେତିକି ବେଳେ ଏମିତି ଢଙ୍ଗରେ ବଜାର ହୁଗୁଳିଯାଇଛି। ମହଙ୍ଗା ହୋଇଛି ପନିପରିବା, ଖାଦ୍ୟ ସାମଗ୍ରୀ।ଦରଦାମର ଏଭଳି ବେଲଗାମ୍ ସ୍ଥିତି ଅର୍ଥନୀତିଜ୍ଞମାନଙ୍କୁ ବିଚଳିତ କରିଦେଇଛି। ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ୨୦୧୯ ଡିସେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ୭.୩୫ % ରେ ପହଞ୍ଚିଛି, ଯାହା ଗତ ପାଞ୍ଚବର୍ଷରେ ସର୍ବାଧିକ। ଆହୁରି ସରଳ ଭାବରେ କହିଲେ, ଏଭଳି ସ୍ଥିତି ଗତ ପାଞ୍ଚବର୍ଷ ମଧ୍ୟରେ କେବେ ବି ଲୋକେ ସାମ୍ନା କରିନଥିଲେ।
କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହାକୁ ନିରେଖି ଦେଖିଲେ, ସୂଚନା ମିଳୁଛି ଯେ ଡିସେମ୍ବର ମାସରେ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ ଭଳି ସ୍ଥିତିକୁ ଚାଲିଯାଇଥିଲା। ଡିସେମ୍ବର ମାସରେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦର ବହୁତ ବଢ଼ିଥିଲା। ସେଥିପାଇଁ ଖାଦ୍ୟ ମୁଦ୍ରାସ୍ଫୀତି ହାର ୧୪.୧୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ୨୦୧୮ରେ ଏହି ହାର ଶୂନ ପ୍ରତିଶତରୁ ମଧ୍ୟ କମ୍ ଥିଲା। ପନିପରିବାଗୁଡ଼ିକର ଦରରେ ଗତ ଡିସେମ୍ବରରେ ୬୦.୫% ଭଳି ବୃଦ୍ଧି ଘଟିଛି। ନଭେମ୍ବର ମାସରେ ସେହି ସାମଗ୍ରୀଗୁଡ଼ିକର ଦର ୩୬% ବଢ଼ିଥିଲା। ହାଉସିଂ ମୁଦ୍ରାସ୍ଫୀତି ହାର ୪.୩୦% ସ୍ତରକୁ ଖଓିଯାଇଛି। ଫସଲ ମୁଦ୍ରାସ୍ଫୀତି ୪.୩୬% ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଡାଲି ମୁଦ୍ରାସ୍ଫୀତି ହାର ୧୫.୪୪ ପ୍ରତିଶତ ହୋଇଯାଇଛି। ପୋଷାକ ଓ ଜୋତାର ଖୁଚୁରା ମୁଦ୍ରାସ୍ଫୀତି ହାର ୧.୫୦% ରହିଛି।
ଅର୍ଥନୀତିଜ୍ଞମାନଙ୍କର କହିବା କଥା ହେଉଛି, ରିଜର୍ଭ ବ୍ୟାଙ୍କ ସାମ୍ନାରେ ଏ ସଂକ୍ରାନ୍ତରେ ଯେଉଁ ଲକ୍ଷ୍ୟ ରହିଥିଲା ତାହା ହାସଲ ହୋଇପାରିନାହିଁ। କାରଣ ମୁଦ୍ରାସ୍ପୀତି ହାରକୁ ୪ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଡିସେମ୍ବରରେ କିନ୍ତୁ ଏହା ରେକର୍ଡ ଛୁଇଁଛି। ଗତ ଅଗଷ୍ଟ ମାସରୁ ଏହି ଲକ୍ଷଣ ଦେଖାଗଲାଣି। କିନ୍ତୁ ଏ କ୍ଷେତ୍ରରେ ସୁଧାର ଆଣିବା ସମ୍ଭବ ହୋଇପାରିନାହିଁ। ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ଏହି ହାରକୁ ବିଚାରକୁ ନେଇ ଦୁଇଟି ବଡ ପଦକ୍ଷେପ ନେଇଥାନ୍ତି। ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ ବା ବୃଦ୍ଧି କରିଥାଏ। ସେପଟେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ କେନ୍ଦ୍ର ସରକାର ଏହି ହାରକୁ ବିଚାରକୁ ନେଇ ଧାର୍ଯ୍ୟ କରିଥାନ୍ତି।