ପ୍ରମୁଖ ଖବର

ଭୁବନେଶ୍ବର: ତଳସରା ବିଧାୟକ ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ
ନୂଆ ଆୟକର ବ୍ୟବସ୍ଥାରେ ବଦଳିଲା ଛାଡସୀମା, ପୁରୁଣା ବ୍ୟବସ୍ଥାରେ ଅପରିବର୍ତ୍ତିତ, ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫୦୦୦କୁ ବୃଦ୍ଧି
୧୫ ପ୍ରତିଶତ ସୀମା ଶୁଳ୍କ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା: ଶସ୍ତା ହେବ ସୁନା, ରୂପା, କ୍ୟାନ୍ସର ଔଷଧ, ମୋବାଇଲ
ଏଥର ବଜେଟ୍ ରେ ନୂଆ ଚାକିରିଆଙ୍କ ପାଇଁ ଖୁସି ଖବର, ତିନୋଟି କିସ୍ତିରେ ମିଳିବ ୧୫ ହଜାର

ଋଣ ଛାଡ: ଚାଷୀ ସ୍ବାର୍ଥରେ ନା ନେତାଙ୍କ ସ୍ବାର୍ଥରେ

0
  • ମହାରାଷ୍ଟ୍ରରେ ସର୍ବାଧିକ ଋଣ ଛାଡ ହୋଇଛି, ଦ୍ବିତୀୟରେ କର୍ଣ୍ଣାଟକ ସରକାର
  • ଚାଷୀଙ୍କ ପାଇଁ କାଳିଆ କି ପିଏମ୍ କିଷାନ ବି ସମାଧାନର ରାସ୍ତା ନୁହେଁ
  • ଚାଷୀଙ୍କ ସ୍ଥିତି ଓ ସରକାରଙ୍କ ଯୋଜନା ମଧ୍ୟରେ ଯୋଜନ ଯୋଜନ ଦ୍ବରତ୍ବ


ଭୁବନେଶ୍ବର: ଶହେ କି ହଜାରେ ନୁହେଁ, ଗତ ୬ବର୍ଷ ଭିତରେ ବିଭିନ୍ନ ରାଜ୍ୟ ପାଖାପାଖି ୩ଲକ୍ଷ କୋଟି ଟଙ୍କାର କୃଷି ଋଣ ଛାଡ କରିଛନ୍ତି। ଯଦି ଏହି ସମୟସୀମାକୁ ୧୦ବର୍ଷକୁ ବଢାଇ ଦିଆଯାଏ, ତେବେ ଏହାର ପରିମାଣ ୪ଲକ୍ଷ ୭୦ ହଜାର କୋଟି ଟଙ୍କାକୁ ଛୁଇଁବ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ପ୍ରାୟ ୪ଲକ୍ଷ କୋଟି ଟଙ୍କାର ଋଣ ଛାଡ କରାଯାଇଥିଲା।

ଏସବୁ ପରିସଂଖ୍ୟାନ, କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ କେତେ ଚାଷୀ ମନସ୍କ ଅଛନ୍ତି। ହେଲେ ଦେଶରେ ଏବେ ବି କାହିଁକି ଚାଷୀ ଆତ୍ମହତ୍ୟା କମୁନାହିଁ? କାହିଁକି ଚାଷୀ ଆର୍ଥିକ ଦୁଃସ୍ଥିତି ଭିତରୁ ବାହାରି ପାରୁନାହିଁ? କାହିଁକି ବଜାରରେ ପରିବା ବା ଖାଦ୍ୟଶସ୍ୟ ମୂଲ୍ୟରେ ସ୍ଥିରତା ଆଣିବା ଦିଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଫଳ ହେଉଛନ୍ତି?

ଋଣ ପ୍ରଦାନ ସଂକ୍ରାନ୍ତରେ ଏସବିଆଇ ପକ୍ଷରୁ ରିସର୍ଚ ରିପୋର୍ଟ ଜାରି କରାଯିବା ପରେ ଏଭଳି ଅନେକ ପ୍ରଶ୍ନ ଯେ କୌଣସି ବ୍ୟକ୍ତିକୁ ଆନ୍ଦୋଳିତ କରିବା ସ୍ବାଭାବିକ। ବାସ୍ତବରେ କେବଳ ଚାଷୀ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ନା ଏହାର କୌଣସି ବିକଳ୍ପ ରାସ୍ତା ଥିଲା, ତାହା ଏବେ ବିତର୍କର ବିଷୟ ହୋଇଛି।

ସବୁସ୍ତରରୁ ଚାପ ପରେ ବି ଓଡ଼ିଶା ସରକାର କୃଷି ଋଣ ଛାଡ ନ କରି ଚାଷୀଙ୍କ ଜୀବନ ଜୀବିକାର ବିକାଶ ପାଇଁ କାଳିଆ ଯୋଜନା ଘୋଷଣା କରିଥିଲେ। ଏହା ପୂର୍ବରୁ ତେଲେଙ୍ଗାନା ସରକାର ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଓଡ଼ିଶାକୁ ନକଲ କଲାଭଳି କେନ୍ଦ୍ର ସରକାର ପିଏମ୍ କିଷାନ କାର୍ଯ୍ୟକ୍ରମ ହାତକୁ ନେଲେ। କୃଷି ଋଣ ଠାରୁ ଏହା ଭଲ ନା ନାହିଁ, ତାହା ମଧ୍ୟ ବିତର୍କ ଭିତରେ ସାମିଲ ହେବା ଉଚିତ୍।

କେଉଁଠି ନା କେଉଁଠି ସମସ୍ତେ ଗୋଟିଏ କଥା ପରୋକ୍ଷରେ ସ୍ବୀକାର କରୁଛନ୍ତି ଯେ ଭାରତବର୍ଷରେ ଚାଷୀର ସ୍ଥିତି ଭଲ ନାହିଁ। ବା ଚାଷକୁ ନେଇ ଜଣେ ଅତି ବଡ଼ ବିତ୍ତଶାଳୀ ଅଥବା ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ମୁଣ୍ଡ ଟେକିବା ସମ୍ଭାବନା କ୍ଷୀଣ। କେମିତି ନ ହେବ, ହଜାର ହଜାର କୋଟି ଟଙ୍କା କୃଷି ଋଣ ଛାଡ କରି ଲୋକପ୍ରିୟତା ଅର୍ଜନ କରିଥିବା ସରକାରମାନେ ନିଜ ରାଜ୍ୟରେ ନା ପର୍ଯ୍ୟାପ୍ତ ଶୀତଳଭଣ୍ଡାର ସୃଷ୍ଟି କରିପାରିଛନ୍ତି ନା କୃଷି ପ୍ରକ୍ରିୟାକରଣ ଶିଳ୍ପ। ଯେଉଁ ସବୁ ସାମଗ୍ରୀ ଉତ୍ପାଦନ ହେଉଛି, ତାର ବଜାର ସୃଷ୍ଟି କରିବାରେ ସରକାର ଯେଭଳି ବିଫଳ, ଠିକ୍ ସେମିତି କେଉଁ ଜମିରେ ନିର୍ଦିଷ୍ଟ ଭାବେ କି ଚାଷ କଲେ ଅଧିକ ଉତ୍ପାଦନ ହେବ ଓ ତାହାର ବଜାର କରାଯାଇପାରିବ, ସେକଥା ବୁଝାଇବାଭଳି ପରିସ୍ଥିତିରେ କୃଷି ବିଭାଗ ନାହିଁ। ଜମିକୁ ଜଳସେଚନ, ସାର, ବିହନ ଠିକ୍ ସମୟରେ ଯୋଗାଇ ଦେବା, ଚାଷୀକୁ ଉନ୍ନତ କୃଷି ପ୍ରଣାଳୀ ସଂପର୍କରେ ଅବଗତ କରିବା କ୍ଷେତ୍ରରେ ସରକାରୀ ବିଫଳତା ଜଳ ଜଳ ହୋଇ ଦିଶୁଛି।

ଏଇଥିପାଇଁ ଯେ କେନ୍ଦ୍ର ସରକାର ଆରମ୍ଭ କରିଥିବା କୃଷି ବିଜ୍ଞାନ କେନ୍ଦ୍ର ବ୍ୟବସ୍ଥା ଏବେ ଫାଇଲ, କାଗଜ ଭିତରେ ରହିଗଲା। ଏସବୁ କେନ୍ଦ୍ରରେ କୃଷି ବୈଜ୍ଞାନିକ ଅଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ଏମାନେ କେଉଁ ଚାଷୀକୁ ପ୍ରଭାବିତ କରି ପ୍ରତିଷ୍ଠିତ କରିପାରିଛନ୍ତି, ସେମିତି ଗୋଟିଏ ଉଦାହରଣ ନେଇ ଏଯାଏ ଆସିନାହାନ୍ତି। ରାଜ୍ୟ ସରକାର କୃଷି ବୈଜ୍ଞାନିକ ସୃଷ୍ଟି କରିବା ବା ଏ କ୍ଷେତ୍ରରେ ଗବେଷଣା କରିବା ଲାଗି ଯେତିକି ସମ୍ବଳ ବିନିଯୋଗ କରିବା କଥା ତାହା ଏଯାଏ ଦେଖାଯାଇନାହିଁ। କୃଷି ମନ୍ତ୍ରୀମାନଙ୍କ ମଧ୍ୟରେ ଆବେଗର ଅଭାବ କାରଣରୁ ଚାଷୀର ଦୁଃଖ ସେମାନଙ୍କୁ ପ୍ରଭାବିତ କରିପାରୁନାହିଁ।

ଓଡ଼ିଶା ଭଳି ରାଜ୍ୟରେ କୃଷି ବିଭାଗ, ସମବାୟ ବିଭାଗ, ଜଳସେଚନ ବିଭାଗ, ଖାଦ୍ୟ ଯୋଗାଣ ବିଭାଗ ତଥା ପଶୁସଂପଦ ବିଭାଗ ମଧ୍ୟରେ ଯେ ସର୍ବନିମ୍ନ ସମନ୍ବୟ ନାହିଁ, ଏକଥା କଣ ବୁଝିବାକୁ ଆଉ କାହାକୁ ବାକି ଅଛି। କୃଷି ଉତ୍ପାଦନ କମିସନର ଏସବୁ ବିଭାଗ ମଧ୍ୟରେ ସମନ୍ବୟ ଆଣି ଚାଷୀ ଓ ଚାଷର ବିକାଶ ଲାଗି ଯେଉଁ ଠୋସ୍ ପଦକ୍ଷେପ ନେବା କଥା ତାହା ନେଇପାରିଲେଣି। ଏଇଥିପାଇଁ ହୋଇପାରୁନାହିଁ, ତାର କାରଣ ହେଉଛି, ରାଜ୍ୟ ସରକାର ହେଉ ବା କେନ୍ଦ୍ର ସରକାର ନିର୍ବାଚନ ବେଳେ ଚାଷୀଙ୍କୁ ନେଇ ଯେଭଳି ଚିନ୍ତାପ୍ରକଟ କରୁଛନ୍ତି, ଯଦି କ୍ଷମତାକୁ ଆସିବା ପରେ ଟିକେ ଚାଷ ମନସ୍କ ହୁଅନ୍ତେ, ତେବେ ଭୋଟ ବ୍ୟାଙ୍କ ତ ପ୍ରଭାବିତ ହୁଅନ୍ତା ନାହିଁ, ଋଣ ପ୍ରଦାନ ଜରିଆରେ ନିଜର ଆର୍ଥିକ ସ୍ଥିତିକୁ ବିଗାଡି ଦିଅନ୍ତେ ନାହିଁ।

ଚାଷୀକୁ ଋଣ ଛାଡ଼ କରାଯାଉ କିମ୍ବା ତାର ଜୀବନ ଜୀବିକାର ବିକାଶ ପାଇଁ ଅର୍ଥ ପ୍ରଦାନ କୌଶଳ, ଉଭୟ ସମାଧାନର ରାସ୍ତା ଆଦୌ ନୁହେଁ। ପ୍ରଥମ ଘଟଣାରେ ଋଣ ନେଉଥିବା ଅଧିକାଂଶ ବ୍ୟକ୍ତି ଚାଷୀ ନୁହଁନ୍ତି ବା ଚାଷ କରନ୍ତି ନାହିଁ। ଦ୍ବିତୀୟ ଘଟଣାରେ ମିଳୁଥିବା ଅର୍ଥ ଜମି କ୍ଷେତକୁ ଯାଏନାହିଁ, ବରଂ ଅନ୍ୟ ଦିଗରେ ଖର୍ଚ୍ଚ ହୁଏ। ଉଭୟ ଘଟଣାରେ ସରକାର ଚାଷୀ ହାତକୁ ଅର୍ଥ ଦେବା ପରିବର୍ତେ ଯଦି ଚାଷୀ ହାତପାଆନ୍ତାରେ ଭିତ୍ତିଭୂମି ଯୋଗାଇ ପାରନ୍ତେ, ତେବେ ଚାଷର ଚିତ୍ର ଆଜି ଅଲଗା ହୁଅନ୍ତା। କେବଳ ଧାନ ଚାଷ ପରିବର୍ତେ ଅର୍ଥକରୀ ଫସଲ ପ୍ରତି ଚାଷୀଙ୍କୁ ମନାଯାଇପାରିଲେ, ରାଜ୍ୟର ଅର୍ଥନୀତିର ଚିତ୍ର ଆଉ ଟିକିଏ ଉଜ୍ଜଳ ଦେଖାଯାଉଥାନ୍ତା।

ଏଠାରେ ପ୍ରକାଶଥାଉକି, ୨୦୧୪-୧୫ରେ ଆନ୍ଧ୍ର ସରକାର ୨୪ ହଜାର କୋଟି ଟଙ୍କା ଓ ତେଲେଙ୍ଗାନା ସରକାର ୧୭,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ। ୨୦୧୬-୧୭ରେ ତାମିଲନାଡୁ ୫୨୮୦ କୋଟି ଟଙ୍କା, ୨୦୧୭-୧୮ରେ ମହାରାଷ୍ଟ୍ର ୩୪,୦୨୦ କୋଟି ଟଙ୍କା, ଉତ୍ତର ପ୍ରଦେଶ ୩୬,୩୬୦ କୋଟି ଟଙ୍କା, ପଞ୍ଜାବ ୧୦,୦୦୦ କୋଟି ଟଙ୍କା ଓ କର୍ଣ୍ଣାଟକ ୧୮ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ। ୨୦୧୮-୧୯ରେ କର୍ଣ୍ଣାଟକ ଆଉ ୪୪ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ ବିଷୟରେ ଘୋଷଣା କରିଥିଲା। ସେହିବର୍ଷ ରାଜସ୍ଥାନ ୧୮ ହଜାର କୋଟି ଟଙ୍କ, ମଧ୍ୟ ପ୍ରଦେଶ ୩୬,୫୦୦ କୋଟି ଟଙ୍କା, ଛତିଶଗଡ଼ ୬୧୦୦ କୋଟି ଟଙ୍କା ଓ ମହାରାଷ୍ଟ୍ର ୫୧ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲା।

Leave A Reply

Your email address will not be published.