ଭୁବନେଶ୍ବର: କରୋନା ମାଡ଼ ଏତେ ନିର୍ଘାତ ଯେ ଏହା କେବଳ ଧନ, ଜନ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରିଛି ତା ନୁହେଁ, ରାଜନୀତିକୁ ବି ଅଟକାଇ ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହାଦ୍ବାରା ଢେର୍ ପ୍ରଭାବିତ ହୋଇଛନ୍ତି। ଏଇ ଯେମିତି, ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳରେ ମୁଖିଆ ଅଛନ୍ତି, ଆଉ କେହି ନାହାନ୍ତି। ବିଜେଡିରେ ଯାହା, ବିଜେପି ଓ କଂଗ୍ରେସ ସ୍ଥିତି ବି ସେମିତି। ଏହାର ପ୍ରଭାବ ସାଂଗଠନିକ ବିକାଶ ବା ସମୃଦ୍ଧିକୁ କିଛି ମାତ୍ରାରେ ଅଟକାଇ ଦେଇଥାଇପାରେ, କିନ୍ତୁ ନେତାଙ୍କ ମନରେ ସୁଖ ନ ଥିବା କାରଣରୁ କରୋନା ଭଳି ବିପର୍ଯ୍ୟୟ ସମୟରେ ରାଜନୈତିକ ସକ୍ରିୟତା ଯେଭଳି ଦେଖାଯିବା କଥା ତାହା ପରିଲକ୍ଷିତ ହେଉନାହିଁ।
ପ୍ରଥମେ ଯଦି ବିଜେଡି କଥା ଆଲୋଚନା କରିବା, ଫେବ୍ରୁଆରି ୨୬ ତାରିଖରେ ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକ ଦାୟିତ୍ବ ନେଇଥିଲେ। ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ଏହା ଥିଲା ଶେଷ ସୋପାନ। ଏହା ପରେ ପରେ ନବୀନ ମାର୍ଚ୍ଚ’ ୫ ତାରିଖରେ ସବୁ ସଂଗଠନ ମୁଖିଆ ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନିଯୁକ୍ତି ଦେଲେ। ହେଲେ ସେତିକିରେ ବିଜେଡି ସାଂଗଠନିକ କର୍ମକର୍ତା ଚୟନ ପ୍ରକ୍ରିୟା ଅଟକିଯାଇଛି। ମହିଳା, ଯୁବ, ଛାତ୍ର, ଶ୍ରମିକ ଆଦି ଛାମୁଆ ସଂଗଠନ ଚୟନ ହୋଇପାରିନି। ସଭାପତିଙ୍କୁ ସହଯୋଗ କରିବା ଲାଗି ଜଣେ ବି ଉପସଭାପତି ନାହାନ୍ତି କି ସାଧାରଣ ସଂପାଦକ ବା ସଂପାଦକ। ଏଣୁ ନବୀନ ଯେଉଁ ନିର୍ଦେଶ ଦେଉଛନ୍ତି, ସେଥିରୁ କିଛି ପାଳନ ହେଉଛି,, ଆଉ କିଛି ଶୁଣୁନାହାନ୍ତି। ସରକାରରେ ନବୀନଙ୍କର ସକ୍ରିୟତାକୁ ଅଧିକ ଅଧିକ କ୍ରିୟାଶୀଳ କରିବା ଲାଗି ଦଳ ପାଖରେ କୌଣସି ସୁଯୋଗ ନାହିଁ।
ବିଜେପି ସ୍ଥିତି ବି ସମାନ। ଉପସଭାପତି ସମୀର ମହାନ୍ତି ରାଜ୍ୟ ସଭାପତି ପଦକୁ ଉନ୍ନୀତ ହେବା ପରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ତାଙ୍କ ପାରିଷଦ ବର୍ଗ ଚୟନ ପ୍ରକ୍ରିୟା ଅଟକିଯାଇଛି। ଏପରିକି ବିଜେପିର ବଡ଼ ଅସ୍ତ୍ର ବୋଲି କୁହାଯାଉଥିବା ସୋସିଆଲ ମିଡିଆରେ ବି ଦଳର ସକ୍ରିୟତା ଯଥେଷ୍ଟ ପ୍ରଭାବିତ ହୋଇଛି। ଏକଥା ନୁହେଁ ଯେ ନେତାମାନେ ଲକଡାଉନ୍ ଭାଙ୍ଗି ଲୋକଙ୍କ ପାଖରେ ରାଜନୀତି କରିଥାନ୍ତେ,କିନ୍ତୁ ନିଜ ଅନୁଗାମୀକୁ ଧରି ସରକାରୀ ପ୍ରକ୍ରିୟାରେ ପରୋକ୍ଷ ଭାଗିଦାରୀ କରିବା ଲାଗି ଅନେକ ସୁଯୋଗ ଥିଲା। ସାମାଜିକ ଦୂରତ୍ବ ରକ୍ଷା କରି ଦଳ ସେଭଳି ଆଖିଦୃଶିଆ ଉପସ୍ଥିତି ଜାହିର କରିପାରିନି।
ଯୁବ, ମହିଳା, କୃଷକ ସଂଗଠନ ଆଦି ନେତୃତ୍ବ ବିହୀନ ହୋଇଥିବା କାରଣରୁ କରୋନା ଭଳି ସଙ୍ଗିନ୍ ସମୟରେ ବି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଭିତରେ ଯେଉଁ ଫାଙ୍କ ରହିଛି, ତାକୁ ସାମ୍ନାକୁ ଅଣାଯାଇପାରୁନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଏଥିରେ ପୂର୍ବରୁ ଟିକେ ପ୍ରଭାବ ରଖୁଥିଲା। ହେଲେ ଏ ପାଳିରେ ଶ୍ରୀ ପ୍ରଧାନ କେନ୍ଦ୍ରରେ ଅଧିକ ସକ୍ରିୟ ଅଛନ୍ତି। ଏବେ ତ ଲକଡାଉନ ସମୟରେ ରାଜ୍ୟକୁ ଆସିବା ସମ୍ଭାବନା ବି ନାହିଁ। ଧର୍ମେନ୍ଦ୍ରଙ୍କ ଉପସ୍ଥିତି ବେଳେ ଯେଉଁ ନେତାମାନେ ପ୍ରତିକ୍ରିୟାଶୀଳ ହୋଇପଡୁଥିଲେ, ସେମାନେ ବି ଚଳଚଞ୍ଚଳ ନାହାନ୍ତି।
ନିରଞ୍ଜନ ପଟ୍ଟନାୟକ ସଭାପତି ପଦରେ ରହିବେ ବୋଲି କଂଗ୍ରେସ ହାଇକମାଣ୍ଡ ସ୍ପଷ୍ଟ କରିଦେଇଛନ୍ତି। ଦଳର ଗୋଟିଏ ଗୋଷ୍ଠୀ ତାଙ୍କୁ ବିଦା କରିବା ଲାଗି ଢେର୍ କସରତ ଚଳାଇଥିଲେ। ନୂଆ ନେତୃତ୍ବ ବି ବାଛି ଦେଇ ବିଧାୟକ ମହମ୍ମଦ ମୋକିମଙ୍କୁ ସାମ୍ନାକୁ ଆଣିଥିଲେ। ହେଲେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଦେଇଗଲେ ଯେ ନିରଞ୍ଜନ ବଦଳିବେ ନାହିଁ। ନିରଞ୍ଜନ ସିନା ରହିଗଲେ, ଏବେ କିନ୍ତୁ ତାଙ୍କ ସହଯୋଗୀ କେହି ନାହାନ୍ତି। ଏ ସଂକ୍ରାନ୍ତ ଚୟନ ପ୍ରକ୍ରିୟା ଅଟକିଯାଇଛି। ଉପସଭାପତି, ସାଧାରଣ ସଂପାଦକ, ମାଳ ମାଳ ସଂପାଦକ ତାଲିକା ତିଆରି ହୋଇପାରିନାହିଁ। ଫଳରେ କଂଗ୍ରେସ ଶିବିର ବି ନିଶ୍ଚଳ ପ୍ରାୟ ପଡ଼ିରହିଛି।
ଲକଡାଉନ କଟକଣା ଏଭଳି ନିଯୁକ୍ତିକୁ ଅଟକାଇବ କାହିଁକି? ଦେଶରେ ଭିଡିଓ କନଫରେନ୍ସିଂରେ ଏତେ କଥା ହେଉଛି। ରାଜନୈତିକ ଦଳର ନେତାମାନେ ଏଭଳି ବୈଷୟିକ ବିଦ୍ୟା ଆପଣାଇବାରେ ଅସୁବିଧା କେଉଁଠି? କେବଳ ବିଜେଡିରେ ଅମଲା ପ୍ରଭାବ ନେଇ ଆଙ୍ଗୁଠି ଦେଖାଉଥିବା ବିଜେପି ଓ କଂଗ୍ରେସ ଆଉ କଣ ଅଧିକ କଲେ କି?
ଲକଡାଉନ୍ କେବେ କୋହଳ ହେବ, ତାହା ଅଲଗା କଥା। କିନ୍ତୁ ରାଜନୈତିକ ନେତା ନିଯୁକ୍ତି ବିଳମ୍ବ ହେଲେ ଗାଣତାନ୍ତ୍ରିକ ବିଚାରଧାରା ଓ ମତ ମନ୍ତବ୍ୟ, ଠିକ୍ ଭୁଲ ବିଚାର ପ୍ରକ୍ରିୟା ଅନେକାଂଶରେ ପ୍ରଭାବିତ ହେବାର ଭୟ ରହିଛି। ଅନେକ ମତ ଆସିଲେ ତ ଶ୍ରେଷ୍ଠ ମତକୁ ଗ୍ରହଣ କରାଯାଇପାରିବ। ଯଦି ଏଥିରେ ମାସ୍କ ଲାଗିବ, ନେତାଙ୍କୁ କ୍ବାରାଣ୍ଟିନ ଭଳି ରଖାଯିବ, ଏଠି କରୋନା ରୂପକ ଭୁତାଣୁ କମିବନି, ବରଂ ଆଗକୁ ଅଧିକ ସଂକ୍ରମିତ କରିବ ଓ ନେତୃତ୍ବ ବିରୋଧରେ ଶକ୍ତି ଯୋଗାଡ଼ କରିବା ଲାଗି ସୁଯୋଗ ଆଣିପାରେ। ଗଣତନ୍ତ୍ରକୁ ନିର୍ବଳ କରିଦେବା ସମ୍ଭାବନାକୁ ବି ଏଡ଼ାଇ ଦେଇ ହେବନାହିଁ।