ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କଥା ଦେଇଥିଲେ ଫେରିବେ; ହେଲେ ବାହୁଡିଗଲେ ବିଜୟ

0

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ଅସୁସ୍ଥ ଅବସ୍ଥାରେ ସହଯୋଗୀଙ୍କୁ କହିଥିଲେ, ଫେରିଲେ ଡ୍ରାମା କରିବା। ଫିଲ୍ମ କରିବା। ଆଉ ଫେରିଲେନି। ବରଂ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି। ଓଡ଼ିଶାର ଲକ୍ଷ ଲକ୍ଷ ସିନେ ପ୍ରେମୀଙ୍କ ଆଖିକୁ ଲୁହରେ ଭିଜାଇ ସେ ସବୁଦିନ ପାଇଁ ଇହଧାମ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଶ୍ରୀ ମହାନ୍ତି ଆଜି ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତି ୯ଟାରେ ଡାକ୍ତର ତାଙ୍କର ପରଲୋକ ସଂକ୍ରାନ୍ତ ଦୁଃଖଦ ଖବର ଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା।

ଏହି ଖବର ପ୍ରଚାରିତ ହେବା ପରେ ଦେଶ ବିଦେଶରେ ଥିବା ଓଡ଼ିଆ ସିନେ ପ୍ରେମୀଙ୍କୁ ଗଭୀର ଆଘାତ ଲାଗିଛି। ତାଙ୍କର ପ୍ରିୟ ଅଭିନେତାଙ୍କ ଅବର୍ତ୍ତମାନକୁ ସେମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ସୋସିଆଲ ମିଡ଼ିଆରେ ଶୋକର ସୂଅ ଛୁଟିବାରେ ଲାଗିଛି। ଚରିତ୍ର ଅଭିନେତା, ଖଳନାୟକ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତରେ ଏଭଳି କ୍ବଚିତ୍ ଭୂମିକା ଥିବ, ଯାହା ବିଜୟ କରିନଥିବେ ଓ ଦର୍ଶକଙ୍କୁ ତାହା ଆକର୍ଷିତ କରିନଥିବ। ଦୀର୍ଘ ୬ଦଶନ୍ଧି ଧରି ସେ ଅଭିନୟ ସହିତ ଯୋଡ଼ି ହୋଇ ଏଭଳି ଭାବେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ଯେ ଆଜି ତାଙ୍କୁ ସମସ୍ତେ ଝୁରୁଛନ୍ତି। ଜଣେ କେହି ଅତି ଆପଣାର ଛାଡ଼ି ଯାଇଥିବା ଅନୁଭବ କରୁଛନ୍ତି।

ବିଜୟ କେନ୍ଦ୍ରାପଡ଼ାର ପୁଅ। ୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପାଣ୍ଡିରିରେ ସେ ଜନ୍ମଗ୍ରହଣ କରିଥିଲେ। ହେଲେ ଅଭିନୟ ଦୁନିଆ ବାରିପଦାରୁ ଆରମ୍ଭ ହୋଇଥିଲା। ସେ ବାରିପଦାର ପୁରାତନ ନାଟ୍ୟସଂସ୍ଥା ‘ଯୁଗେଛା ନାଟ୍ୟ ସଂସ୍ଥା’ ପ୍ରତିଷ୍ଠା କରିଥିଲେ। ପରେ ସେ ପ୍ରଥମ ଓଡ଼ିଆ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ରେ ସ୍ନାତକ କରିବା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ। ବଲିଉଡ୍‌ର ତୁଙ୍ଗ ଅଭିନେତା ନାସିରୁଦ୍ଦିନ ସାହ, ରାଜ ବବ୍ବର ଓ ଓମ୍‌ ପୁରୀ ଥିଲେ ତାଙ୍କର ସହପାଠୀ। ସେ ଦିଲ୍ଲୀର ବିଭିନ୍ନ ଥିଏଟରରେ ମଧ୍ୟ ଅଭିନୟ କରିଥିଲେ।

୧୯୭୭ ମସିହାରେ ‘ଚିଲିକା ତୀରେ’ରେ ଅଭିନୟ ସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ନିଜର ପ୍ରଥମ ଛାପ ରଖିଥିଲେ। ପ୍ରଥମ ଚଳଚ୍ଚିତ୍ର ସେହିବର୍ଷ ଜାତୀୟ ପୁରସ୍କାର ଲାଭ କରିଥିଲା। ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ ଠାରୁ ଆରମ୍ଭ କରି ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ ଭଳି ଶତାଧିକ ସଫଳ ଚଳଚ୍ଚିତ୍ରର ସେ ଅଭିନେତା। ‘ଭୁଲି ହୁଏନା’ରେ ସେ ନିର୍ଦେଶନା ଦେଇଥିଲେ। ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ସେ ୨୦୧୪ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଥିଲେ। ୬ଥର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

୧୯୭୭ ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେଇ ସେ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ୨୦୧୪ ମସିହା ଫେବ୍ରୁଆରି ୨୭ ତାରିଖରେ ସେ କଂଗ୍ରେସରେ ଯୋଗଦେବା ସହ ଭୁବନେଶ୍ବର ଲୋକସଭା ଆସନରୁ ଲଢ଼ିଥିଲେ। ତେବେ ଶେଷ ଅବସ୍ତାରେ ସେ ନିଜର ରସୁଲଗଡ଼ ସ୍ଥିତ ଘରେ ନ ରହି ପତ୍ନୀ ତନ୍ଦ୍ରାଙ୍କ ସହ ହାଇଦ୍ରାବାଦରେ ଝିଅ ଘରେ ରହୁଥିଲେ। ସେଠାରେ ଗତ ମେ’ ୨୫ ତାରିଖରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ହୃଦ୍‌ଘାତ ହୋଇଥିଲା। ଜୁନ୍ ୧୩ ତାରିଖରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଓଡ଼ିଶା ଅଣାଯାଇଥିଲା। ଧୀରେ ଧୀରେ ସେ ସୁସ୍ଥତା ଆଡକୁ ଗତି କରୁଥିଲେ।

ହେଲେ ବିଧିର ବିଧାନ ଥିଲା ବିଚିତ୍ର। ଦୁନିଆରୁ ଅଭିନୟ ସାରି ବିଜୟ ଶେଷରେ ଆଜି ବାହୁଡିଯାଇଛନ୍ତି, ସେଇଠାକୁ, ଯେଉଁଠିକି କେହି ଗଲେ ଆଉ ଫେରନ୍ତିନି। ହେଲେ ସମସ୍ତଙ୍କ ମନ ଭିତରେ ସେ ସବୁଦିନ ପାଇଁ ରହିଛନ୍ତି, ରହିବେ ବି।

ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ମହାନ୍ତି ଚଳଚିତ୍ର ଜଗତର ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ବ। ତାଙ୍କ ଅଭିନୟ ଓଡ଼ିଆ ସିନେମା ଜଗତକୁ ସମୃଦ୍ଧ କରିପାରିଥିଲା। ଏହି ମହାନ୍ ଅଭିନେତା କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସବୁଦିନ ସ୍ବତନ୍ତ୍ର ସ୍ଥାନରେ ରହିବେ। ଓଡ଼ିଆ ଚଳଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସହ ଗୋଟିଏ ଯୁଗର ଅବସାନ ଘଟିଛି। ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଚଳଚ୍ଚିତ୍ର ଜଗତର ବାଦ୍‌ଶାହ, ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ‘ଆରଏନ୍ଏ‌’ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ।

Leave A Reply

Your email address will not be published.