- କରୋନା ପରବର୍ତୀ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତନାଘନା ଜାରି
- ଉପନିର୍ବାଚନ ପରେ ମନ୍ତ୍ରିମଣ୍ଡଳରେ ହେବ ବଡ଼ ପରିବର୍ତ୍ତନ
- ପ୍ରଶାସନିକ ନବକଳେବର ପାଇଁ ବି ଖସଡ଼ା ପ୍ରସ୍ତୁତି ଚାଲିଛି
- ପୂଜାରେ ବ୍ୟସ୍ତ ଓଡ଼ିଶା, ନବୀନନିବାସରେ କିନ୍ତୁ ଚାଲିଛି କସରତ
- ଅସିତ ନ ହେଲେ ସୁବ୍ରତଙ୍କୁ ପଶ୍ଚିମ ଓଡ଼ିଶାରେ ଥଇଥାନ ପ୍ରସ୍ତାବ
- କିଛି ନେତାଙ୍କ ରାଜନୈତିକ ନିଯୁକ୍ତି ନେଇ ମଧ୍ୟ ମାନସମନ୍ଥନ
- କେନ୍ଦ୍ର ସମୀକରଣ ଉପରେ ସମୀକ୍ଷା ଜାରି, ସାଂସଦଙ୍କ ପ୍ରଦର୍ଶନ ବି
ଭୁବନେଶ୍ବର:ଦୁର୍ଗାପୂଜାକୁ ନେଇ ସମଗ୍ର ରାଜ୍ୟ ଉତ୍ସବ ମୁଖର ରହିଛି।ମଣ୍ଡପରେ ସର୍ବସାଧାରଣଙ୍କ ଲାଗି ଦେବୀ ଦର୍ଶନ ନାହିଁ, ରାଜ୍ୟବାସୀ ନିଜ ପରିବାର ସହିତ ଘରେ ପୂଜା ମଜା ମନାଉଛନ୍ତି। କରୋନା ସ୍ଥିତି ନିୟନ୍ତ୍ରଣ ଅଛି, ଯଦିଓ ମୃତ୍ୟୁ ହାର ଟିକିଏ ଉପରମୁହାଁ। ଅନ୍ୟପଟରେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ଲାଗି ରାଜନୈତିକ ପାଣିପାଗ ଟିକିଏ ଅବଶ୍ୟ ଗରମ ରହିଛି। ପିପିଲିରେ ହେବାକୁ ଥିବା ଉପନିର୍ବାଚନ ବିଳମ୍ବ ଥିବାରୁ ବିଭିନ୍ନ ରାଜନୈତିକ ଏହି ନିର୍ବାଚନମଣ୍ଡଳୀର ପାଗଯୋଗ ପରଖୁଛନ୍ତି।
ଏମିିତି ଏକ ପୃଷ୍ଠଭୂମିରେ ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ନବୀନ ନିବାସରେ କିନ୍ତୁ ଭିନ୍ନ କସରତ ଚାଲିଛି। ଉପନିର୍ବାଚନ ପାଇଁ ଦଳର ରଣନୀତିର ପ୍ରତି ମୁହୂର୍ତରେ ସମୀକ୍ଷା କରାଯିବା ସହିତ କରୋନା ପରବର୍ତ୍ତୀ ପରିସ୍ଥିତିରେ ଓଡ଼ିଶା ରାଜନୀତିକୁ ଏକ ନୂଆ ଦିଶା ଦେବା ଲାଗି ନକ୍ସା ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍। ନବୀନ ଗତ ସପ୍ତାହ ଧରି ବେଶ୍ ସକ୍ରିୟ ଅଛନ୍ତି ଓ ଘନ ଘନ ଆଲୋଚନା ଓ ବୈଠକ କରୁଛନ୍ତି। ବିଜେଡି ରାଜନୀତିରେ ଏହାକୁ ନେଇ କମ୍ପନ ସୃଷ୍ଟି ହେଲାଣି। ବାସ୍ତବରେ ମୁଖ୍ୟମନ୍ତ୍ରୀ କଣ କରିବାକୁ ଚାହୁଁଛନ୍ତି, ତାହା କେହି ଠଉରାଇ ପାରୁନାହାନ୍ତି।
ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଉପନିର୍ବାଚନ ପରେ ନବୀନ ପଞ୍ଚମ ପାଳିର ପ୍ରଥମ ଦଫା ଅଳିଆ ଝଡ଼ା କାର୍ଯ୍ୟକ୍ରମ କରିବେ। ଅର୍ଥାତ୍ ମନ୍ତ୍ରିମଣ୍ଡଳ ଅଦଳବଦଳ ଆସନ୍ନ। ପ୍ରଶାସନର ନବକଳେବର ହେବ। ଅଧୁରା ସାଂଗଠନିକ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ଏବଂ ଆରମ୍ଭ ହୋଇଥିବା ବିକାଶ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବା ଲାଗି ଠୋସ୍ ଲକ୍ଷ୍ୟ ଧାର୍ଯ୍ୟ କରାଯିବ। କେବଳ ସେତିକି ନୁହେଁ, ଏହି କ୍ରମରେ ନବୀନ ଆଉ କିଛି ନୂଆ କାର୍ଯ୍ୟକ୍ରମ ହାତକୁ ନେବେ, ଯେଉଁଥିରେ ରାଜନୈତିକ, ପ୍ରଶାସନିକ ସକ୍ରିୟତା ବଢିବ ଏବଂ ୨୦୨୧ରେ ହେବାକୁ ଥିବା ଆଉ ଗୋଟିଏ ଉପନିର୍ବାଚନ, ପୌର ନିର୍ବାଚନ ଏବଂ ୨୦୨୨ ପ୍ରାରମ୍ଭରେ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାରେ ବିଜେଡିକୁ ବିଶେଷ କଷ୍ଟ ନେବାକୁ ପଡ଼ିବ ନାହିଁ।
ନବୀନଙ୍କ କ୍ୟାବିନେଟ୍ର ଏକ ତୃତୀୟାଂଶ ବାଦ୍ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁୂସୂଚିତ ଜାତି ଓ ଜନତାତି ମନ୍ତ୍ରୀ ଜଗନ୍ନାଥ ସାରକା, ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ କାର୍ଯ୍ୟକୁ ସୁପ୍ରିମୋ ସମୀକ୍ଷା କରୁଛନ୍ତି। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ବିଭାଗରେ ପରିବର୍ତ୍ତନ ସମ୍ଭାବନା ଉଜ୍ଜ୍ବଳ। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିଭାଗରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ।
ପ୍ରଶାସନିକସ୍ତରରେ ନିର୍ଦିଷ୍ଟ କି ପଦକ୍ଷେପ ନିଆଗଲେ, ସକ୍ରିୟତା ବଢ଼ିବ ତା ଉପରେ ବି ଢେର୍ କସରତ ଚାଲିଛି। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ସରୁଛି। ଗୋଟିଏ ମତ ପ୍ରକାଶ ପାଇଛି, ତାଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ (୬ମାସ ବଢାଇବା କ୍ଷମତା ସରକାରଙ୍କର ନିଜର ଅଛି) ପର୍ଯ୍ୟନ୍ତ ବଢାଇ ଦିଆଯିବା ଉଚିତ୍। ଏହାଦ୍ବାରା ପ୍ରଶାସନରେ ସନ୍ତୁଳନ ବିଗିଡବ ନାହିଁ। ହେଲେ ଏଭଳି ନିଷ୍ପତ୍ତିରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଘୋର୍ କ୍ଷତିଗ୍ରସ୍ତ ହେବେ। ସେ ଆଉ ମୁଖ୍ୟସଚିବ ହୋଇପାରିବେ ନାହିଁ।
ଅନ୍ୟ ଗୋଟିଏ ମତ ହେଉଛି, ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଇ ଉନ୍ନୟନ କମିସନର ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟ ସଚିବ କରାଯାଉ। ଏମିତିରେ ବି ମୁଖ୍ୟମନ୍ତ୍ରୀଙ୍କର ଶୁଭ ଦୃଷ୍ଟିରେ ଶ୍ରୀ ମହାପାତ୍ର ଅଛନ୍ତି। ହେଲେ ତାଙ୍କର ତୃତୀୟ ମହଲା ସହ ସମୀକରଣ ଠିକ୍ଠାକ୍ ରହିବ କି ନାହିଁ, ତାହା ଉପରେ ବି ବିଚାର ଚାଲିଛି। ସେହିଭଳି କିଛି ନିଷ୍ପତ୍ତି ନେବା ବେଳେ କଠୋରତା ଅବଲମ୍ବନ କରୁଥିବା ପରିପ୍ରେକ୍ଷୀରେ ଆଗକୁ ପ୍ରଶାସନିକ ଓ ରାଜନୈତିକ ସମୀକରଣ ଗୋଳମାଳ ହୋଇପାରେ ବୋଲି ଗୋଟିଏ ମହଲ ଉସୁକାଉଛନ୍ତି। କିନ୍ତୁ ଶ୍ରୀ ମହାପାତ୍ରଙ୍କର ବିକାଶ ଉପରେ ଢେର୍ ପକଡ଼ ରହିଛି ଓ ପ୍ରଶାସନିକ ସକ୍ରିୟତା ବଢାଇବା ଦିଗରେ ତାଙ୍କର ଯୋଗଦାନ ବେଶ୍ ଭଲ ରହିବ ବୋଲି ପରାମର୍ଶଦାତାମାନେ ବୁଝାଉଛନ୍ତି।
କେନ୍ଦ୍ରରେ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ଫେରାଇ ଆଣି ମୁଖ୍ୟସଚିବ କରିବା ରାଜନୈତିକ ଦୃଷ୍ଟିକୋଣରୁ ଠିକ୍ ହେବ ନାହିଁ ବୋଲି ବିଚାର କରାଯାଉଛି। ତେବେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ନାମ ଉପରେ ବି ଆଲୋଚନା ଚାଲିଛି। ଉଭୟଙ୍କ ମଧ୍ୟରୁ ଜଣକୁ ସାମ୍ନାକୁ ଆଣି ନବୀନ ସମସ୍ତଙ୍କୁ ଝଟ୍କା ଦେବା ସମ୍ଭାବନାକୁ ବି ଅଗ୍ରାହ୍ୟ କରାଯାଇନପାରେ।
ବରିଷ୍ଠ ପ୍ରଶାସକ ସୌରଭ ଗର୍ଗଙ୍କ ସମେତ ପାଖାପାଖି ୪ ଜଣ ବରିଷ୍ଠ ଅଫିସର କେନ୍ଦ୍ରକୁ ଆଖେଇଛନ୍ତି। ଏପରିସ୍ଥଳେ ସଚିବସ୍ତରରେ ମଧ୍ୟ ଏକ ବଡ଼ଅଦଳ ବଦଳ ହେବ। ପାଖାପାଖି ୯ଟି ଜିଲ୍ଲାର ଜିଲ୍ଲାପାଳ ବଦଳି ପାରନ୍ତି ଓ ୧୧ଟି ଜିଲ୍ଲାର ଏସ୍ପି। ରେଂଜ ଓ ପୁଲିସର ଉପରସ୍ତରରେ ପରିବର୍ତ୍ତନ ଅପେକ୍ଷା କରୁଛି।
ସେପଟେ ଯଦି ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦିଆନଯାଏ, ତେବେ ଏହି ପଦବିରେ ରାଜନୈତିକ ନିଯୁକ୍ତି ସଂପର୍କରେ ସରକାର ବିଚାର କରିବେ। ସ୍ଥାନୀୟ ରାଜନେତାଙ୍କୁ ଦେଇ କଳି ବଢାଇବା ପରିବର୍ତେ ସୁବ୍ରତ ବାଗ୍ଚୀଙ୍କ ଭଳି ଦୂରଦ୍ରଷ୍ଟାଙ୍କୁ ବିକାଶ ପରିଷଦ ଦାୟିତ୍ବ ଦିଆଯିବା ମଧ୍ୟ ଏକ ଭଲ ପ୍ରସ୍ତାବ ବୋଲି କ୍ଷମତା କରିଡର ବିଚାର କରୁଛନ୍ତି। ଏହାଦ୍ବାରା ୨୦୨୪ରେ ଶ୍ରୀ ବାଗ୍ଚୀଙ୍କୁ ଗୁରୁତ୍ବପୂର୍ଣ୍ଣ ବଲାଙ୍ଗୀର ଆସନରୁ ସଂସଦକୁ ପଠାଯିବା ସହଜ ହେବ। ସେହିଭଳି ପଣ୍ୟାଗାର ନିଗମ ସହିତ ଆଉ କିଛି ପଦବି ପଦ ଖାଲି ରହିଛି, ଯେଉଁଥିରେ ରାଜନୈତିକ ନିଯୁକ୍ତି ଦିଆଯିବ।
କେନ୍ଦ୍ରୀୟ ଆଭିମୁଖ୍ୟ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଚାର ଆଲୋଚନା କରୁଛନ୍ତି। ଦଳର ରଣକୌଶଳ ପରିବର୍ତ୍ତନ ହେବ ନା ବର୍ତମାନ ପରିସ୍ଥିତିକୁ ନେଇ ଆଗକୁ ବଢ଼ିବେ। ସେହିଭଳି ସଂସଦରେ ସାଂସଦମାନଙ୍କ ପ୍ରଦର୍ଶନ ଉପରେ ବି ହାଇକମାଣ୍ଡ କିଛି ପରିମାଣରେ ଅସନ୍ତୁଷ୍ଟ ଅଛନ୍ତି। ସାମାନ୍ୟ ଅଦଳବଦଳ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଗୋଟିଏ ମହଲରୁ ଖବର ଆସୁଛି।