ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ଓଡ଼ିଶା ବନାମ ବିହାର ନିର୍ବାଚନ: ୧୦ଟି କଥା

0

ନୂଆଦିଲ୍ଲୀ/ ଭୁବନେଶ୍ବର: ବିହାର ନିର୍ବାଚନ ଭାରତ ରାଜନୀତିରେ ଏକ ନୂଆ ଦିଗ ଉନ୍ମୋଚନ କରିଛି। ଉଭୟ ବିଜେପି ଓ ଜେଡିୟୁ ନିର୍ବାଚନରେ ବାଜିମାତ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଖେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଚାର ଅଭିଯାନକୁ ସମ୍ବୋଧିତ କରିବା ବେଳେ ଏକଥା କାହାକୁ ଅଛପା ରହିଲା ଯେ ନାହିଁ ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ପାଳିରେ ନିର୍ବାଚନ ଜିତିବା ଲାଗି ସମ୍ପୂର୍ଣ୍ଣ ଭାବେ ବିଜେପି ଉପରେ ନିର୍ଭରଶୀଳ ଅଛନ୍ତି।

୧) ସମ୍ଭବତଃ ଏହା ପ୍ରଥମ ନିର୍ବାଚନ ହେବ, ଯେଉଁଥିରେ ବିଜେପିର ସହଯୋଗୀ ଦଳ ମୋଦୀଙ୍କ ଲୋକପ୍ରିୟତାକୁ ନିର୍ଭର କରୁଛି। ପୂର୍ବରୁ ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଦଳ ବା ଅନ୍ୟ ଦଳ ସହିତ ବିଜେପି ମେଣ୍ଟ କରିବାର କାରଣ ଥିଲା, ସେମାନଙ୍କ ଭରସାରେ ନିର୍ବାଚନ ବୈତରଣୀ ପାର୍ ହେବ।

୨) ଓଡ଼ିଶାରେ ମଧ୍ୟ ବିଜେଡି-ବିଜେପି ମେଣ୍ଟ ପଛରେ ଏଭଳି ଏକ ବଡ଼ କୌଶଳ ଥିଲା। ସେବେ ବିଜେପିର କେନ୍ଦ୍ରୀୟ ନେତା ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଢୁଆଳରେ ଲତା ଭଳି ବିଭିନ୍ନ ନିର୍ବାଚନମଣ୍ଡଳୀକୁ ମାଡ଼ିଯିବାକୁ ଯୋଜନା କରିଥିଲା ବିଜେପି। ଏଥିରେ ସେମାନେ ଅନେକାଂଶରେ ସଫଳ ହୋଇଥିଲେ। ପରେ କିନ୍ତୁ କନ୍ଧମାଳ ଦଙ୍ଗା ନବୀନଙ୍କ ଆଖି ଖୋଲିଦେଇଥିଲା। ଲେଡି ଗୁଡ କହୁଣୀକି ବହିଯିବା ଆଗରୁ ନବୀନ ଏକଥା ବିଳମ୍ବରେ ବୁଝିପାରି ୨୦୦୯ରେ ବିଜେପି ଠାରୁ ହଠାତ୍ ସମ୍ପର୍କ ବିଚ୍ଛିନ୍ନ କରିଥିଲେ।

୩) ବିଜେପି ପୂରା ଓଡ଼ିଶାକୁ ସଂଗଠନ ବିସ୍ତାର କରିବା ସମ୍ଭବ ହେଲା ନାହିଁ। ବରଂ ଦଳକୁ ଏଥିପାଇଁ ପୂରା ୧୦ବର୍ଷ ଲାଗିଗଲା। ନବୀନ ଆଜି ନୀତିଶଙ୍କ ସ୍ଥିତିରେ ନାହାନ୍ତି। ଏହା ସମ୍ଭବ ପଛର ଏକମାତ୍ର କାରଣ ହେଉଛି, ଲୋକଙ୍କର ତାଙ୍କ ପ୍ରତି ଭଲପାଇବା ଅତୁଟ ଅଛି ଓ ସେ ନିଜ ଭାବମୂୁର୍ତିକୁ ଓ ତାଙ୍କ ପ୍ରତି ଭରସାକୁ ସୁରକ୍ଷିତ ରଖିବାରେ ଏଯାଏ ସକ୍ଷମ ହୋଇଛନ୍ତି। ଅନ୍ୟଥା ବିହାର ଭଳି ଏଠାରେ ବି ବିରୋଧୀ ଶିବିର ନିଷ୍ପ୍ରଭ।ଏବେ ବିହାରରେ ଜେଡିୟୁ ଶରୀରରେ ବିଜେପି ସମଗ୍ର ରାଜ୍ୟକୁ ମାଡ଼ିଯିବା ରାସ୍ତା ଧୀରେ ଧୀରେ ଖୋଲୁଛି, ଯାହା ଏବେ ଅତି ସହଜ ବୋଲି ପ୍ରଚାର ଅଭିଯାନ ଆରମ୍ଭରୁ ସ୍ପଷ୍ଟ ହେଲାଣି।

୪) ଏଠାରେ ଏକଥା କହିବା ଅପ୍ରାସଙ୍ଗିକ ହେବନାହିଁ ଯେ ଓଡ଼ିଶାରୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଅଳ୍ପ ଶିଖିଛନ୍ତି, ତଥାପି କିଛି କ୍ଷେତ୍ରରେ ଚେତିନାହାନ୍ତି; ଯାହା ବିହାର ନିର୍ବାଚନରେ ଧରାପଡିଯାଉଛି। ଓଡ଼ିଶାରେ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନିଜ ଆଡୁ ଏଠାରେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଦଳ ଏକଥା ୨୦୧୯ ପରେ ଆଉ କହୁନାହିଁ। ଧୀରେ ଧୀରେ ଧର୍ମେନ୍ଦ୍ର ବି କରଛଡ଼ା ଦେଇ ସଙ୍କେତ ଦେଇସାରିଲେଣି ଯେ ଏକମାତ୍ର ବିକଳ୍ପ ନେତୃତ୍ବ ନୁହେଁ ବରଂ ଦଳରେ ଅନ୍ୟ ନେତାଙ୍କ ଠାରୁ ସେ ଟିକେ କେବଳ ଆଗରେ ଅଛନ୍ତି। କେନ୍ଦ୍ରୀୟ ବିଜେପି ମଧ୍ୟ ଏକାଧିକ ନେତାଙ୍କୁ ଟାଣିଆଣି ଓଡ଼ିଶା ଭୋଟରଙ୍କର ଲକ୍ଷ୍ୟ ଭ୍ରଷ୍ଟ କରିଛି। ସୁତରାଂ ଆଗକୁ ବିଜେପି ଏଠାରେ କେନ୍ଦ୍ର କାର୍ଡ ଖେଳି ଭୋଟ ମାଗିବାକୁ ଯୋଜନା କରିଛି, ଠିକ୍ ଏବେର ବିହାର ଭଳି।

୫) ବିଜେପି କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାରୁ ବୁଝିସାରିଛନ୍ତି ଯେ ନବୀନଙ୍କୁ ଏକୁଟିଆ ସେମାନେ ପରାସ୍ତ କରିପାରିବେ ନାହିଁ। ଏଠାରେ ଜେଡିୟୁ ଭଳି ଦଳ ବି ନାହିଁ। ବିଜେଡି ଶିବିର ଭାଙ୍ଗି ସେମାନେ ଧସେଇ ପଶିଲେ, କଂଗ୍ରେସ ବିଶେଷ ଲାଭବାନ ହେବ। ଏଣୁ ୨୦୨୪ ପୂର୍ବରୁ ବିଜେଡିକୁ ଫଟାଇ ଗୋଟିଏ ନୂଆ ଆଞ୍ଚଳିକ ଶକ୍ତି କରିବା ଲକ୍ଷ୍ୟରେ ସେମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ବିଜେଡି ଭିତରେ ଅଧିକରୁ ଅଧିକ ଗୋଳମାଳିଆ ସ୍ଥିତି ସେମାନେ ଉପୁଜାଇବା ଆରମ୍ଭ କରିସାରିଲେଣି।

୬) ସ୍ମରଣଯୋଗ୍ୟ, ବିହାରରେ ବିଭିନ୍ନ ସର୍ବେକ୍ଷଣ ରିପୋର୍ଟ ସ୍ପଷ୍ଟ ସଙ୍କେତ ଦେଉଛନ୍ତି ଯେ ନୀତିଶ କୁମାରଙ୍କ ଲୋକପ୍ରିୟତା ଭୀଷଣ ହ୍ରାସ ପାଇଛି। ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଯଥେଷ୍ଟ ବଢିଛି। କୌତୂହଳର କଥା ହେଉଛି, ବିହାର ରାଜନୀତିରେ ବିଜେପିର ତୁଙ୍ଗ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଯାହାକୁ କୁହାଯାଇପାରେ, ସୁଶୀଳ ମୋଦୀଙ୍କ ପ୍ରତି ଲୋକଙ୍କର ଆଦୌ ଆସ୍ଥା ନାହିଁ। ଠିକ୍ ଓଡ଼ିଶା ଭଳି (ଗତ ନିର୍ବାଚନରେ ଧର୍ମେନ୍ଦ୍ର ଦେଖାଇଥିବା ଆଶା ପୂରଣ କରିପାରିନାହାନ୍ତି)। ଗୋଟିଏ ସର୍ଭେ ସୂଚାଇଛି, ସୁଶୀଲଙ୍କୁ ମାତ୍ର ୯ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ଏହା ତେଜସ୍ବୀ ଯାଦବ, ଚିରାଗ ପାଶଓ୍ବାନଙ୍କ ଠାରୁ ମଧ୍ୟ ଯଥେଷ୍ଟ କମ୍। ବିଜେପି ଏଠାରେ ମଧ୍ୟ ବିକଳ୍ପ ଚେହେରା ସୃଷ୍ଟି କରିପାରିନାହିଁ। ପ୍ରଧାନମନ୍ତ୍ରୀ ନୀତିଶଙ୍କୁ ସାମ୍ନାରେ ରଖିବାର ଏହା ଅନ୍ୟତମ କାରଣ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଯେତେ ନେତା ବିହାରରେ ଉଭା ହୋଇଛନ୍ତି, ତାଙ୍କ ତୁଳନାରେ ନୀତିଶ ଭଲ (ଯଦିଓ ନୀତିଶଙ୍କ ସରକାର ବିରୋଧରେ ଜନମତ ଅଧିକ)।

୭) ସାଂପ୍ରତିକ ରାଜନୀତିରେ ବିହାରରେ ଏନଡିଏ ଗୋଟିଏ ବଡ଼ ଯୁଦ୍ଧ ସାମ୍ନା କରୁଛି। ଅନ୍ୟ ରାଜନୈତିକ ଦଳ (ବିରୋଧୀ) ସରକାର ପ୍ରତି ବହୁତ ବଡ଼ ବିପଦ ସୃଷ୍ଟି କରିବା ସ୍ଥିତିରେ ନ ଥାଇ ବି ବିଜେପି ଓ ଜେଡିୟୁ ସେଠାରେ କ୍ଷମତାକୁ ଫେରିବା ପାଇଁ ଆବଶ୍ୟକ ଅଙ୍କ ସଂଗ୍ରହ ଲାଗି ଜୋରଦାର କସରତ କରିବାକୁ ପଡି଼ବ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯଦି ଅଧିକରୁ ଅଧିକ ରାଲି ବିହାରରେ ନ କରନ୍ତି, ତେବେ ଉଭୟ ଜେଡିୟୁ ଓ ବିଜେପି କ୍ଷତିଗ୍ରସ୍ତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

୮) ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି, ଉଭୟ ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାର ନିର୍ବାଚନରେ ଗୋଟିଏ ଗଣିତ ଖେଳିଛନ୍ତି, ଯାହା ବିଜେପିକୁ ସୁହାଉଛି ଓ ରାହୁଲଙ୍କ ଅପରିପକ୍ବତାକୁ ପୁଣି ସ୍ପଷ୍ଟ କରୁଛି। ବେକାରୀ ଏଠାରେ ଏକ ବଡ଼ ସ୍ଥାନୀୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ଲୋକେ ସରକାର ଉପରେ ଖୁସି ନାହାନ୍ତି। କିନ୍ତୁ ଉଭୟ ମୋଦୀ ଓ ରାହୁଲ ଜାତୀୟ ପ୍ରସଙ୍ଗ ଆଣି ଥୋଇଦେବା ପରେ ରାଜ୍ୟ ରାଜନୀତି ଟିକିଏ ଗୋଳମାଳିଆ ଧରିଛି। ଉଭୟ କଂଗ୍ରେସ ଓ ଆର୍‌ଜେଡି ମୋଦୀଙ୍କୁ ଟାର୍ଗେଟ କରୁଛନ୍ତି, ଯାହା ପରୋକ୍ଷରେ ନୀତିଶଙ୍କୁ ରାଜନୀତିରେ ବଞ୍ଚିଯିବା ପାଇଁ ଏକ ବଡ଼ ଖୋରାକ ଯୋଗାଉଛି। ସମାନ୍ତରାଳ ଭାବେ ନୀତିଶ କୁମାରଙ୍କ ପଛରେ ବିଜେପି ଏକଜୁଟ ହେଉଛି। ସେପଟେ ରାହୁଲଙ୍କ ଜାତୀୟ ରାଜନୀତି ଚର୍ଚ୍ଚା ନୀତିଶଙ୍କ ଭୁଲ ତ୍ରୁଟିକୁ ନିର୍ବାଚନ ସମୟରେ ଚର୍ଚ୍ଚାକ ଆଣିବା କ୍ଷେତ୍ରରେ ଏକ ବଡ଼ ବାଧକ ସାଜିଛି।

୯) ଗତଥର ନିର୍ବାଚନ ପ୍ରଚାର ତରିକାକୁ ନିରେଖି ଦେଖିଲେ, ନୀତିଶଙ୍କୁ ଲୋକେ ବେଶ୍ ଗୁରୁତ୍ବ ଦେଉଥିଲେ। ତାଙ୍କ ଚେହେରା ପଛରେ ମିଳିତ ମଞ୍ଚ ନିର୍ବାଚନ ଲଢିଥିଲା। ନୀତିଶ କୁମାର, ଲାଲୁ ଯାଦବ, ଶରଦ ଯାଦବ, ରଘୁବଂଶ ପ୍ରସାଦ ସିଂହଙ୍କ ସହିତ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏକ ବଡ଼ ଚେହେରା ଭାବେ ଉଭା ହୋଇଥିଲେ। ଏବେ ବିରୋଧୀ ମଞ୍ଚରେ ତେଜସ୍ବୀ ଯାଦବ ବଡ଼ ଚେହେରା। କଂଗ୍ରେସ ପାଇଁ ଆଉ ଏକ ସମସ୍ୟା ହେଉଛି, ଦଳରେ କୌଣସି ନୂଆ ବା ଶକ୍ତିଶାଳୀ ଚେହେରା ନାହିଁ। ଏହା ଦଳର ରାଜନୈତିକ କୌଶଳ ଏବଂ ଦୁର୍ବଳତାକୁ ପଦାକୁ ଟାଣି ଆଣିଛି। କଂଗ୍ରେସର ପୂର୍ବରୁ ମୀରା କୁମାର ଚେହେରା ଥିଲେ। ଏବେ କିନ୍ତୁ ଦଳ ତେଜସ୍ବୀଙ୍କ ଚେହେରାକୁ ନଜରରେ ରଖିଛି। ଚିରାଗ ଯଦିଓ ନୀତିଶଙ୍କ ବିରୋଧରେ ଲଢୁଛନ୍ତି, ମୋଦୀଙ୍କ ବିରୋଧରେ ଯାଉନାହାନ୍ତି।

୧୦) ଉଲ୍ଲେଖଥାଉକି, ୨୦୧୫ରେ ବିହାର ନିର୍ବାଚନ ରାଜନୀତି ପଢିବାରେ ଉଭୟ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ଯୋଡି ସଫଳ ହୋଇପାରିନଥିଲେ। ମାତ୍ର ଗତ ପାଞ୍ଚବର୍ଷ ନିର୍ବାଚନରେ ଉଭୟ ଏହି ରାଜ୍ୟରେ ନିଜର ଶକ୍ତି ବଢାଇବା ସହିତ ବିରୋଧୀଙ୍କୁ ବେଶ୍ ଦୁର୍ବଳ କରିବାରେ ସକ୍ଷମ ହୋଇଛନ୍ତି। ବିଜେପି ଏହି ନିର୍ବାଚନକୁ ବିଶେଷ ଗୁରୁତ୍ବ ଏଇଥିପାଇଁ ଦେଇଛି ଯେ ବିହାରରୁ ଯାଇ ଦଳ ଦଳ ପଶ୍ଚିମବଙ୍ଗ ଲଢିବ। ଏଣୁ ଏଠାରେ ଯଦି ଖରାଫ ଫଳାଫଳ ହୁଏ, ତେବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜେପିକୁ ଲୋକଙ୍କ ନିକଟରେ ନୀଚ୍ଚା ଦେଖାଇବାକୁ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ। କେବଳ ସେତିକି ନୁହେଁ, ବିଜେପି ପ୍ରତି ଲୋକଙ୍କ ଭିତରେ ସନ୍ଦେହ ବଢିବ।

Leave A Reply

Your email address will not be published.