ପ୍ରମୁଖ ଖବର

ରାୟଗଡ଼ାରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର
ବିଳମ୍ବତି ରାତିରେ ସଶସ୍ତ୍ର ଡକାୟତି: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଲୁଟ୍
କାଲିଠାରୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ସେବକ ତଥା ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ

ସହଯୋଗୀ ବଦଳାଇବେ ମୋଦୀ, ଓଡ଼ିଶାରୁ କିିଏ?

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶା ରାଜନୀତି ପାଇଁ ଏହି ଅଦଳବଦଳ ଯଥେଷ୍ଟ ଗୁରୁତ୍ବ ରଖୁଛି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ତାଲିକାରେ ଓଡ଼ିଶା ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ଖାତାରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। ଏପରିସ୍ଥଳେ ତୃତୀୟ ମନ୍ତ୍ରୀ ଭାବେ ଅଶ୍ବିନୀ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନା ପ୍ରତାପଙ୍କ ଆସନ ପ୍ରତି ବିପଦ ସୃଷ୍ଟି ହେବ, ତାହା ଉପରେ ଏବେ ରାଜନୈତିକ ମହଲ ତୀକ୍ଷ୍ଣ ନଜର ରଖିଛନ୍ତି। ବାଲେଶ୍ବରରେ ଉପନିର୍ବାଚନ ହାରିବା ପରେ ପ୍ରତାପଙ୍କ ପତିଆରା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତିରେ କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କର ପ୍ରଦର୍ଶନ ବେଶ୍ ଆଖିଦୃଶିଆ ରହିନାହିଁ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ସରକାର ଅଧିକ ଗୁରୁ ଦାୟିତ୍ବ ଦେବାକୁ ବିଚାର କରୁଛନ୍ତି। ସେ ଏବେ ପେଟ୍ରୋଲିୟମ୍ ସହିତ ଖଣି ବିଭାଗ ଦାୟିତ୍ବରେ ଅଛନ୍ତି। ତାଙ୍କର ଗୋଟିଏ ବିଭାଗ ବଦଳିପାରେ ଏବଂ ତା ପ୍ରତିବଦଳରେ ଆଉ ଗୋଟିଏ ବଡ଼ ପ୍ରଶାସନିକ ବିଭାଗ ମିଳିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅନୁମାନ ଲଗାଉଛନ୍ତି।ଯଦି ଏମିତି ହେବ, ତେବେ ଧର୍ମେନ୍ଦ୍ର-ଅଶ୍ବିନୀ ଗଣିତରେ ଓଡ଼ିଶା ବିଜେପି ରାଜନୀତିର ସମୀକରଣରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ବିଚାର କରାଯାଉଛି। ଅଶ୍ବିନୀ ନୂଆଦିଲ୍ଲୀର ବିଜେପି କୋଟେରିର ଗୁରୁତ୍ବପୂର୍ଣ୍ଣ ସଦସ୍ୟ ହୋଇଥିବା ପରିପ୍ରେକ୍ଷୀରେ ସେ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ଅଶ୍ବିନୀ ଓଡ଼ିଶା କ୍ୟାଡର ଆଇଏଏସ୍। ସେ ଓଡ଼ିଶା ଖାତାରୁ ଓ ବିଜେଡି ସହଯୋଗରେ ରାଜ୍ୟସଭାକୁ ଯାଇଛନ୍ତି। ବିଜେଡି-ବିଜେପି ସଂପର୍କ ନିବିଡ଼ତା ପଛରେ ଗୋଟିଏ ସମୟରେ ତାଙ୍କର ବଡ଼ ଭୂମିକା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା।

ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଛନ୍ତି। ଏବେ ଦେଖିବା କଥା ତାଙ୍କର ଘନିଷ୍ଠ ସହଯୋଗୀ ତଥା ବିଜେପି ନେତା ସୁଶୀଲ ମୋଦୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କି ବାର୍ତା ରଖୁଛନ୍ତି।ତାଙ୍କୁ କେନ୍ଦ୍ର କ୍ୟାବିନେଟରେ ଅର୍ଥ ବିଭାଗ ସଂଲଗ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ସଂକ୍ରାନ୍ତରେ ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି। ଜିଏସ୍‌ଟି ନେଇ ସବୁ ରାଜ୍ୟ ମଧ୍ୟରେ ସହମତି ଆଣିବାରେ ସୁଶୀଲଙ୍କ ଯୋଗଦାନ କିଛି କମ୍ ନଥିଲା। ସେପଟେ ମଧ୍ୟପ୍ରଦେଶ ରାଜନୀତିରେ ବିଜେପିର ଭଲ ପ୍ରଦର୍ଶନ ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଉପରେ ବିଚାର ଚାଲିଛି। ଗତ ମାର୍ଚ୍ଚ ମାସରେ କଂଗ୍ରେସ ଏଠାରେ ସରକାର ଗଠନ କରିଥିଲା। କିନ୍ତୁ ସଦସ୍ୟ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ୧୯ଟିରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଏପରି ପରିପ୍ରେକ୍ଷୀରେ କମଲନାଥଙ୍କୁ ଚେକ୍ ଦେବା ଲାଗି ଜ୍ୟୋତିରାଦିତ୍ୟଙ୍କୁ କ୍ୟାବିନେଟ୍ ବର୍ଥ ଦିଆଯିବା ଉପରେ କେନ୍ଦ୍ର ସରକାର ଗଭୀର ଭାବେ ବିଚାର କରୁଛନ୍ତି। ସେହିଭଳି ୨୦୧୫ରେ କଂଗ୍ରେସ ଛାଡ଼ି ଉତ୍ତର ପୂର୍ବ ରାଜ୍ୟ ଆସାମରେ ବିଜେପିର କ୍ଷମତା ବୃଦ୍ଧି ପଛର ସ୍ଥପତି ବୋଲି କୁହାଯାଉଥିବା ହେମନ୍ତ ବିଶ୍ବସରମାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିପାରେ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆସନ୍ତାବର୍ଷ ଚାରିଟି ରାଜ୍ୟରେ ନିର୍ବାଚନ ହେବ। ସେମାନେ ହେଲେ ପଶ୍ଚିମବଙ୍ଗ, ତାମିଲନାଡୁ, ପୁଡୁଚେରି ଓ କେରଳ। ପଶ୍ଚିମବଙ୍ଗରେ ଯେନତେନ ପ୍ରକାରେ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବାକୁ ବିଜେପି ପଣ କରିଛି। ଏଣୁ ଏଠାରେ ବିଜେପିର ଶକ୍ତି ବଢ଼ାଇବା ଲାଗି ଆଉ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ପଦରେ ବସାଯାଇପାରେ। ଏବେ ସେଠାରୁ ବାବୁଲ ସୁପ୍ରିଓ, ଦେବଶ୍ରୀ ଚୌଧୁରୀ ମନ୍ତ୍ରୀ ଅଛନ୍ତି। ବର୍ଦ୍ଧମାନ-ଦୁର୍ଗାପୁରର ବିଜେପି ସାଂସଦ ଏସ୍‌ ଏସ୍ ଆଲୁଓ୍ବାଲିଆ, ଅଭିନେତା ତଥା ରାଜନେତା ହୁଗୁଳି ସାଂସଦ ଲକେଟ୍ ଚାଟାର୍ଜୀ ଏବଂ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲିଙ୍କ ନାମ ଚର୍ଚ୍ଚାରେ ରହିଛି।

ସଂପ୍ରତି ଅଧିକରୁ ଅଧିକ ଯୁବନେତା ରାଜ୍ୟ ରାଜନୀତିରେ ଆବିର୍ଭାବ ହେଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର କ୍ୟାବିନେଟରେ ଯୁବ ନେତାଙ୍କ ସଂଖ୍ୟା ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଉଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହି ପୃଷ୍ଠଭୂମିରେ ଶାହନଓ୍ବାଜ ହୁସେନ୍, ମୀନାକ୍ଷୀ ଲେଖି ପ୍ରମୁଖଙ୍କ ନାମ ବିଚାରକୁ ଆସୁଛି।

ଏଠାରେ ଉଲ୍ଲେଖଥାଉକି, ଶିରୋମଣି ଅକାଳୀ ଦଳ କେନ୍ଦ୍ର ସରକାରରୁ ସମ୍ପର୍କ ଛିନ୍ନ କରିଛି। ଏବେ ଦେଖିବାକୁ ହେବ ଯେ ରାମ ବିଳାଶ ପାଶଓ୍ବାନଙ୍କ ପରଲୋକ ପରେ ତାଙ୍କ ପୁଅ ଚିରାଗ ପାଶଓ୍ବାନ ବା ଲୋକ ଜନଶକ୍ତି ପାର୍ଟିର ଆଉ କାହାକୁ କ୍ୟାବିନେଟରେ ସ୍ଥାନ ମିଳୁଛି ନା ନାହିଁ। କାରଣ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏ କ୍ଷେତ୍ରରେ ଆଉ ମଧ୍ୟ କିଛି ଆହ୍ବାନ ଅଛି। ତାହା ହେଉଛି, ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରିବାକୁ ହେବ। ରାଜନୈତିକ ଓ ନିର୍ବାଚନୀ ସନ୍ତୁଳନ ମଧ୍ୟ ବଜାୟ ରଖାଯିବାର ଆବଶ୍ୟକତା ରହିଛି। ଅଣ ପ୍ରଦର୍ଶନକାରୀଙ୍କୁ ସଙ୍କେତ ସହିତ ଆଞ୍ଚଳିକ ଦଳ ସଶକ୍ତ ଥିବା ରାଜ୍ୟରେ ଦଳକୁ ଆଗକୁ ଆଣିବା ଲାଗି ଖସଡ଼ା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ଏହି କ୍ରମରେ ଛତିଶଗଡ଼ରେ ସରୋଜ ପାଣ୍ଡେଙ୍କ ନାମ ସମ୍ଭାବ୍ୟ ମନ୍ତ୍ରୀ ତାଲିକାକୁ ଆସୁଛି। ତାଙ୍କୁ ଦଳ ସେଠାରେ ରମଣ ସିଂହଙ୍କ ଉତ୍ତରାଧିକାରୀ ଭାବେ ସାମ୍ନାକୁ ଆଣିବା ଲାଗି ଚିନ୍ତା କରୁଛି। ମହାରାଷ୍ଟ୍ରରେ ମଧ୍ୟ ଆଉ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଭାବେ ଦେଖିବାକୁ ମିଳିବା ବିଚିତ୍ର ନୁହେଁ।

ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ଦେଢବର୍ଷ ବିତିଗଲାଣି। କେନ୍ଦ୍ର କ୍ୟାବିନେଟରେ ୭୯ ଜଣ ସଦସ୍ୟ ରହିପାରିବେ। ମାତ୍ର ମୋଦୀ ଏହି ସଂଖ୍ୟାକୁ ୫୩ରେ ସୀମିତ ରଖିଛନ୍ତି। ଖୁବ୍ ଶୀଘ୍ର କେନ୍ଦ୍ର କ୍ୟାବିନେଟ୍ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ବିଜେପି ଶିବିରରେ ଚର୍ଚ୍ଚା ଚାଲିଛି ଓ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ ଏହାକୁ ଉପଯୁକ୍ତ ସମୟ ବୋଲି ବିଚାର କରି ମତ ରଖୁଛନ୍ତି।

Leave A Reply

Your email address will not be published.