ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଏକ୍‌ମୋ ମେସିନ୍ ପାଇଁ ଓଡ଼ିଶାରେ ପ୍ରସ୍ତୁତି ବଢ଼ିଲା

0
  • ରାଉରକେଲା ସମେତ ସେଲ୍‌ର ସବୁ ହସ୍ପିଟାଲରେ ଏକ୍‌ମୋ ମେସିନ୍‌ ବ୍ୟବସ୍ଥା ହେବ: ଧର୍ମେନ୍ଦ୍ର ପ୍ରଧାନ
  • ଏମ୍‌ସର ଓଡ଼ିଶା ଶାଖା ବି ଏକ୍‌ମୋ ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ କଲା,ପ୍ରଥମ ଦୁଇଟି ମେସିନ୍ କିଣାଯିବ
  • ପୂର୍ବରୁ ସରକାର କଟକ ପାଇଁ ୬ଟି ମେସିନ୍ କିଣିବା ଲାଗି କହିଥିଲେ, କ୍ୟାପିଟାଲ ହସ୍ପିଟାଲରେ ବି ରହିବ
  • ଓଡ଼ିଶାର ସବୁ ମେଡିକାଲ କଲେଜରେ ଏକ୍‌ମୋ ମେସିନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବକ୍ସିପାତ୍ର

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଲହରରେ ପ୍ରାୟ ୧୭ ପ୍ରତିଶତ ରୋଗୀ ଗୁରୁତର ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ମାତ୍ର ଦୁଇଟି ଘରୋଇ ହସ୍ପିଟାଲରେ ଏକ୍‌ମୋ ମେସିନ୍ ରହିଛି। ଏଣୁ ଅନେକ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାର ଆମ୍ବୁଲାନ୍ସରେ ନେବାକୁ ପଡୁଛି। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ପୂର୍ବରୁ ରାଜ୍ୟରେ ଏକ୍‌ମୋ ଚିକିତ୍ସା ବ୍ୟବସ୍ଥା କରିବା ଲାଗି ପଦକ୍ଷେ ନେଇଛନ୍ତି।

ଠିକ୍ ଏମିତି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଂଟରର ଲୋକାର୍ପଣ କରିବା ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେଲ୍ ଦ୍ୱାରା ପରିଚାଳିତ ରାଉରକେଲା ସମେତ ସମସ୍ତ ହସ୍ପିଟାଲ ଗୁଡିକରେ ଏକ୍‌ମୋ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନର କୋଭିଡ୍ ମହାମାରୀର ସଂକଟ ସମୟରେ ଦେଶର ଇସ୍ପାତ୍ ପ୍ଲାଣ୍ଟ ନିକଟରେ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବା ପାଇଁ ଆହ୍ୱାନ କରିଛନ୍ତି। କୋଭିଡ୍‌-୧୯ ମୁକାବିଲାରେ ଭାରତକୁ ମଜବୁତ୍ କରିବା ପାଇଁ ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’, ଏଭଳି ପରିକଳ୍ପନା କରାଯାଇଛି। ଏଣୁ ଆଗକୁ ଏ ଦିଗରେ ଅଧିକ ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ ଭୁବନେଶ୍ବର ଏମ୍‌ସରେ ମଧ୍ୟ ଦୁଇଟି ଏକ୍‌ମୋ ମେସିନ୍ ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ଏମ୍‌ସ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଦିଆଯାଇଛି। ଏହା ପୂର୍ବରୁ ରାଜ୍ୟ ସରକାର କଟକରେ ୬ଟି ଏକ୍‌ମୋ ମେସିନ୍ ଲଗାଯିବା ସଂପର୍କରେ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏକ୍‌ମୋ ଚିକିତ୍ସା ଲାଗି ପ୍ରସ୍ତୁତ କରାଯିବା ପାଇଁ ସ୍ଥିର ହୋଇଛି।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଭ୍ରୁଗୁ ବକ୍ସିପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। କଟକ ମେଡ଼ିକାଲରେ ଏକ୍‌ମୋ ଚିକିତ୍ସା ନିଷ୍ପତ୍ତିକୁ ସେ ସ୍ବାଗତ କରିଛନ୍ତି।ହେଲେ ରାଜ୍ୟର ଅନ୍ୟ ସମସ୍ତ ମେଡିକାଲରେ ମଧ୍ୟ ଏକ୍‌ମୋ ଚିକିତ୍ସା ଲାଗି ପଦକ୍ଷେପ ନେବାକୁ ଏହି ଚିଠରେ ଅନୁରୋଧ କରାଯାଇଛି। ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା କଟକ ଠାରୁ ବହୁ ଦୂରରେ ଅବସ୍ଥିତ। କଳାହାଣ୍ଡି, ମାଲକାନଗିରି ଭଳି ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ଏଣୁ କୋଭିଡ୍ ସମୟରେ ସାରା ରାଜ୍ୟର ରୋଗୀମାନେ କଟକ ଉପରେ ନିର୍ଭରଶୀଳ। ଏହାଦ୍ବାରା ସେଠାରେ ମଧ୍ୟ ଚାପ ସୃଷ୍ଚି ହୋଇପାରେ। ଏଣୁ ରାଜ୍ୟ ସରକାର ସବୁ ମେଡିକାଲ କଲେଜର ଭିତ୍ତିଭୂମି ସୁଦୃଢ କରିବା ସହିତ ଏକ୍‌ମୋ ଚିକିତ୍ସା କରିବା ଲାଗି ସେ ନିବେଦନ କରିଛନ୍ତି।

Leave A Reply

Your email address will not be published.