ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ଏମ୍ସ ଭୁବନେଶ୍ୱର ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ

0


ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଅସ୍ଥିଶଲ୍ୟ ବିଭାଗକୁ ମିଳିଛି ଆଉ ଏକ ବିରଳ ସଫଳତା। ଏହି ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି। ଏପରି ବିରଳ ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି। ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ଡ଼ାକ୍ତର ସୁଜିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ କେନ୍ଦ୍ରାପଡା ଜିଲ୍ଲାର ଜଣେ ୩୦ ବର୍ଷୀୟ ଯୁବକଙ୍କର ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ କରିଛନ୍ତି

ଏହି ଯୁବକଙ୍କ ବାମ ଜଙ୍ଘହାଡ଼ରେ ଏକ ବଡ଼ ଟ୍ୟୁମର ରହିଥିଲା। ଉକ୍ତ ଯୁବକ ଜଣଙ୍କ ଜଙ୍ଘହାଡ଼ରେ ପ୍ରିମିଟିଭ ନ୍ୟୁରୋଏକ୍ଟୋଡର୍ମାଲ୍ ଭଳି ଜଟିଳ ରୋଗରେ ପୀଡ଼ିତ ଥିଲେ। ଏନେଇ ସେ ପୂର୍ବରୁ ୨୦୧୮ ଏବଂ ୨୦୧୯ରେ ଦୁଇ ଦୁଇଟି ଅସ୍ତ୍ରୋପଚାର କରିସାରିଥିଲେ। ମାତ୍ର ତାହା ଟ୍ୟୁମରକୁ ସମ୍ପୂର୍ଣ୍ଣରୂପେ ହଟାଇବା ପାଇଁ ପର୍ଯ୍ୟାପ୍ତ ନଥିଲା। ପରବର୍ତ୍ତୀ ସମୟରେ ଯୁବକଙ୍କ ଠାରେ ଉକ୍ତ ଟ୍ୟୁମର ବୃଦ୍ଧି ପାଇବା ସହିତ ଅସହ୍ୟ ପୀଡ଼ା ଅନୁଭୂତ ହୋଇଥିଲା। ତେଣୁ ଏହି ଅସ୍ତ୍ରୋପଚାର ପୂର୍ବରୁ ତାଙ୍କୁ କେମୋଥେରାପି ଦିଆଯାଉଥିଲା। ଉକ୍ତ ବିପଦପୂର୍ଣ୍ଣ ଟ୍ୟୁମରଟି ରକ୍ତବାହି ପାଖାପାଖି ଥିଲା। ତେଣୁ ଅତ୍ୟନ୍ତ ସତର୍କତା ଓ ଯତ୍ନର ସହିତ ଅସ୍ତ୍ରୋପଚାର କରାଯାଇ ସମ୍ପୂର୍ଣ୍ଣ ଟ୍ୟୁମରଟିକୁ ଟୋଟୋରେ ଏକ୍ସାଇଜ୍ କରାଯାଇ ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ କରାଯାଇଥିଲା।

ଅସ୍ଥିଶଲ୍ୟ ବିଭାଗର ଡ. ସୁଜିତ କୁମାର ତ୍ରିପାଠୀ ଏବଂ ତାଙ୍କ ଟିମ ଦ୍ୱାରା ଏହି ଜଟିଳ ମେଗାପ୍ରୋଥେସିସ୍ ପ୍ରତିରୋପଣ କରାଯାଇଥିଲା। ଏହି କଠିନ ଅସ୍ତ୍ରୋପଚାର ପ୍ରାୟ ୪ ଘଣ୍ଟା ସମୟ ନେଇଥିଲା | ଡ. ଅପରାଜିତା ପଣ୍ଡା ଏବଂ ତାଙ୍କ ଦଳ ଅସ୍ତ୍ରୋପଚାରରେ ନିଶ୍ଚେତକ ଯୋଗାଇ ଦେଇଥିଲେ। ରାଜ୍ୟରେ ଏପରି ସମ୍ପୂର୍ଣ୍ଣ ଜଙ୍ଘହାଡ଼ ପ୍ରତିରୋପଣ ପ୍ରଥମଥର ପାଇଁ ହୋଇଛି।

ଅସ୍ତ୍ରୋପଚାର ପରେ ରୋଗୀ ସୁସ୍ଥ ଥିବା ଡାକ୍ତର ସୁଜିତ ତ୍ରିପାଠୀ ସୂଚନା ଦେଇଛନ୍ତି। ତେବେ ଏହାପରେ ପରବର୍ତ୍ତୀ କେମୋଥେରାପି ଗ୍ରହଣ ସହିତ ନିଜର ଉତ୍ତମ ଯତ୍ନ ନେବାକୁ ଡାକ୍ତର ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ଏପରି ସଫଳତା ପାଇଁ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏବଂ ମେଡିକାଲ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦେଶର ସ୍ୱଳ୍ପ ସ୍ଥାନରେ ଏପରି ଅସ୍ତ୍ରୋପଚାର କରାଯାଇଥାଏ। ଏମ୍ସରେ ହୋଇଥିବା ଏହି ଅସ୍ତ୍ରୋପଚାର କାରଣରୁ ଯୁବକ ଜଣଙ୍କ ପଙ୍ଗୁ ହେବାରୁ ରକ୍ଷା ପାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.