ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ବିଜେପିର ରାଷ୍ଟ୍ରପତି ନିର୍ବାଚନ ଲୋଭ

0

ବିଜେଡିକୁ ଅସନ୍ତୁଷ୍ଟ କରିବନି, ପାଖରେ ରଖିବାକୁ ବାଧ୍ୟ

ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂଖ୍ୟା ହେଉନି, ନବୀନ ହିଁ ଭରସା

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବେ ଭରସା, ଶାହ ବି କଥା ହୋଇପାରନ୍ତି

ନୀତିଶ ଓ କେସିଆର୍ ବିଗିଡିଯିବା ପରେ ଭୀଷଣ ଚାପରେ ମୋଦୀ

ଭୁବନେଶ୍ବର: ଧୀରେ ଧୀରେ ଏନଡିଏକୁ ମୁହଁ ମୋଡ଼ିଲେଣି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିଜେପି ସହିତ ତାଙ୍କର ସଂପର୍କ ଖରାପ ହେବାକୁ ଯାଉଛି। ଏପଟେ କେସିଆର୍ ବିଜେପି ବିରୋଧୀ ଅଭିଯାନ ଆରମ୍ଭ କରିସାରିଲେଣି। ଦଳର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ବିଜେପି ସହିତ ତାଙ୍କ ସଂପର୍କ କିଭଳି ଅଛି ତାହା ଜଣାଇବା ଲାଗି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ସଭାକୁ ମଧ୍ୟ ଗଲେ ନାହିଁ। ତେଲେଙ୍ଗାନା ଓ ବିହାର ରାଜନୀତିରେ ଏଭଳି ପରିବର୍ତ୍ତନର ପ୍ରଭାବ ଓଡ଼ିଶା ଉପରେ ଗଭୀର ଭାବେ ପଡିବାକୁ ଯାଉଛି।

ଓଡ଼ିଶାରେ ବିଜେପି-ବିଜେଡି ସଂପର୍କ ଗୋଟିଏ ନୂଆ ରୂପ ନେବ। ଆଗକୁ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ପାଖରେ ଯଥେଷ୍ଟ ସଂଖ୍ୟା ନଥିବା ପରିପ୍ରେକ୍ଷୀରେ ଦଳ ଏବେ ବିଜେଡି ଉପରେ ନିର୍ଭରଶୀଳ। ଏଣୁ ଏକତରଫା ହେଉ କିମ୍ବା ଉଭୟଙ୍କ ମଧ୍ୟରେ ଗୋଟିଏ ଭିନ୍ନ ଧରଣର ପ୍ରେମ ସଂପର୍କ ଗଢ଼ିଉଠିପାରେ। ଯଦିଓ ଏହା ଅସ୍ଥାୟୀ ବୋଲି କୁହାଯିବ, ତଥାପି ଉଭୟ ଉଭୟଙ୍କ ସହିତ ବେଶ୍ କିଛି ଦିନ ପାଇଁ ମିତ୍ରତାର ବନ୍ଧନରେ ବାନ୍ଧିହେବେ। ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସମର୍ଥନ ଛଡା ଏବେ ବିଜେପି ପାଖରେ ଆଉ କୌଣସି ରାସ୍ତା ନାହିଁ।

କେବଳ ନବୀନ ସମର୍ଥନ ଦେଲେ ମଧ୍ୟ ହେବ ନାହିଁ, ବିଜେପିକୁ ଓ୍ବାଇଏସଆର୍ କଂଗ୍ରେସ ସମର୍ଥନ ମଧ୍ୟ ଦରକାର। ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ପାଖରେ ବିଧାନସଭାରେ ୧୭,୧୩୫ ଏବଂ ସଂସଦରେ ୧୪,୧୬୦ ମୂଲ୍ୟଭୋଟ ସହ ମୋଟ ୩୧,୨୯୫ ମୂଲ୍ୟ‌ଭୋଟ ରହିଛି। ସେହି ଭଳି ୱାଇଏସଆର ପାଖରେ ମୋଟ ୪୩,୬୭୪ ମୂଲ୍ୟଭୋଟ ରହିଛି। ଏହି ସମର୍ଥନ ହାସଲ କଲେ ଯାଇ ବିଜେପି ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନ ଜିତିପାରିବେ। ଅବଶ୍ୟ ଏବେ ହେବାକୁ ଯାଉଥିବା ୫୭ ରାଜ୍ୟସଭା ନିର୍ବାଚନ ଭୋଟ ସ୍ଥିତିରେ କିଛିଟା ସୁଧାର ଆଣିପାରେ, କିନ୍ତୁ ପୂରା ବଦଳାଇବାର ଶକ୍ତି ରଖେନାହିଁ। ନୀତୀଶଙ୍କ ଜେଡିୟୁର ଭୋଟ୍‌ ଭାଲ୍ୟୁ ୨୨ ହଜାରରୁ ଅଧିକ ରହିଛି।

ରାଷ୍ଟ୍ରପତି ନିର୍ବାଚନ ଗଣିତ କହୁଛି ଯେ ଏନଡିଏ ପାଖରେ ଏବେ ୪୮.୯ ପ୍ରତିଶତ ଭୋଟ ରହିଛି। ବିରୋଧୀ ୫୧.୧ ପ୍ରତିଶତ ଭୋଟ ରଖି ଆଗରେ ରହିଛନ୍ତି। କେସିଆର୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ଏକାଠି ହେଉଛନ୍ତି। କଂଗ୍ରେସ ସହିତ ସେମାନଙ୍କ ସଂପର୍କରେ ବିଶେଷ ମଧୁରତା ନ ଥିଲେ ମଧ୍ୟ ବିଜେପି ନେତୃତ୍ବାଧୀନ ନରେନ୍ଦ୍ର ମୋଦୀ ସରକାରକୁ ପାନେ ଦେବା ଲାଗି ସେମାନେ ହାତ ମିଳାଇବାକୁ ଯୋଜନା ଚଳାଇଛନ୍ତି। ଠିକ୍ ଏମିତି ଏକ ସମୟରେ ନୀତିଶକୁମାର ଓ ବିଜେପି ସଂପର୍କ ଖରାପ ହେବାକୁ ଯାଉଥିବା କାରଣରୁ ବିଜେପି ସ୍ଥିତି ଆହୁରି ଗମ୍ଭୀର ହେବାକୁ ଯାଉଛି। ଏଣୁ ବିଜେଡିକୁ ମନାଇବା ପାଇଁ ବିଜେପି ଏବେ ଫୁଲ୍ ଦମରେ ଲାଗିପଡିଛି।

ପୁରୀରେ ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ କିଛି ନେତା ଗର୍ଜନ ତର୍ଜନ କରୁଥିଲେ ବି କେନ୍ଦ୍ରୀୟ ନେତା ଚୁପ୍ ରହିବେ। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବେ ବିଜେଡିର ସମର୍ଥନ ହାସଲ ଲାଗି ଫୁଲ୍ ଦମରେ ପ୍ରୟାସ କରୁଥିବା ଜଣାପଡିଛି। ଆବଶ୍ୟକ ହେଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ନବୀନଙ୍କ ସହିତ କଥା ହେବେ ବୋଲି ସୂଚନା ମିଳୁଛି। ଏଣୁ ରାଜ୍ୟ ବିଜେପି ପାଇଁ ଏବେ କୌଣସି ଆଶ୍ବସ୍ତିକର ନାହିଁ। ଏପରିକି ବିଜେପି ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ଉପନିର୍ବାଚନରେ ଯେଭଳି ତାକତ ଦେଖାଇବା କଥା ତାହା ମଧ୍ୟ ପରିଦୃଷ୍ଟ ହେଉନାହିଁ। ରାଜ୍ୟ ନେତା ଓ କେନ୍ଦ୍ରମନ୍ତ୍ରୀ ଉଭୟ ଏବେ ବିଜେଡି ବିରୋଧରେ ମୁଖରା ହେବା ବଦଳରେ ମୁକ ପାଲଟିଯାଇଛନ୍ତି। ଏହା ବିଜେଡିକୁ ପୁଣି ଥରେ ସୁହାଇଛି।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଗର୍ଜନ ତର୍ଜନ କରୁଥିଲା। ହେଲେ ବିଜେଡିର ଆଖି ଖୋସି ହୋଇଗଲା ଭଳି ସଫଳତା ବିଜେପିକୁ ଡରାଇ ଦେଇଛି। ସେବେଠୁ ବିଜେପି ଚୁପ୍ ପଡିଯାଇଛି। କେନ୍ଦ୍ର ସରକାର ନବୀନଙ୍କୁ ଅସନ୍ତୁଷ୍ଟ କରିବା ଲାଗି ଆଦୌ ଚାହୁଁନାହାନ୍ତି, ତେଣିକି ରାଜ୍ୟ ନେତା ଯେତେ ଅସନ୍ତୋଷ ଝାଡନ୍ତୁ। ଅବଶ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ବିଜେପି ତାର ଆଭିମୁଖ୍ୟରେ ଅନେକ ପରିବର୍ତ୍ତନ ଆଣିବ, ଏକଥା ଆଉ କେହି ନ ବୁଝିଲେ ବି ନବୀନ ବୁଝିଛନ୍ତି।

Leave A Reply

Your email address will not be published.