ମୟୂରଭଞ୍ଜ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ ଯୁକ୍ତ ୨ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ଓ ବିଶୋଇ ସ୍ଥିତ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ ନାମିତ କରିବା ଏବଂ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟଯେ, ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ବିଶୋଇ ମିନିଷ୍ଟାଡିଅମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ମୟୂରଭଞ୍ଜ ଜିଲ୍ଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପ ଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଲା। ଆଜି ଦିନଟି ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ରାଇରଙ୍ଗପୁର, କୁସୁମି, ବିଜାତଳା, ବହଳଦା, ଜାମ୍ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ। ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୨୦୩୬ ସୁଦ୍ଧା ଏହି ସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ୩୬ଟି ସ୍ପଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ଏହାକୁ କୁହାଯାଉଛି ‘୩୬ ପାଇଁ ୩୬’। ଆପଣମାନଙ୍କ ସହଯୋଗରେ, ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଉଦ୍ୟମରେ ଆମେ ଗଢ଼ିବୁ ସମୃଦ୍ଧ ଓଡ଼ିଶା। ଏହା ହେବ ଆମ ସମସ୍ତଙ୍କର ସ୍ୱପ୍ନର ଓଡ଼ିଶା। ସମୃଦ୍ଧ ଓଡ଼ିଶାରେ ଆମେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି ଆଦି ସବୁ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାର ଲକ୍ଷ୍ୟ ରଖିଛୁ।