କଟକ: ଏଣିକି ଅଫିସରେ ଡେରିରେ ପହଞ୍ଚିଲେ ହେବ ଦରମା ବନ୍ଦ। ବିଳମ୍ବରେ ଅଫିସ ଆସୁଥିବା ସିଡିଏର ୧୫ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଶ୍ଵେତ କୁମାର ଦାଶ।
କଟକ ଉନ୍ନୟନ କର୍ତ୍ତୃପକ୍ଷର ବହୁ କର୍ମଚାରୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁନଥିବାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ତାଗିଦ୍ ସତ୍ତ୍ୱେ କିଛି କର୍ମଚାରୀ ଅଫିସ୍କୁ ଠିକ୍ ସମୟରେ ଆସୁ ନଥିଲେ। ଜନସାଧାରଣ କୌଣସି କାର୍ଯ୍ୟ ଲାଗି ଦିନ ୧୦ଟାରେ ସିଡିଏ କାର୍ଯ୍ୟାଳୟରେ ପହଞ୍ଚିଲାବେଳକୁ କର୍ମଚାରୀଙ୍କ ଦେଖା ମିଳୁନଥଲା। ଏପରିକି ଦିନ ୧୨ଟା ପର୍ଯ୍ୟନ୍ତ ବି ବହୁ କର୍ମଚାରୀ ଆସୁ ନଥିବାରୁ ବରିଷ୍ଠ ନାଗରିକଙ୍କ ସମେତ ଅନେକ ବ୍ୟକ୍ତି କାର୍ଯ୍ୟାଳୟରୁ ନିରାଶ ହୋଇ ଫେରୁଥିଲେ।
ଏହି ଘଟଣାକୁ ଦୃଷ୍ଟିରେ ରଖି କଟକ ଉନ୍ନୟନ କର୍ତ୍ତୃପକ୍ଷ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସିଡିଏର ସଚିବ ଶ୍ଵେତ କୁମାର ଦାଶଙ୍କୁ ଏନେଇ ଅନେକ ଲୋକ ଅଭିଯୋଗ କରିଥିଲେ। ଫଳରେ ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ପାଇଁ ପ୍ରଥମେ କର୍ମଚାରୀମାନଙ୍କୁ ତାଗିଦ କରାଯାଇଥିଲା।
ସିଡିଏର କେତେକ ବିଭାଗର ରେଜିଷ୍ଟର ମଗାଇବା ପରେ ଅନେକ କର୍ମଚାରୀ ସାଢ଼େ ୧୧ଟା ସୁଦ୍ଧା ବି କାର୍ଯ୍ୟାଳୟକୁ ଆସିନଥିବା ଦେଖିବାକୁ ପାଇଥିଲେ। ଏପରିକି କାର୍ଯ୍ୟରେ ଅବହେଳା କରିଥିବା ଏହି କର୍ମଚାରୀମାନଙ୍କ ଦରମା ବନ୍ଦ ପାଇଁ ସଚିବ ତୁରନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ଯଦି କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ ନଆସନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ସତର୍କ କରାଇ ଦେଇଛନ୍ତି।