ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏନେଇ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି।
ବିଭିନ୍ନ ସ୍କିମ୍ ଓ ବଜେଟ୍ ମାଧ୍ୟମରେ ବିଭାଗକୁ ମିଳୁଥିବା ଅର୍ଥରାଶିର ଶତପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତ ମାନର ଗମନା ଗମନ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏଥିସହିତ ରାସ୍ତା ଓ ସେତୁ ଗୁଡିକର ଗୁଣବତ୍ତା ସହିତ ଏହାର ରକ୍ଷଣା ବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ମାନର କାମ କରୁଥିବା କଣ୍ଟ୍ରାକ୍ଟର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପାହାଡିଆ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ଲୋକଙ୍କ ଗମନାଗମନ ପାଇଁ ଉତ୍ତମ ମାନର ରାସ୍ତା ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା କଣ୍ଟ୍ରାକ୍ଟର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅଦ୍ୟାବଧି ଅନୁମୋଦନ ପ୍ରାପ୍ତ ୭୩ ହଜାର ୯୮୪.୮୮ କିଲୋମିଟର ରାସ୍ତା ମଧ୍ୟରୁ ୭୦ ହଜାର ୭୧୧.୨୪ କିଲୋମିଟର ରାସ୍ତା ନିର୍ମାଣ କରି ଓଡିଶା ଭାରତ ବର୍ଷରେ ଚତୁର୍ଥ ସ୍ଥାନ ହାସଲ କରିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାର୍ଗଦର୍ଶିକା ଅନୁଯାୟୀ କାମ କରାଯାଉଥିଲା। ବର୍ତ୍ତମାନ ଏହାର ଚତୁର୍ଥ ପର୍ଯ୍ୟାୟର କାମ ମଧ୍ୟ ହାତକୁ ନିଆଯାଇଛି। ଏହି ପର୍ଯ୍ୟାୟରେ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ, ଆକାଂକ୍ଷୀ ବ୍ଲକ, ନକ୍ସଲ ପ୍ରଭାବିତ ଅଞ୍ଚଳ ମାନଙ୍କରେ ସଡକ ଓ ସେତୁ ନିର୍ମାଣ କରାଯିବ। ଚତୁର୍ଥ ପର୍ଯ୍ୟାୟରେ ୧,୦୨୧ଟି ଯୋଗାଯୋଗ ବିହୀନ ଜନ ବସତି ପାଇଁ ୯୪୨ଟି ସଡକ ଓ ୮ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି।
ସେହିଭଳି ୧୦୦ରୁ ଅଧିକ PVTG ବର୍ଗର ଜନବସତି ଗୁଡିକର ସଂଯୋଗୀ କରଣ ପାଇଁ ପିଏମ୍ ଜନମନ୍ ଯୋଜନାରେ ୭୩ଟି ଗ୍ରାମରେ ୬୬ଟି ରାସ୍ତା ଓ ୪ଟି ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୫୦୦.୩୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୪୬୯.୯୪ କୋଟି ଟଙ୍କା ବ୍ୟୟବରାଦରେ ୫୦୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି। ସେତୁବନ୍ଧନ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୬ଟି ସେତୁ ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ ଟି ସେତୁ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି।