ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ୧୭ ତମ ବିଧାନସଭାର ଚତୁର୍ଥ ଅଧିବେଶନ। ଆଜି ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ବିରୋଧୀ କଂଗ୍ରେସ ଦଳ। ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ। କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଏନେଇ ଚିଠି ଦେଇଛନ୍ତି। ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା। ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଏହି ଅନାସ୍ଥା ଆଣିଛି। ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ। ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗୃହକୁ ସରଗରମ କରିପାରେ ଅନାସ୍ଥା ତାତି।
ମୌସୁମୀ ଅଧିବେଶନକୁ ସରଗରମ କରିବାକୁ ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକରେ ପୁରା ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ମାଳମାଳ ପ୍ରସଙ୍ଗ ରହିଛି। କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିବା ବେଳେ ବିଜେଡି ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ବଳଙ୍ଗା ପୋଡ଼ି ଘଟଣା, ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ମହାନଦୀ ଜଳ ବିବାଦ ଏବଂ ଓଟିଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ସାର ଅଭାବ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଓ ନାରୀ ସୁରକ୍ଷା ଇତ୍ୟାଦି ପ୍ରସଙ୍ଗ ଉପରେ ହଟଗୋଳ କରିପାରେ । ଚଳିତ ଅଧିବେଶନରେ ୭ ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ।