ଭୁବନେଶ୍ବର: ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହ ‘ଆମ ସାଥୀ’ ଚାଟ୍ବଟ୍ର ଉପଯୋଗିତା ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ ମନ୍ତ୍ରୀ ହ୍ୱାଟସଆପ୍ ମାଧ୍ୟମରେ ଉପଲବ୍ଧ ‘ଆମ ସାଥୀ’ ଚାଟ୍ବଟ୍କୁ ରାଜସ୍ୱ ସେବା ପ୍ରଦାନ ପାଇଁ ଆହୁରି ସହଜ, ସୁଗମ ଏବଂ ଲୋକାଭିମୁଖୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସାଧାରଣ ଲୋକେ ଯେପରି ସହଜରେ ପ୍ରଶାସନକୁ ନିଜ ସମସ୍ୟା ଜଣାଇ ପାରିବେ ଏବଂ ତ୍ୱରିତ ସହାୟତା ପାଇପାରିବେ, ସେଥିପାଇଁ ଚାଟ୍ବଟ୍ର କ୍ଷମତା ବୃଦ୍ଧି କରାଯାଉଛି। ଏହା ଦ୍ୱାରା ଜନସାଧାରଣ ହ୍ୱାଟସଆପ୍ ମାଧ୍ୟମରେ ନିଜ ଅଭିଯୋଗ ଦାଖଲ କରିପାରିବେ ଏବଂ ତହସିଲଦାର ଓ ସମ୍ପର୍କିତ ଅଧିକାରୀମାନେ ତାହାକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବେ। ଏହା ସହିତ, ସମସ୍ତ ପ୍ରକ୍ରିୟାକୁ ରାଜସ୍ୱ ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନଜରରେ ରଖିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ସରକାରୀ ସେବା ପ୍ରଦାନ ପ୍ରକ୍ରିୟାକୁ ଆହୁରି ପ୍ରଭାବଶାଳୀ ଓ ପାରଦର୍ଶୀ କରାଯିବ ବୋଲି ଆଶା କରାଯାଉଛି।