ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ‘ଭାରତ ଟ୍ରାଇବ୍ସ ଉତ୍ସବ ୨୦୨୬’ ସଫଳତାର ସହ ଶେଷ ହୋଇଛି, ଯେଉଁଠାରେ ୪.୫ କୋଟି ଟଙ୍କାରୁ ଅଧିକ ବିକ୍ରୟ ହୋଇଥିବା ସୂଚନା ମିଳିଛି। ଏହା ଆଦିବାସୀ ଉତ୍ପାଦକୁ ମୁଖ୍ୟ ବଜାର ସହିତ ଯୋଡ଼ିବାରେ ଏକ ମହତ୍ୱପୂର୍ଣ୍ଣ ମଞ୍ଚ ବୋଲି କେନ୍ଦ୍ର ସରକାର କହିଛନ୍ତି।
ସୁନ୍ଦର ନର୍ସରୀରେ ଆୟୋଜିତ ୧୯ ଦିନିଆ ଏହି ଉତ୍ସବରେ ଆଦିବାସୀ ସଂସ୍କୃତି, କଳାକୃତି ଓ ବ୍ୟବସାୟକୁ ଭାରି ପ୍ରୋତ୍ସାହନ ମିଳିଛି। ୧.୫ ଲକ୍ଷରୁ ଅଧିକ ଦର୍ଶକ ଏହି ଉତ୍ସବକୁ ଦେଖିଥିଲେ। ଉତ୍ସବରେ ୨୦୦ରୁ ଅଧିକ ଷ୍ଟଲ୍ରେ ହସ୍ତଶିଳ୍ପ, ହସ୍ତତନ୍ତୁ ଓ ପ୍ରାକୃତିକ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା। ୩୦୦ରୁ ଅଧିକ ଆଦିବାସୀ କାରିଗର ଓ ୭୫ରୁ ଅଧିକ ବନଧନ ବିକାଶ କେନ୍ଦ୍ର ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଶ୍ରେଷ୍ଠ କାରିଗର ଓ ବ୍ୟବସାୟୀଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ସମୟରେ ନୂତନ ‘ରିସା’ ବ୍ରାଣ୍ଡ ମଧ୍ୟ ଆରମ୍ଭ ହୋଇଥିଲା, ଯାହା ଆଦିବାସୀ ଉତ୍ପାଦକୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରକୁ ନେବାରେ ସାହାଯ୍ୟ କରିବ। ଏହି ଉତ୍ସବ ଆଦିବାସୀ ଜୀବିକା ବୃଦ୍ଧି, ସ୍ୱାବଳମ୍ବନ ଓ ସାମୁହିକ ଆର୍ଥିକ ଉନ୍ନତିକୁ ଆଗକୁ ବଢ଼ାଇବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।