e-KYC ବିନା ମିଳିବନି ସିଲିଣ୍ଡର
ଭୁବନେଶ୍ୱର: ରାଜ୍ୟରେ ଗ୍ୟାସ ବିକ୍ରି ଓ ବଣ୍ଟନକୁ ନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ଆଉ ବାଟରେ କିମ୍ବା ବଜାରରେ ଖୋଲାରେ ଗ୍ୟାସ ବିକ୍ରି ହେବନି। ଏହି ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର କେଉଁସି ସ୍ଥାନରେ ଆଉ ଖୋଲାରେ ଗ୍ୟାସ ଭର୍ତ୍ତି କରି ଆଣିବା କିମ୍ବା ବିକ୍ରି କରିବାକୁ ଅନୁମତି ନଥିବ।
ନୂତନ ନିୟମ ଅନୁଯାୟୀ, କେବଳ ଲାଇସେନ୍ସପ୍ରାପ୍ତ ଏଜେନ୍ସି ମାଧ୍ୟମରେ ଗ୍ୟାସ ବିକ୍ରି ହେବ। ଖୋଲାରେ ବା ଅନଧିକୃତ ଭାବେ ଗ୍ୟାସ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ। ସମସ୍ତ ଏଜେନ୍ସିଙ୍କୁ ଏହି ନିୟମ କଡ଼ାଭାବେ ପାଳନ କରିବାକୁ ନିର୍ଦ୍ଦେଶ। ଏହା ସହିତ, ମନ୍ତ୍ରୀ କହିଛନ୍ତି ଯେ ଏଣିକି ଇ-କେଓ୍ବାଇସି ଥିଲେ ହିଁ ଗ୍ୟାସ ସିଲିଣ୍ଡର ମିଳିବ। ବିନା ଇ-କେଓ୍ବାଇସିରେ ଗ୍ୟାସ ଯୋଗାଣ ହେବନି। ଏନେଇ ସମସ୍ତ ଗ୍ୟାସ ଏଜେନ୍ସିଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ପେଟ୍ରୋଲ ଓ ଡିଜେଲ ସମ୍ପର୍କିତ ନୀତି କେନ୍ଦ୍ର ସରକାରଙ୍କ ଅଧୀନରେ ଥାଏ ଏବଂ ସେଥିରେ କେନ୍ଦ୍ରର ନିଷ୍ପତ୍ତିକୁ ରାଜ୍ୟ ସରକାର ମାନିବ। ଗ୍ୟାସ ସଙ୍କଟ ପରିପ୍ରେକ୍ଷିରେ ଏହି ନିଷ୍ପତ୍ତି ଗ୍ୟାସ ବଣ୍ଟନ ପ୍ରଣାଳୀକୁ ସୁସଂଘଟିତ କରିବା ସହ ଅନିୟମିତତାକୁ ରୋକିବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି।