ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲ ଜିଲ୍ଲାରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ରିଖନିଖାଲ ଅଞ୍ଚଳର କଲୱାଡ଼ି ନିକଟରେ ଏକ ଗାଡ଼ି ଗଭୀର ଘାଟିକୁ ଖସିପଡ଼ିବାରୁ ୭ ଜଣଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ଆଉ ୫ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗାଡ଼ିଟି ଭଙ୍ଗଲୱାଡ଼ ଗାଁକୁ ଯାଉଥିବାବେଳେ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତାରୁ ତଳକୁ ଖସି ଗଭୀର ଘାଟିରେ ପଡ଼ିଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଶୋକ ପ୍ରକାଶ କରିବା ସହ ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ତେହରି ଗଢ଼ୱାଲ ଜିଲ୍ଲାର ଗୁଲାର ପୋଲ ନିକଟରେ ଏକ ଯାତ୍ରୀବାହୀ ବସ୍ ପ୍ରାୟ ୧୦୦ ମିଟର ଗଭୀର ଘାଟିକୁ ଖସିପଡ଼ିଥିଲା। ସେହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।