ଚନ୍ଦନପୁର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା। ବାଲି ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ‘ମୋ ବସ୍’। ପରେ ପରେ ‘ମୋ ବସ୍’ ପଛରେ ଆସୁଥିବା ଯାତ୍ରୀବାହୀ ଓ୍ବିଙ୍ଗର ଗାଡି ମଧ୍ୟ ମୋ ବସ୍କୁ ଧକ୍କା ଦେଇଛି। ଏହି ସିରିଜ ଦୁର୍ଘଟଣାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ଏହି ମର୍ମନ୍ତୁଦ ସିରିଜ୍ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୋ ବସ୍ରେ ଥିବା କିଛି ଯାତ୍ରୀ ଗୁରୁତର ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।
ଏକ ବାଲି ବୋଝେଇ ଟିପର୍ ର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିଲା। ଏପଟେ ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଥିବା ମୋ ବସ୍ ପଛପଟୁ ପ୍ରଥମେ ଟିପର୍ କୁ ଧକ୍କା ଦେଇଥିଲା। ଏହା ପଛରେ ଥିବା ଏକ ଯାତ୍ରୀବାହୀ ଓ୍ବିଙ୍ଗର ଗାଡି ମୋ ବସ୍ କୁ ଧକ୍କା ଦେଇଥିଲା। ଫଳରେ ମୋ ବସ୍ ରେ ଥିବା ୧୫ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସହ ୱଇଙ୍ଗର୍ ରେ ଥିବା ଗୋରଖପୁର ଓ ଟାଟା ଅଞ୍ଚଳର ଛଅ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସମସ୍ତ ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସିରିଜ୍ ଦୁର୍ଘଟଣା ଯୋଗୁଁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଓ ସଦର ଥାନା ପୋଲିସ ପହଞ୍ଚିଥିଲା ଓ ତଦନ୍ତ ଆରମ୍ଭ କରିଛନ୍ତି।