୧ କିଲୋ ଘିଅରେ ୫୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗାମାଡ଼। ଦେଶର ପ୍ରମୁଖ ଦୁଗ୍ଧଜାତ ଦ୍ରବ୍ୟ ବ୍ରାଣ୍ଡ ଅମୂଲ ଘିଅ ଓ ବଟରର ଦାମ୍ ବଢ଼ାଇଛି। ୧ କିଲୋଗ୍ରାମ ଘିଅ ପ୍ୟାକେଟ୍ର ମୂଲ୍ୟ ୫୦ ଟଙ୍କା ବଢ଼ିଥିବା ବେଳେ ୫୦୦ ଗ୍ରାମ ବଟର ପ୍ୟାକେଟ୍ ୧୫ ଟଙ୍କା ମହଙ୍ଗା ହୋଇଛି। ଏହା ସହ ଗୁଜରାଟ ସମେତ ଦେଶର ଅନେକ ସହରରେ ଅମୂଲ ଘିଅର ଅଭାବ ଦେଖାଦେଇଛି।
ଘିଅ ଓ ବଟରର ଦାମ୍ ବୃଦ୍ଧି ପଛରେ ନକଲି ଘିଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ପର୍ବପର୍ବାଣୀରେ ବଢ଼ୁଥିବା ଚାହିଦାକୁ ପ୍ରମୁଖ କାରଣ ଭାବେ ଦେଖାଯାଉଛି।
ସାମ୍ପ୍ରତିକ ଦିନରେ ଗୁଜରାଟ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରୁ ପ୍ରାୟ ୨ ଲକ୍ଷ କିଲୋଗ୍ରାମ ନକଲି ଘିଅ ଜବତ ହୋଇଛି। ଏହା ପରେ ଗ୍ରାହକମାନେ ସ୍ଥାନୀୟ ଓ ଅଣବ୍ରାଣ୍ଡେଡ୍ ଘିଅ ବଦଳରେ ଅମୂଲ ଭଳି ବିଶ୍ୱସ୍ତ ବ୍ରାଣ୍ଡକୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ ଚାହିଦା ହଠାତ୍ ବଢ଼ିଛି। ଏଥିସହ ଦେଶର ବାର୍ଷିକ ଘିଅ ବ୍ୟବହାରର ପ୍ରାୟ ୪୫% ପର୍ବପର୍ବାଣୀ ସମୟରେ ହୋଇଥାଏ। ଦୀପାବଳି ପୂର୍ବରୁ ଚାହିଦା ବଢ଼ିବା ଯୋଗାଣ ବ୍ୟବସ୍ଥା ଉପରେ ଚାପ ପକାଇଛି।
ସେପ୍ଟେମ୍ବର ୨୦୨୫ରେ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଜିଏସଟି ହାର ୧୨%ରୁ ୫%କୁ ହ୍ରାସ ପାଇବା ପରେ ଅମୂଲ ୧ କିଲୋଗ୍ରାମ ଘିଅର ଦାମ୍ ୬୫୦ରୁ ୬୧୦ ଟଙ୍କା ଏବଂ ବଟରର ଦାମ୍ ୩୦୫ରୁ ୨୮୫ ଟଙ୍କାକୁ ହ୍ରାସ କରିଥିଲା। କିନ୍ତୁ ସଦ୍ୟତମ ମୂଲ୍ୟ ବୃଦ୍ଧି ଜିଏସଟି ହ୍ରାସରୁ ମିଳିଥିବା ଆଶ୍ୱସ୍ତିକୁ ହ୍ରାସ କରିଦେଇଛି। ଦୀପାବଳି ପୂର୍ବରୁ ଘିଅ ଓ ବଟର ମହଙ୍ଗା ହେବା ସାଧାରଣ ପରିବାରର ଉତ୍ସବ ବଜେଟ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି।