ଭୁବନେଶ୍ଵର, ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି। ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। କିଛିଦିନ ହେଲା ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଓ କିଛିଦିନ ପୂର୍ବରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୧୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରିଥିଲେ। ୬୭ ବର୍ଷ ବୟସରେ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି।
୧୯୫୮ ମସିହା ଜାନୁଆରୀ ପହିଲାରେ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିବା ଉତ୍ତମ ମହାନ୍ତି ଛୋଟ ବେଳୁ ଅଭିନୟ ପ୍ରତି ସମର୍ପିତ ଥିଲେ। ବାରିପଦାରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ଉଚ୍ଚଶିକ୍ଷା ପାଇଁ କଟକ ଆସିଥିଲେ। ତେବେ ଅଭିନୟ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ସିନେମାର ସ୍ୱପ୍ନ ଦୁନିଆ ଆଡକୁ ନେଇଯାଇଥିଲା ଏବଂ ସେ କମ ବୟସରେ ଫିଲ୍ମ ଜଗତରେ ପାଦ ଥାପିଥିଲେ। କଲେଜ ସମୟରେ ଅଭିନୟ ପ୍ରତି ତାଙ୍କର ଆଗ୍ରହ ବୃଦ୍ଧି ପାଇଥିଲା, କାରଣ ସେ ନାଟକରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଥିଲେ, ସବୁବେଳେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚେଷ୍ଟା କରୁଥିଲେ। ଅଭିନୟ ବ୍ୟତୀତ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ ଭଳି କ୍ରୀଡ଼ା ପ୍ରତି ମଧ୍ୟ ତାଙ୍କର ଆଗ୍ରହ ଥିଲା।
୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।
ଉତ୍ତମ ମହାନ୍ତି ପତି ପତ୍ନୀ, ନିଝୁମ ରାତିର ସାଥୀ, ଚିହ୍ନା ଅଚିହ୍ନା, ରାମାୟଣ, ତପସ୍ୟା, ଦଣ୍ଡା ବାଳୁଙ୍ଗା, ଜୀବନ ସଂଗ୍ରାମ, ସୁନା ଚଢେଇ ଓ ରାମ ବଳରାମ ଭଳି ହିଟ୍ ସିନେମା ଜରିଆରେ ଲୋକପ୍ରିୟତା ଅର୍ଜନ କରିଥିଲେ। ରୋମାଣ୍ଟିକ୍ ହିରୋଠାରୁ ଆରମ୍ଭ କରି ଆକ୍ସନ ଭରା ଅଭିନୟ ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ଖାପ ଖୁଆଇବାର ଦକ୍ଷତା ତାଙ୍କୁ ଆମ ସମୟର ଏକ ବହୁମୁଖୀ ତାରକାରେ ପରିଣତ କରିଥିଲା। ସେ ୩୦ରୁ ଅଧିକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଶତାବ୍ଦୀ ରାୟଙ୍କ ସହ ଏକ ହିନ୍ଦୀ ଚଳଚ୍ଚିତ୍ର ‘ନୟା ଜହର’ରେ ମଧ୍ୟ ଅଭିନୟ କରିଥିଲେ।
ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମ ହୋଇଥିଲେ ଉତ୍ତମ ମହାନ୍ତି। ସେ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିଲେ। ତାଙ୍କ ପୁଅ ବାବୁସାନ ମଧ୍ୟ ଜଣେ ଆଗଧାଡିର ଅଭିନେତା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ପ୍ରମୁଖ ଖବର
ବୁଣାକାର ଶ୍ରମିକଙ୍କ ପାଇଁ ଭତ୍ତା ବଢାଇଲେ ରାଜ୍ୟ ସରକାର
ମଣିପୁରରେ ଆହୁରି ୬ ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ
ଏଣିକି ଓଡ଼ିଆରେ ପାଠ ପଢ଼ିବେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ
ଭିଜିଲାନ୍ସ ଜାଲରେ ଜୟପୁର ଫରେଷ୍ଟ ରେଞ୍ଜର: ଘରୁ ମିଳିଲା ଟ୍ରେଜେରି ଭର୍ତ୍ତି ଟଙ୍କା
ଓଡ଼ିଶା ଟେକ୍ସର ଶୁଭାରମ୍ଭ,ସମଗ୍ର ଦେଶରେ ପହଞ୍ଚିବ ଓଡ଼ିଶାର ବସ୍ତ୍ର: ମୁଖ୍ୟମନ୍ତ୍ରୀ
ସବ୍ ଇନ୍ସିପେକ୍ଟର ନିଯୁକ୍ତି ପାଇଁ ବଢିଲା ବୟସସୀମା
ରେଳ ଷ୍ଚେସନ ଏବଂ ବସ ଷ୍ଟାଣ୍ଡରେ ପ୍ରତିଷ୍ଠା ହେବ ଶିଶୁ ସହାୟତା କେନ୍ଦ୍ର