ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରୁ ୧.୦୩ କୋଟି ଟଙ୍କା ମୂଲ୍ୟର ୧୦ଟି ଚୀନ୍ ନିର୍ମିତ ଡ୍ରୋନ୍ ଜବତ କରିଛି ସୀମାଶୁଳ୍କ ବିଭାଗ। ଏହି ଘଟଣାରେ ୩ ଜଣ ଭାରତୀୟ ଯାତ୍ରୀଙ୍କୁ ଅଟକାଇ ପଚରାଉଚରା କରାଯାଉଛି। ଗତ ୨୫ ତାରିଖରେ ହଂକଂରୁ ଭିଏତ୍ନାମ ଦେଇ ସେମାନେ ଦିଲ୍ଲୀର ଟର୍ମିନାଲ୍-୩ରେ ପହଞ୍ଚିଥିଲେ।
ଗୁପ୍ତ ସୂଚନା ଆଧାରରେ ଗ୍ରୀନ୍ ଚ୍ୟାନେଲ୍ ଦେଇ ଯାଉଥିବା ବେଳେ ସୀମାଶୁଳ୍କ ଅଧିକାରୀ ସେମାନଙ୍କୁ ଅଟକାଇଥିଲେ। ବ୍ୟାଗ୍ ଯାଞ୍ଚ ସମୟରେ ଚୀନ୍ର ‘ଅଟେଲ୍ ରୋବୋଟିକ୍ସ’ର ୧୦ଟି ଏମଡିଏକ୍ସ-୧ ଡ୍ରୋନ୍ ସହ ୧୧ଟି କଣ୍ଟ୍ରୋଲର୍, ୧୦ଟି କ୍ୟାମେରା ଗିମ୍ବଲ୍, ୬୦ଟି ପ୍ରୋପେଲର୍, ୨୦ଟି ଆଣ୍ଟିନା ଏବଂ ୪୦ଟି ଜଏଷ୍ଟିକ୍ ମିଳିଥିଲା। ଏଥିସହ ଏକ ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସ ମଧ୍ୟ ଜବତ ହୋଇଛି। ପଚରାଉଚରା ବେଳେ ଜଣେ ଯାତ୍ରୀ ଜଣେ ବନ୍ଧୁଙ୍କ ପାଇଁ ଏହି ସାମଗ୍ରୀ ଆଣିଥିବା କହିଛନ୍ତି। ତେବେ ଏହାକୁ ନେଇ ସୀମାଶୁଳ୍କ ବିଭାଗକୁ କୌଣସି ଘୋଷଣା କରାଯାଇନଥିଲା। ଭାରତରେ ବିଦେଶୀ ଡ୍ରୋନ୍ ଆମଦାନୀ ଉପରେ କଟକଣା ଥିବା ବେଳେ ଜବତ ଡ୍ରୋନ୍ଗୁଡ଼ିକ ଜିପିଏସ୍ ବିନା ମଧ୍ୟ ଉଡ଼ିପାରୁଥିବା ଜଣାପଡ଼ିଛି।