ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
ନୂଆଦିଲ୍ଲୀ: ଶୀତ ଋତୁରେ ଦିଲ୍ଲୀର ବଢୁଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ ଅକ୍ଟୋବର ୧ରୁ କଡ଼ାକଡ଼ି ସହ ‘ନୋ ପିୟୁସିସି, ନୋ ଫ୍ୟୁଏଲ୍’ ବ୍ୟବସ୍ଥା ଲାଗୁ ହୋଇଛି। ଏହି ନିୟମ ଅନୁସାରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିବା ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ଦିଆଯିବ ନାହିଁ। ଦିଲ୍ଲୀର ପ୍ରାୟ ୫୦୦ ପେଟ୍ରୋଲ ପମ୍ପରେ ଲାଗିଥିବା ଏଏନ୍ପିଆର୍ କ୍ୟାମେରା ମାଧ୍ୟମରେ ଗାଡ଼ି ଚିହ୍ନଟ କରାଯାଉଛି। ପିୟୁସିସିର ବୈଧତା ଯାଞ୍ଚ ପରେ ହିଁ ଇନ୍ଧନ ଦିଆଯାଉଛି। ବୈଧ ପିୟୁସିସି ବିନା ଗାଡ଼ି ଚଳାଇଲେ ମୋଟର ଯାନ ଆଇନ ଅନୁସାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ହୋଇପାରେ।
ଏହାଛଡ଼ା ନଭେମ୍ବର ୧ରୁ ଦିଲ୍ଲୀ ବାହାରେ ପଞ୍ଜୀକୃତ ନନ୍-ବିଏସ୍-୬ ପେଟ୍ରୋଲ ଓ ଡିଜେଲ ଗାଡ଼ିର ଦିଲ୍ଲୀ ପ୍ରବେଶ ଉପରେ ରୋକ୍ ଲାଗିବାର ବ୍ୟବସ୍ଥା ରହିଛି। ତେବେ ସିଏନ୍ଜି ଓ ବିଦ୍ୟୁତ୍ଚାଳିତ ଯାନକୁ ଏଥିରୁ ବାଦ୍ ଦିଆଯାଇଛି। ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ବିବାଦ ଏଡ଼ାଇବାକୁ ସ୍ପଷ୍ଟ ଲିଖିତ ନିର୍ଦ୍ଦେଶ ଓ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ବୋଲି ପମ୍ପ ସଞ୍ଚାଳକମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ, ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ଯାଞ୍ଚକୁ ଶୀତ ଆରମ୍ଭ ପୂର୍ବରୁ କଡ଼ା କରାଯିବାକୁ ଅନେକ ଗ୍ରାହକ ସ୍ୱାଗତ କରିଛନ୍ତି।