ଦିଲ୍ଲୀ: ଓଡ଼ିଆ ଫିଲ୍ମ ଇତିହାସରେ ପ୍ରଥମ। ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର କଥାବସ୍ତୁକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ରାଷ୍ଟ୍ରପତି ପ୍ରଦର୍ଶିତ ହୋଇଛି। ପୂରା ଟିମ୍ ସହ ଫିଲ୍ମ ଦେଖି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ପୁଣି ଓଡିଆ ସିନେମା ନିଜ ଟ୍ରାକକୁ ଫେରୁଛି। ନିଚ୍ଛକ କାହାଣୀ, ଓଡିଆ ସଂସ୍କୃତି କଥାବସ୍ତୁ ସହ ସିନେମା ଏବେ କେବଳ ରାଜ୍ୟ ନୁହେଁ ଦେଶ ଦରବାରରେ ପ୍ରଶଂସିତ ହେଉଛି। ଏବେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ନୂଆ ଓଡିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥଙ୍କ ନବକଳେବର ନେଇ ନିର୍ମିତ ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ରାଷ୍ଟ୍ରପତି ଭବନରେ ପ୍ରସାରିତ ହୋଇଛି। ଯାହା କି ବାସ୍ତବରେ ଓଡିଆ ସିନେମା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ। ନିଜେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ନବକଳେବରର କାହାଣୀ, ସିନେମାର କାଷ୍ଟଙ୍କ ସହ ବସି ଦେଖିଛନ୍ତି। ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଏହି ସିନେମା ଦେଖିଛନ୍ତି ରାଷ୍ଟ୍ରପତି। ଯେଉଁଥିରେ ଫିଲ୍ମର ନିର୍ଦ୍ଦେଶକଙ୍କ ସହ ଚଳଚ୍ଚିତ୍ରର କଳାକାରମାନେ ଏବଂ ଅନ୍ୟ ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତିଙ୍କ ସହ ବସି ସିନେମା ଦେଖିଥିଲେ।
ରାଷ୍ଟ୍ରପତି ଭବନରୁ ଓଡ଼ିଆ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ର ସମସ୍ତ କର୍ମକର୍ତ୍ତାଙ୍କୁ ଥିଲା ନିମନ୍ତ୍ରଣ। ନିମନ୍ତ୍ରଣ ପାଇ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ସିନେମାର ସମସ୍ତ କର୍ମକର୍ତା, ପ୍ରଦର୍ଶିତ ନବକଳେବର ସିନେମାକୁ ଦେଖିଛନ୍ତି। ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ସିନେମା ନବକଳେବର, ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ, ଚଳଚ୍ଚିତ୍ର ଉପଦେଷ୍ଟା ବିଭୁପ୍ରସାଦ ମହାପାତ୍ର,ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ସହ ସିନେମାର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସିନେମାଟି ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ବେଳେ ସିନେମାର ମୁଖ୍ୟ କଳାକାର ସିଦ୍ଧାନ୍ତ ମହାପାତ୍ର , ଜ୍ୟୋତିରଞ୍ଜନ ନାୟକ, ଶ୍ରୀତମ ଦାସ, ଶିବାନି ସଙ୍ଗୀତା, ପିଙ୍କି ପ୍ରଧାନ, ଅଂଶୁମାନ ଓ ଶଙ୍କର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ୱୟଂ ବଡ଼ଠାକୁରଙ୍କ ଏହି ଫିଲ୍ମ ଦେଖି ସମସ୍ତେ ବହୁତ ଭାବ ବିହ୍ଵଳ ହୋଇଥିଲେ ରାଷ୍ଟ୍ରପତି। ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରୁଥିବାରୁ ଫିଲ୍ମର ଟିମକୁ ଅନେକ ପ୍ରଶଂସା କରିଥିଲେ। ଏହି ଅବସରରେ ନବକଳେବର ଟିମ୍ ଗଣମାଧ୍ୟମକୁ କହିଛନ୍ତି, ‘ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ଟିମର ଅକ୍ଳାନ୍ତ ପରିଶ୍ରମ ପାଇଁ ଆଜି ଆମେ ଦର୍ଶକଙ୍କ ଏହି ଭଲପାଇବା ପାଇଥିଲୁ। ଆମ ଓଡିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ କାର୍ଯ୍ୟାଳୟର ଏହି ଫିଲ୍ମ ପ୍ରତି ଭଲପାଇବା ଆମର ମନୋବଳକୁ ଆହୁରି ବଢାଇଛି ।’