ନ୍ୟୁଜ ବ୍ୟୁରୋ: ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନାରେ ଆସିବ ବଡ଼ ପରିବର୍ତ୍ତନ। ଦୁଇଟି ଅଲଗା ବୋର୍ଡ ବଦଳରେ ଏଣିକି ଦଶମ ଓ ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ ଗଠନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ ସୋମବାର ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି। ନୂଆ ବ୍ୟବସ୍ଥା ଲାଗୁ ହେଲେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଏବଂ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ପୃଥକ ବୋର୍ଡ ଭାବେ ରହିବ ନାହିଁ।
ପ୍ରସ୍ତାବିତ ବୋର୍ଡର ଗଠନ ଓ କାର୍ଯ୍ୟପ୍ରଣାଳୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଢାଞ୍ଚାରେ କରାଯିବ। ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପରିଚାଳନା ସହ ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟ ଏହି ଏକୀକୃତ ବୋର୍ଡ ଅଧୀନରେ ଆସିବ। ନୂଆ ବ୍ୟବସ୍ଥା ପାଇଁ ସରକାର ଏକ ଡ୍ରାଫ୍ଟ ଆଇନ ପ୍ରସ୍ତୁତ କରୁଛନ୍ତି। ଆଇନ ପ୍ରସ୍ତୁତି ଓ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ ଲାଗୁ କରାଯିବ।