ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ ତଥା ଚାରି-ଟ୍ରାକ୍ ବିଶିଷ୍ଟ କରିବା ପ୍ରକଳ୍ପକୁ ଅନୁମୋଦନ ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, କୋଲକାତା-ଦିଲ୍ଲୀ, ଚେନ୍ନାଇ-କୋଲକାତା, ଦିଲ୍ଲୀ-ମୁମ୍ବାଇ, ମୁମ୍ବାଇ-ଚେନ୍ନାଇ ଓ ବିଲାସପୁର-କଟନୀ ରେଳପଥ ସମେତ ଗୁରୁତ୍ୱପୂର୍ଣ୍ଣ ରୁଟ୍ଗୁଡ଼ିକର କ୍ଷମତା ବଢ଼ାଯିବ। ମୁମ୍ବାଇ-ହାୱଡ଼ା ହାଇ-ଡେନ୍ସିଟି ନେଟୱର୍କର ଖଡ଼ଗପୁର-ଝାରସୁଗୁଡ଼ା ରୁଟ୍ରେ ଚତୁର୍ଥ ରେଳ ଲାଇନ୍ ନିର୍ମାଣକୁ କ୍ୟାବିନେଟ ମଞ୍ଜୁର କରିଛି। ପ୍ରାୟ ୩୬୭ କିଲୋମିଟର ଲମ୍ବା ଏହି ପ୍ରକଳ୍ପ ପାଇଁ ପ୍ରାୟ ୬,୫୨୮ କୋଟି ଟଙ୍କା ବ୍ୟୟ ହେବ। ଏହା ଓଡ଼ିଶା ଦେଇ ଯାଉଥିବା ଏହି ବ୍ୟସ୍ତ ରେଳପଥରେ ଟ୍ରେନ୍ ଚଳାଚଳ କ୍ଷମତା ବଢ଼ାଇବାରେ ସହାୟକ ହେବ।
ସେହିପରି ଆରକୋଣମରୁ ରେଣିଗୁଣ୍ଟା ପର୍ଯ୍ୟନ୍ତ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ନିର୍ମାଣକୁ ମଧ୍ୟ ମଞ୍ଜୁରୀ ମିଳିଛି। ୭୭ କିଲୋମିଟର ଲମ୍ବା ଏହି ପ୍ରକଳ୍ପରେ ପ୍ରାୟ ୧,୯୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ରେଳମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳର ଆଧୁନିକୀକରଣ ଓ ଭବିଷ୍ୟତରେ ବଢ଼ିବାକୁ ଥିବା ଭାରୀ ରେଳ ଟ୍ରାଫିକ୍କୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ। ପ୍ରାୟ ୪,୦୦୦ କିଲୋମିଟର ରେଳପଥ ପାଇଁ ବର୍ତ୍ତମାନ ଡିପିଆର୍ ପ୍ରସ୍ତୁତି କାମ ଚାଲିଛି।