ନୂଆଦିଲ୍ଲୀ: ପାର୍ବଣ ଋତୁରେ ଚିନି ଯୋଗାଣ ବଢ଼ାଇବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ବଜାରରେ ଦର ବୃଦ୍ଧି ଜାରି ରହିଛି। ଗତ ଏକ ମାସ ମଧ୍ୟରେ ଖୁଚୁରା ଓ ପାଇକାରୀ ବଜାରରେ ଚିନି କିଲୋ ପିଛା ୪ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଚିନିର ହାରାହାରି ଦୈନିକ ଖୁଚୁରା ଦର ୫୯.୫୦ ଟଙ୍କା ଏବଂ ପାଇକାରୀ ଦର ୫୫.୪୦ ଟଙ୍କା ରହିଛି।ଗତବର୍ଷ ଏହି ସମୟରେ ଖୁଚୁରା ବଜାରରେ ଚିନି କିଲୋ ପିଛା ୪୬.୫୦ ଟଙ୍କା ଓ ପାଇକାରୀ ବଜାରରେ ୪୩.୨୩ ଟଙ୍କା ଥିଲା। ଏହା ତୁଳନାରେ ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି।
ନଭେମ୍ବର ୩ ତାରିଖର ତଥ୍ୟ ଅନୁସାରେ, ମହାନଗରଗୁଡ଼ିକ ମଧ୍ୟରେ କୋଲକାତାରେ ଚିନି ଦର ସର୍ବାଧିକ ୬୫ ଟଙ୍କା ରହିଛି। ଗତବର୍ଷ ଏହି ସମୟରେ ଦର ୫୦ ଟଙ୍କା ଥିଲା। ଦିଲ୍ଲୀରେ ଚିନି କିଲୋ ପିଛା ୬୪ ଟଙ୍କା ଥିବା ବେଳେ ଗତବର୍ଷ ଏହା ୪୬ ଟଙ୍କା ଥିଲା। ମୁମ୍ବାଇରେ ଦର ୬୧ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଗତବର୍ଷ ୪୫ ଟଙ୍କା ଥିଲା।
୨୦୨୫-୨୬ ଚିନି ଉତ୍ପାଦନ ଋତୁରେ ପୂର୍ବ ଆକଳନ ତୁଳନାରେ ଉତ୍ପାଦନ କମ୍ ହେବା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଥିସହ ପାର୍ବଣ ସମୟରେ ଚାହିଦା ବୃଦ୍ଧି, ଫସଲ ନଷ୍ଟ, ବିଶ୍ୱ ବଜାରରେ ଯୋଗାଣ ହ୍ରାସ ଏବଂ ମହଜୁଦକାରୀଙ୍କ କାର୍ଯ୍ୟକଳାପ ମଧ୍ୟ ଦର ଉପରେ ଚାପ ପକାଇଛି।
ଚିନି ଦର ନିୟନ୍ତ୍ରଣ ଓ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ସରକାର ମହଜୁଦ ସୀମା ନିର୍ଦ୍ଧାରଣ, ଆମଦାନୀ, ବଜାର ଉପରେ କଡ଼ା ନଜର ଏବଂ ଆଖୁ ପେଡ଼ା ଆଗୁଆ ଆରମ୍ଭ ଭଳି ପଦକ୍ଷେପ ନେଇଛନ୍ତି।
ଜାତୀୟ ସମବାୟ ଚିନି କାରଖାନା ମହାସଂଘ (NFCSF) ଅନୁସାରେ, ୨୦୨୬-୨୭ ଚିନି ଉତ୍ପାଦନ ଋତୁର ପ୍ରଥମ ମାସରେ ଭାରତ ୮.୪୫ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଛି। ଅକ୍ଟୋବର ୮ରୁ ଆଖୁ ପେଡ଼ା ଋତୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୩୦ ସୁଦ୍ଧା ୧୫୨ଟି କାରଖାନାରେ ଚିନି ଉତ୍ପାଦନ ହୋଇଥିଲା। ଏହାଦ୍ୱାରା ପାର୍ବଣ ଋତୁରେ ଘରୋଇ ବଜାରକୁ ଚିନି ଯୋଗାଣ ବଢ଼ିଛି।