ବାଂଲାଦେଶ: ଦୀର୍ଘ ଦୁଇ ବର୍ଷ ପରେ ସ୍ୱଦେଶ ଫେରିବାକୁ ଘୋଷଣା କରିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଆସନ୍ତା ଡିସେମ୍ବର ୧୬ରେ ସେ ଢାକା ଫେରିବାକୁ ଯୋଜନା କରିଥିବା ତାଙ୍କ ମୁଖପାତ୍ର ସୟିଦ ମୋଜାମେଲ ଅଲୀ ସୂଚନା ଦେଇଛନ୍ତି। ତେବେ ଏହି ପ୍ରତ୍ୟାବର୍ତ୍ତନକୁ ନେଇ ବାଂଲାଦେଶରେ ରାଜନୈତିକ ଓ ଆଇନଗତ ବିବାଦ ଜାରି ରହିଛି।
ଡିସେମ୍ବର ୧୬ ହେଉଛି ବାଂଲାଦେଶର ବିଜୟ ଦିବସ। ୧୯୭୧ରେ ଏହି ଦିନ ପାକିସ୍ତାନଠାରୁ ସ୍ୱାଧୀନତା ହାସଲ କରି ବାଂଲାଦେଶ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଗଠିତ ହୋଇଥିଲା। ଏହି ଦିନକୁ ବାଛି ହସିନା ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି। ଏଥିପାଇଁ ଢାକା ସରକାର ଏକ ବାଂଲାଦେଶ ବିମାନକୁ ନୂଆଦିଲ୍ଲୀ ପଠାଇବାକୁ ତାଙ୍କ ମୁଖପାତ୍ର ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ହସିନା ଦୀର୍ଘ ୧୫ ବର୍ଷ ଧରି ବାଂଲାଦେଶର ଶାସନ ଦାୟିତ୍ୱରେ ଥିଲେ। ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ତୀବ୍ର ହେବା ପରେ ସେ ଦେଶ ଛାଡ଼ି ଭାରତ ଆସିଥିଲେ। ସେବେଠାରୁ ସେ ଭାରତରେ ରହୁଛନ୍ତି। ଅନ୍ୟପକ୍ଷରେ, ସ୍ୱଦେଶ ଫେରିବା ପାଇଁ କିଛି ସପ୍ତାହ ତଳେ ହସିନା ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ଦାବି କରିଥିବା ଖବର ଆସିଥିଲା। କିନ୍ତୁ ବାଂଲାଦେଶ ସରକାର ଏହାର ଆଇନଗତ ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାରତ-ବାଂଲାଦେଶ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ହସିନାଙ୍କୁ ଫେରାଇ ଦେବାକୁ ମଧ୍ୟ ଢାକା ପକ୍ଷରୁ ଦାବି କରାଯାଇଛି।