ନ୍ୟୁଜ୍ ବ୍ୟୁରୋ: ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ବିସଲେରି ଇଣ୍ଟରନ୍ୟାସନାଲ ସମେତ ପାଞ୍ଚଟି ଖାଦ୍ୟ ବ୍ୟବସାୟ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଅନୁମତି ଦେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)। ଏଥିସହ ଗୁରୁତର ସ୍ୱଚ୍ଛତା ତ୍ରୁଟି ଓ ଅନିୟମିତତା ପାଇଁ ଆଉ ଦୁଇଟି ଖାଦ୍ୟ ବ୍ୟବସାୟର ଲାଇସେନ୍ସ ନିଲମ୍ବିତ କରାଯାଇଛି। FSSAIର ଯାଞ୍ଚରେ ବିସଲେରିର ପ୍ୟାକେଜଡ୍ ପାନୀୟ ଜଳର ଏକ ନମୁନାରେ ନିର୍ଦ୍ଧାରିତ ମାନଠାରୁ ଅଧିକ ବ୍ରୋମେଟ୍ ଥିବା ଜଣାପଡ଼ିଥିଲା। ଏହା ସହ ନମୁନାରେ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ ଚିହ୍ନଟ ହୋଇଥିଲା। ରେଫରାଲ ଫୁଡ୍ ଲାବୋରେଟୋରୀ ଏହାକୁ ଅସୁରକ୍ଷିତ ଘୋଷଣା କରିବା ପରେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅନୁଯାୟୀ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ମଞ୍ଜୁରି ମିଳିଛି।
ଅନ୍ୟପଟେ, ଖରାପ ସ୍ୱଚ୍ଛତା ଏବଂ ଉତ୍ପାଦର ପୁନଃ ପ୍ୟାକିଂ ସମ୍ପର୍କିତ ଅନିୟମିତତା ଯୋଗୁଁ ଉର୍ମି ଲାଇଫ୍ ସାଇନ୍ସେସ୍ ଏଲଏଲପି ଓ ଗୌର ଆୟୁର୍ବେଦିକ ଷ୍ଟୋର୍ର ଲାଇସେନ୍ସ ନିଲମ୍ବନ କରାଯାଇଛି। ଏହି ସମୟରେ ଏନର୍ଜି ଡ୍ରିଙ୍କ୍ର ଲେବଲିଂକୁ ନେଇ ମଧ୍ୟ FSSAI ଆପତ୍ତି ଉଠାଇଛି। କେତେକ ପାନୀୟରେ ଅଧିକ ଚିନି ଥିବା ସତ୍ତ୍ୱେ ସେଗୁଡ଼ିକୁ ଏନର୍ଜି ଡ୍ରିଙ୍କ୍ ଭାବେ ବର୍ଗୀକରଣ କରିବା ଗ୍ରାହକଙ୍କୁ ଭ୍ରମିତ କରିପାରେ ବୋଲି ନିୟାମକ ସଂସ୍ଥାର ମତ। ଏହି ନିଷ୍ପତ୍ତି ବିରୋଧରେ ରେଡ୍ ବୁଲ୍, ପେପ୍ସିକୋ, ମନଷ୍ଟର ବେଭରେଜ୍ ଓ ରିଲାଏନ୍ସ କଞ୍ଜ୍ୟୁମର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରେଡ୍ ବୁଲ୍କୁ ଏନର୍ଜି ଡ୍ରିଙ୍କ୍ ଲେବଲ୍ ବ୍ୟବହାର ଜାରି ରଖିବାକୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି। ତେବେ ଏହା ଅନ୍ୟ କମ୍ପାନୀଙ୍କ ତୁଳନାରେ ରେଡ୍ ବୁଲ୍କୁ ଅନୁଚିତ ବାଣିଜ୍ୟିକ ଫାଇଦା ଦେଉଥିବା FSSAI ଯୁକ୍ତି ରଖିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀରେ ହେବ।