ଭୁବନେଶ୍ବର: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ସେମାନଙ୍କ ମାସିକ ପାରିଶ୍ରମିକ ସହ ଅବସରକାଳୀନ ଓ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କରାଯାଇଛି। ଶୁକ୍ରବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ନୂଆ ନିଷ୍ପତ୍ତି ଅନୁସାରେ, ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୧୦ ହଜାରରୁ ୧୨ ହଜାର ଟଙ୍କାକୁ ବଢ଼ିଥିବା ବେଳେ ସହାୟିକାଙ୍କ ପାରିଶ୍ରମିକ ୫ ହଜାରରୁ ୬ ହଜାର ଟଙ୍କା ହୋଇଛି।
ସେହିପରି ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଅବସର ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁଥିବା ସହାୟତା ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ସହାୟିକାଙ୍କ ପାଇଁ ଏହା ୫୦ ହଜାରରୁ ଦେଢ଼ ଲକ୍ଷ ଟଙ୍କାକୁ ବଢ଼ାଯାଇଛି। ଦୀର୍ଘଦିନ ଧରି ଦରମା ବୃଦ୍ଧି ଦାବି କରୁଥିବା କର୍ମଚାରୀଙ୍କ ପାଇଁ ଏହି ଘୋଷଣା ଆଶ୍ୱସ୍ତି ଆଣିଛି। ଏହାସହ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ଉପମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।