ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ବର୍ଷକରେ କେତେ ଓ କିଭଳି ବଢି଼ଛି ନବୀନଙ୍କ ବିଜେଡି?

0
  • ମାର୍ଚ୍ଚ ୫, ୨୦୨୦ରେ ସଂଗଠନ ସଂପାଦକ ଦାୟିତ୍ବ ନେଇଥିଲେ ବବି ଦାସ
  • ଯୁବ ଓ ଛାତ୍ର ସଂଗଠନ ବେଶ୍ ଆଗରେ, ଦ୍ବନ୍ଦ୍ବରେ ଅଛନ୍ତି ବରିଷ୍ଠ
  • ଧୀରେ ଧୀରେ ନିଷ୍ପ୍ରଭ ହେଉଛନ୍ତି, ଆଗକୁ ବଢୁଛନ୍ତି ନୂଆ ପିଢିର ନେତା
  • ବିଜେପି ନୁହେଁ, ମମତାଙ୍କ ତୃଣମୂଳ ଢାଞ୍ଚାରେ ବିଜେଡି ନିଜକୁ ଗଢ଼ୁଛି

ଭୁବନେଶ୍ବର: ୨୦୨୦ ମାର୍ଚ୍ଚ ୫ ତାରିଖ। ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସେଦିନ ବିଜେଡି ସଂଗଠନ ସଂପାଦକ ଭାବେ ପ୍ରଣବ (ବବି) ପ୍ରକାଶ ଦାସଙ୍କ ନିଯୁକ୍ତି ଘୋଷଣା କରିଥିଲେ। କରୋନା କାଳ ଭିତରେ ଏହା ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା। ଏଇଥିପାଇଁ ଯେ ବିଜେଡି କ୍ୟାଡ଼ର ଭିତ୍ତିକ ଦଳ ଗଠନ ଲାଗି ସେଦିନ ମଞ୍ଜି ବୁଣିଥିଲା।

ଆଜି ୨୦୨୧ ମାର୍ଚ୍ଚ ୫ ତାରିଖ। ବବିଙ୍କ ଦାୟିତ୍ବ ନେବାର ବର୍ଷେ ପୂରିଗଲାଣି। ଏଇ ବର୍ଷକ ଭିତରେ ବିଜେଡି ନିଜକୁ କ୍ୟାଡ଼ର ଭିତ୍ତିକ ଦଳ ଘୋଷଣା କରିନାହିଁ ସତ କିନ୍ତୁ କେଉଁଠି ନା କେଉଁଠି ବାରି ହୋଇପଡୁଛି ଯେ ଦଳ ଏ ଦିଗରେ ଗୋଟିଏ ବଡ଼ ନକ୍ସା ଅବଶ୍ୟ ପ୍ରସ୍ତୁତ କରିସାରିଲାଣି। ସରକାର ଓ ଦଳ ପାଇଁ ପୃଥକ୍ ପୃଥକ୍ ଢାଞ୍ଚା ପ୍ରସ୍ତୁତ କରାଯାଉଛି। କ୍ୟାଡ଼ର ଭିତ୍ତିକ ଦଳ ଗଠନ ବେଳେ ବିଜେଡି ବିଜେପିକୁ ନିଜ ଆଦର୍ଶ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ବରଂ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସଂଗଠନର ଛାପ କେଉଁଠି ନା କେଉଁଠି ବିଜେଡି ଭିତରେ ବାରି ହୋଇଗଲାଣି। ସେଭଳି ତଳସ୍ତରକୁ ଭେଦି ପ୍ରତି ଗାଁରେ ସ୍ବତନ୍ତ୍ର ୟୁନିଟ୍ କରିବା ଲକ୍ଷ୍ୟରେ ଦଳ ରହିଛି।

ଏଇ ବର୍ଷକ ଭିତରେ ଆଉ ଯେଉଁ ବଡ଼ ପରିବର୍ତ୍ତନ ଦେଖାଯାଉଛି, ତାହା ହେଲା ଉଭୟ ଯୁବ ଓ ଛାତ୍ର ସଂଗଠନ ବିଜେଡି ଭିତରେ ବିଶେଷ ସକ୍ରିୟ ହୋଇଯାଇଛନ୍ତି। ହେଲେ ମୂଳ ସଂଗଠନ ବା ମହିଳା ବିଜେଡି କ୍ଷେତ୍ରରେ ସେଭଳି ତତ୍ପରତା ଦେଖାଯାଇନାହିଁ। ବବିଙ୍କ ନେତୃତ୍ବକୁ ଶତ ପ୍ରତିଶତ ଗ୍ରହଣ କରିବେ କି ନାହିଁ, ସେ ନେଇ ସମ୍ଭବତଃ ବରିଷ୍ଠ ନେତାମାନେ ମନସ୍ଥିର କରିପାରିନାହାନ୍ତି। ମହିଳା ବିଜେଡିରେ ବି ଗୋଟିଏ ଗୋଷ୍ଠୀ ଅନୁରୂପ ରାସ୍ତାରେ ଅଛନ୍ତି।

ବିଜେଡି ଜନ୍ମ ବେଳର ନେତା ଆଉ ହାତ ଗଣତି କେତେ ଜଣ ଅଛନ୍ତି। ସେମାନେ ନିରବି ଗଲେଣି ବା ରାଜନୀତିରୁ ସନ୍ନ୍ୟାସ ନେବା ପ୍ରକ୍ରିୟାରେ ଅଛନ୍ତି। ହେଲେ ଗତ ୨୦ବର୍ଷ ଭିତରେ ଯେଉଁମାନେ ଦଳକୁ ଏଭଳିସ୍ତରକୁ ଟାଣି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନେ ଏବେ ବଡ଼ ଦ୍ବନ୍ଦ୍ବରେ ଅଛନ୍ତି। ବବିଙ୍କ ନେତୃତ୍ବକୁ ବିରୋଧ କରିପାରୁନାହାନ୍ତି କି ତାଙ୍କୁ ସମର୍ଥନ ପାଇଁ ଆଗେଇ ଆସିପାରୁନାହାନ୍ତି। କେବଳ ସେତିକି ନୁହେଁ, ଏ ସଂକ୍ରାନ୍ତରେ ବିଚାର ଆଲୋଚନା ଲାଗି ନିଜର ସହଯୋଗୀ ନେତାଙ୍କ ସହିତ ଏହି ନେତାମାନେ ଯେଉଁ ବୈଠକ କରୁଛନ୍ତି, ରାଜନୈତିକ ମହଲ ତାକୁ ବିଜେଡି ଭିତରେ ବିଦ୍ରୋହର ମଞ୍ଜି ବୋଲି ବର୍ଣ୍ଣନା କରୁଛନ୍ତି।

ବାସ୍ତବତା କିନ୍ତୁ ଏୟା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରିବା ଭଳି ଶକ୍ତି ବିଜେଡି ଭିତରେ କାହାର ନାହିଁ। ନବୀନଙ୍କ ନେତୃତ୍ବ ନେଇ କାହାର ପ୍ରଶ୍ନ କରିବାର ସାହସ ବା ସାମର୍ଥ୍ୟ ମଧ୍ୟ ନାହିଁ। ଯେତେ ସବୁ ଅସନ୍ତୋଷ ତାହା ବବି ଦାସଙ୍କ ପର୍ଯ୍ୟନ୍ତ ରହିଛି। ବବିଙ୍କ ନିର୍ଦେଶ ସେମାନେ କିଭଳି ମାନିବେ? ଏଇଟା ତାଙ୍କର ଅଂହକାରକୁ ଦଂଶନ କରୁଛି। ଏଇଟା ସବୁ ରାଜନୈତିକ ଦଳ, ସଂସ୍ଥା, ସଂଗଠନ, କାର୍ଯ୍ୟାଳୟରେ ଅଛି, ଆଉ ଏବେ ବିଜେଡିରେ ଦେଖାଦେଇଛି।

ରାଜନୈତିକ ବିଶେଷଜ୍ଞ ମହଲ କିନ୍ତୁ ଏହି ପ୍ରସଙ୍ଗକୁ ବିଶେଷ ଗୁରୁତ୍ବ ଦେବା ସ୍ଥିତିରେ ନାହାନ୍ତି। ସେମାନଙ୍କ ମତ ହେଲା, ଯେଉଁମାନେ ଦ୍ବନ୍ଦ୍ବରେ ରହିଛନ୍ତି, ସେମାନେ ନିଜକୁ ବିଜେଡି ଭିତରେ ଧୀରେ ଧୀରେ ନିଷ୍ପ୍ରଭ କରିବାରେ ଲାଗିଛନ୍ତି। ଏଇଥିପାଇଁ ଯେ ରାଜ୍ୟ କଥା ଦୂରେ ଥାଉ, ସେମାନେ ନିଜ ନିର୍ବାଚନମଣ୍ଡଳୀରେ ବି ଜଣେ ସର୍ବମାନ୍ୟ ନେତା ଭାବେ ପରିଗଣିତ ହୋଇପାରିନାହାନ୍ତି। ଏଣୁ ଦଳ ସାମାନ୍ୟ ଅଣଦେଖା କରିବା ଅର୍ଥ, ସେମାନେ ଭିଡ଼ ଭିତରୁ ହଜିଯିବା ବିଚିତ୍ର ନୁହେଁ। ଅନେକ ଚାରି ପାଞ୍ଚଥରିଆ ବିଧାୟକ ବି ଏଭଳି ସ୍ଥିତିକୁ ଆସିଗଲେଣି। କେବଳ ସେତିକି ନୁହେଁ, ବବିଙ୍କ ମାତ୍ରାଧିକ ସକ୍ରିୟତା କାରଣରୁ ଏବେ ଏସବୁ ନେତାଙ୍କ ଅଞ୍ଚଳରେ ମାଳ ମାଳ ଯୁବ ଓ ଛାତ୍ରନେତା ସୃଷ୍ଟି ହେଲେଣି, ଯାହା ସେମାନଙ୍କ ପାଇଁ ଆଗକୁ ବିପଦ ହୋଇପାରେ।

ଏ ଦିଗରେ ସାମ୍ନାକୁ ଆସୁଥିବା ଦ୍ବିତୀୟ ମତ ବି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଯେଉଁ ଧାରା ଆରମ୍ଭ କରିଛନ୍ତି, ତାହା ବିଜୁ ଓ ଜାନକୀଙ୍କ ବହୁ ପୂର୍ବରୁ କରିସାରିଥିଲେ। ବିଜୁ ବାବୁ ନିଜଠାରୁ ଯଥେଷ୍ଟ ବୟସରେ ସାନ ବିଜୟ ମହାପାତ୍ର, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖଙ୍କୁ ସାଙ୍ଗରେ ଧରି ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ। ଜାନକୀ ମଧ୍ୟ ଲୁଲୁ ମହାପାତ୍ର, ନବ ଦାସ ପ୍ରମୁଖଙ୍କୁ ସାମ୍ନାକୁ ଆଣି ଗୋଟିଏ ସମୟରେ ଚର୍ଚ୍ଚାରେ ଥିଲେ। ହେଲେ ଉଭୟ କ୍ଷେତ୍ରରେ ଯେଉଁ ବ୍ୟତିକ୍ରମ ଥିଲା,ତାହା ହେଉଛି ଟିକେ ଖଟାମିଠା ସଂପର୍କ ଥିଲା ନେତା ଓ ନେତୃତ୍ବ ମଧ୍ୟରେ।

ହେଲେ ନବୀନ ଏ କ୍ଷେତ୍ରରେ ଭିନ୍ନ ଫର୍ମୁଲା ଗ୍ରହଣ କରିଛନ୍ତି। ଯେଉଁଥିରେ ନିଜ ଠାରୁ ଅଳ୍ପ ବୟସ୍କ ସବୁ ନେତାଙ୍କ ସହିତ ସେ ଅତ୍ୟନ୍ତ ସହଜ ଢଙ୍ଗରେ ମିଶିପାରୁଛନ୍ତି ଓ କାମ କରିପାରୁଛନ୍ତି। ପରିଣାମ ହେଲା, ନବୀନଙ୍କୁ ନେଇ ସେଭଳି ପରିସ୍ଥିତି ବିଜେଡି ଭିତରେ ସୃଷ୍ଟି ହୋଇନି, ଯେମିତି ଜାନକୀ ଓ ବିଜୁଙ୍କ ସମୟରେ ହେଉଥିଲା। ବିଜେଡିର ବରିଷ୍ଠ ନେତାମାନେ ବୁଝିବା ଦରକାର ଯେ ସେମାନେ ଯଦି ପରିବର୍ତ୍ତନକୁ ଗ୍ରହଣ ନ କରିବେ, ତେବେ ସେମାନେ ହିଁ ତାର ପ୍ରଥମ ଶିକାର ହେବେ। ଧୀରେ ଧୀରେ ଦେଖାଯାଉଛି ଯେ ଗତ ସରକାର ସମୟରେ ସକ୍ରିୟ ଥିବା ଅନେକ ନେତା ଆପେ ହଜିଗଲେଣି। ଆଉ ସେମାନଙ୍କ ନିରବତା ବିଜେଡିକୁ ମୂଲ୍ୟ ଦେଇନି ବରଂ ପରବର୍ତ୍ତୀ ପିଢି ଶୀଘ୍ର ଉପରକୁ ଚଢ଼ିବା ଲାଗି ବାଟ କାଢ଼ି ଦେଇଛି। ନିଷ୍କର୍ଶ ହେଲା, ସେମାନଙ୍କ ଅଭିମାନ ଏବେ ଆଉ କିଛି ନେତାଙ୍କ ସମ୍ମାନ ବଢ଼ାଇବାରେ ସାହାଯ୍ୟ କଲାଣି।

ରାଜନୈତିକ ସଂଗ୍ରାମ ନାହିଁ କି ବିଜେଡି ଆଦର୍ଶ ସେମାନଙ୍କୁ ଛୁଇଁପାରିନି। କିନ୍ତୁ ଏକଥା ସମସ୍ତେ ମାନିବେ ଯେ ବିଜେଡି ପରବର୍ତୀ ପିଢିକୁ ବଢୁଛି।

Leave A Reply

Your email address will not be published.