- କମୁନି ହାତୀ-ମଣିଷ ଲଢ଼େଇ, ଏପ୍ରିଲ ଠାରୁ ଜୁନ୍ ଅଧିକ
- ୮ ବନଖଣ୍ଡରେ ସ୍ଥିତି ଗମ୍ଭୀର, ମାଳ ମାଳ ଯୋଜନା ଚାଲିଛି
- ଆସାମରେ ଲୋକେ ଆପଣେଇଲେଣି ଅଭିନବ କାର୍ଯ୍ୟକ୍ରମ
- ଓଡ଼ିଶାରେ କାମ୍ଫାର ୮୦୩ କୋଟି କେଉଁଠି ଖର୍ଚ୍ଚ ହେଲା
- କେତେ ଜଳାଶୟ ପୁନରୁଦ୍ଧାର ହୋଇଛି, କେତେ ନୂଆ
- ସିଏଜି ଅଡିଟ୍ କରୁନାହାନ୍ତି କି ତୃତୀୟ ପକ୍ଷ ଯାଞ୍ଚ ବି ହେଉନି
ଭୁବନେଶ୍ବର: ଆସାମରେ ହାତୀ-ମଣିଷ ସଂଘର୍ଷ ରୋକିବା ଲାଗି ନଗାଁଓ ଜିଲ୍ଲାର ପାଖାପାଖି ୭୦୦ ଗ୍ରାମବାସୀ କ୍ରମାଗତ ଭାବେ ତୃତୀୟ ବର୍ଷ ଲାଗି ଜମି ଦାନ କରିଛନ୍ତି। ଏକରେ କି ଦୁଇ ଏକର ନୁହେଁ, ପୂରା ୩୩ ଏକର ଜମି ସେମାନେ ହାତୀ ପାଇଁ ଖାଦ୍ୟ ଲାଗି ଉତ୍ସର୍ଗ କରିଛନ୍ତି। ଏହି ଜମିରେ ପଣସ, କଦଳୀ ଆଦି ଫସଲ କରାଯିବ ଓ ହାତୀ ଆସି ଖାଇବେ। ଏହାଦ୍ବାରା ସେମାନଙ୍କ ପାରମ୍ପରିକ ଫସଲ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ହାତୀ ସେସବୁ ନଷ୍ଟ କରିବେ ନାହିଁ। ହାତୀ-ମଣିଷ ଲଢ଼େଇ ନା ହାତୀର ପ୍ରାଣ ଯିବ ନା ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ୨୦୧୯ରୁ ଏହି ପ୍ରକ୍ରିୟାରେ ସେମାନେ ହାତୀ-ମଣିଷ ଲଢ଼େଇ ଅନେକାଂଶରେ ରୋକିପାରିଛନ୍ତି।
ଓଡ଼ିଶାରେ ବି ହାତୀ-ମଣିଷ ଲଢ଼େଇ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବନ୍ୟପ୍ରାଣୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଆଠଗଡ଼, ରେଢାଖୋଲ, ସମ୍ବଲପୁର, ଆଠମଲ୍ଲିକ, କେନ୍ଦୁଝର, ଦେବଗଡ ଆଦି ଅଞ୍ଚଳରେ ହାତୀ-ମଣିଷ ଲଢେଇ ପରିସ୍ଥିତି ଅତି ଭୀଷଣ ରୂପ ନେଲାଣି। ରାଜ୍ୟ ସରକାର ଯେ ନିରବ ବସିଛନ୍ତି ତା ନୁହେଁ। ୨୦୨୦-୨୧ରେ ୧୨୫୦ ଏକର ଜମିରେ ହାତୀ ଖାଦ୍ୟ ଉଦ୍ଦେଶ୍ୟରେ ଉଦ୍ୟାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କାମ୍ପା ଯୋଜନାରେ ୨୦୨୦-୨୧ ବର୍ଷରେ ଜଙ୍ଗଲ ବିଭାଗ ୮୦୩ କୋଟି ୬୫ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଲାଗି ଏକ ବଡ ଯୋଜନା ହାତକୁ ନେଇଥିଲେ। ୨୦୦ ଜଳାଶୟର ପୁନରୁଦ୍ଧାର ଠାରୁ ଆରମ୍ଭ କରି ହାତୀ କରିଡରରେ ଅଧିକରୁ ଅଧିକ ପିଇବା ପାଣି ଆଦି ଲାଗି ପ୍ରକଳ୍ପ ହାତକୁ ନେବା ଲାଗି ଯୋଜନା ହୋଇଥିଲା। ହେଲେ ଏସବୁ ମଧ୍ୟରୁ କେତେ କାର୍ଯ୍ୟକାରୀ ହେଲା, କେଉଁ କେଉଁ ଜଳାଶୟର ପୁନରୁଦ୍ଧାର ହେଲା, କେତେ ଜମିରେ କେଉଁ ଚାଷ କରାଗଲା, ତାହା ଏକ ବଡ଼ ଅନୁସନ୍ଧାନକୁ ଅପେକ୍ଷା କରୁଛି।
ଗତବର୍ଷ ମାନଙ୍କରେ ହାତୀଙ୍କ ପାଇଁ ରାଜ୍ୟ ସରକାର ଅନେକ ପ୍ରକଳ୍ପ ହାତକୁ ନେଇଛନ୍ତି। କେଉଁଠି ଖାଇ ତିଆରି କରାଯାଇଛି ତ ଆଉ କେଉଁଠି ଗଜବନ୍ଧୁ ଯୋଜନା ହୋଇଛି। ଜଙ୍ଗଲ ମଧ୍ୟରେ ସେମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ। ହେଲେ ଏହାର କାର୍ଯ୍ୟାନ୍ବୟନ ପ୍ରକ୍ରିୟାରେ ତ୍ରୁଟି ଥାଇ ହେଉ ଅଥବା କାଗଜପତ୍ରରେ ପ୍ରକଳ୍ପ ସୃଷ୍ଟି କାରଣରୁ ମୂଳ ଉଦ୍ଦେଶ୍ୟ ପରାହତ ହୋଇଛି। ନା ସିଏଜି ଏହା ଉପରେ ବିଶଦ ଅଡିଟ୍ କରୁଛନ୍ତି ନା ରାଜ୍ୟ ସରକାର ତୃତୀୟ ପକ୍ଷ ଦ୍ବାରା ଅଡିଟ୍ କରିବା ଲାଗି ଆଗ୍ରହ ଦେଖାଉଛନ୍ତି। ଆଜି ଦିନରେ ଜଙ୍ଗଲ ବିଭାଗରୁ ଅନେକ ଅଭିଯୋଗ ଲୋକାୟୁକ୍ତଙ୍କ ନିକଟରେ ରହିଛି ଓ ଏହା ଉପରେ ତଦନ୍ତ ଚାଲିଛି। ଆଇଏଫ୍ଏସ୍ ଅଭୟ ପାଠକଙ୍କ ଆୟ ବର୍ହିଭୂତ ମାମଲା ଜଙ୍ଗଲ ବିଭାଗର କାର୍ଯ୍ୟ ଧାରା ଉପରେ ଆଙ୍ଗୁଠି ଉଠାଇଛି। ଏଭଳି ସ୍ଥିତିରେ ହାତୀ ସୁରକ୍ଷା ପାଇଁ ରାଜ୍ୟ ସରକାର ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି, ତାହା କେତେ ଦୂର ଲାଭଦାୟକ ହେଉଛି, ଏକଥା କିଭଳି ଜଣାପଡ଼ିବ?
ସରକାରଙ୍କ ଯୋଜନାର କାର୍ଯ୍ୟାନ୍ବୟନ ପଛରେ ସନ୍ଦେହର କାରଣ ହେଉଛି, ହାତୀ-ମଣିଷ ଲଢେଇ ପରିସଂଖ୍ୟାନ ଏକ ବିପଜ୍ଜନକ ଚିତ୍ର ସାମ୍ନାକୁ ଆଣୁଛି। ପରିବେଶବିତ୍ ବାରମ୍ବାର କହୁଛନ୍ତି ଯେ ଜଙ୍ଗଲରେ ଖାଦ୍ୟ ଓ ପାନୀୟ ଅଭାବ କାରଣରୁ ହାତୀ ଜନବସତି ଆଡକୁ ମାଡ଼ି ଆସୁଛନ୍ତି। ପରିବେଶବିତ୍ ବିଶ୍ବଜିତ ମହାନ୍ତି ନିକଟରେ ଗଣମାଧ୍ୟମକୁ ଯେଉଁ ତଥ୍ୟ ଦେଇଛନ୍ତି, ତାହା ଆଖି ଖୋସିବା ଭଳି। ଏଥିରେ କୁହାଯାଇଛି ଯେ ପ୍ରତିବର୍ଷ ଏପ୍ରିଲ-ମେ’ ଓ ଜୁନ୍ ମାସରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଅଧିକ। ଏହି ସମୟରେ ହାତୀ ଜଙ୍ଗଲ ଛାଡ଼ି ଜନବସତିକୁ ଧସେଇ ପଶୁଛନ୍ତି। ୨୦୧୭ ଏପ୍ରିଲରୁ ୨୦୨୧ ଏପ୍ରିଲ ମଧ୍ୟରେ ରାଜ୍ୟରେ ୫୨୭ ଜଣ ଲୋକଙ୍କୁ ହାତୀ ମାରିଛି। ୪୪୨ଜଣ ଲୋକଙ୍କୁ ଗୁରୁତର କରିଛି। ଏ ମଧ୍ୟରୁ ଏହି ତିନିମାସରେ ୨୨ ପ୍ରତିଶତରୁ ଅଧିକ ଅର୍ଥାତ୍ ପ୍ରାୟ ୧୧୭ଜଣଙ୍କର ମୃତ୍ୟୁ ହୋଇଛି।
ଏ ଦିଗରେ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଇବା କଥା ତାହା ଏଯାଏ ପରିଦୃଷ୍ଟ ହୋଇନାହିଁ। ଅର୍ଥ ବିଭାଗ ‘ଆଉଟ୍ କମ୍ ବଜେଟ୍’ କଥା କହୁଛନ୍ତି। ଜଙ୍ଗଲ ବିଭାଗ ଶହ ଶହ କୋଟି ଟଙ୍କା ବିନିଯୋଗ କରୁଛି। ହେଲେ ଏହାଦ୍ବାରା କେତେ ଭିତ୍ତିଭୂମି ସୃଷ୍ଟି ହେଲା, ସେ ପରିସଂଖ୍ୟାନ ରାଜ୍ୟବାସୀଙ୍କ ଆଗରେ କିଏ ରଖିବ? ଗତବର୍ଷମାନଙ୍କରେ ହାତୀମାନଙ୍କ ପାଇଁ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ତାହାର କିଛି ବି ଫଳ ଫଳୁନି? ତେବେ ସେ ଯୋଜନା ବିଫଳ ବୋଲି ଘୋଷଣା କରି ସରକାର ନୂଆ କାର୍ଯ୍ୟକ୍ରମ ହାତକୁ ନେଉନାହାନ୍ତି କାହିଁକି? ଏମିତି ଅନେକ ପ୍ରଶ୍ନ ମୁଣ୍ଡ ଟେକିଲାଣି।
ଏଠାରେ ଉଲ୍ଲେଖଥାଉକି, ହାତୀ ଘଉଡ଼ାଇବା ପାଇଁ ବାଣ ଆଦି ବ୍ୟବହାର କରାଯାଉଥିଲା। ଏଥିରେ ହାତୀମାନେ ଗୁରୁତର ହେବା ପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ବାଘର ଗର୍ଜନକୁ ରେକର୍ଡ କରାଯାଇ ହାତୀ ଜନବସତିକୁ ମାଡ଼ି ଆସିବା ବେଳେ ବଜାଯାଉଛି। ଏସବୁ କଣ ସ୍ଥାୟୀ ଉପାୟ?