ବିଜେପି ଶିବିରରେ ଚିନ୍ତା, ବିରୋଧୀ ଭୋଟରେ ଭାଗ
ବିଜେଡି ଆଶ୍ୱସ୍ତ, ବଡ଼ ବ୍ୟବଧାନ ହାସଲ କରିବା ଚ୍ୟାଲେଞ୍ଜ
ଅସନ୍ତୁଷ୍ଟ ନେତା ବିଜେପି ନୁହେଁ ଦାମଙ୍କୁ ଚାହିଁବେ
ଓଡ଼ିଶାରେ ଆଞ୍ଚଳିକ ଦଳର ଭବିଷ୍ୟତ ଭଲ ନୁହେଁ
ଭୁବନେଶ୍ୱର: ଗତ ନିର୍ବାଚନ ପୂର୍ବରୁ ଜନ୍ମ ନେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ଫେଲ୍ ମାରିଲା । ଗୋଟିଏ ଆସନ ବୀରମିତ୍ରପୁରରେ ଜିତିଥିଲା । ହେଲେ ପାଞ୍ଚ ବର୍ଷ ପୂର୍ବରୁ ବିଜୟୀ ନେତା ଜର୍ଜ ତିର୍କୀ ପ୍ରଥମେ ଜେଏମ୍ଏମ୍ ଓ ପରେ କଂଗ୍ରେସରେ ଯୋଗଦେଲେ । ବ୍ରଜଙ୍କ ନିଜ ଜିଲ୍ଲାରେ ବି ଏ ଦଳର ସ୍ଥିତି ରହିଲାନି ।
୨୦୧୯ ନିର୍ବାଚନରେ ଏମିତି ପୁଣି ଏକ ଦଳ ଜନ୍ମ ନେବାକୁ ଯାଉଛି । ଖୁବ୍ ଶୀଘ୍ର ବିଜୁ ସମତାକ୍ରାନ୍ତି ଦଳ ଗଠନ ହେବ । ବିଜେଡିରୁ ବିଦା ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ନିଜ ନିର୍ବାଚନମଣ୍ଡଳୀରେ ଏଭଳି ସୂଚନା ଦେଇଛନ୍ତି । ନେତାମାନଙ୍କ ସହିତ ବସି ଦଳର ନାଁ ନେଇ ଚୂଡାନ୍ତ ନିଷ୍ପତ୍ତି ବୋଲି ଡାକ୍ତର ରାଉତ କହିଥିଲେ ହେଁ, ବିଜୁ ସମତାକ୍ରାନ୍ତି ଦଳ ପାଇଁ ପାଖାପାଖି ନାମ ସ୍ଥିର ହୋଇଛି
କୁହାଯାଉଛି ବ୍ରଜଙ୍କ ସମତାକ୍ରାନ୍ତି ଦଳ ଓ ଦାମଙ୍କ ବିଜୁ ବିଚାର ମଞ୍ଚ ମିଶି ଏହି ଦଳ ଗଠନ ହେବ । ପୂର୍ବରୁ ଓଡିଶା ଜନମୋର୍ଚ୍ଚା ସମତାକ୍ରାନ୍ତି ଦଳ ସହିତ ମିଶିଥିଲା । ବିଜେଡିରେ ଅସନ୍ତୁଷ୍ଟ ଥିବା ବିଜୁ ସହଯୋଗୀଙ୍କୁ ନଜରରେ ରଖି ଡାକ୍ତର ରାଉତ ଏଭଳି ଦଳ ଗଠନ ଯୋଜନା କରିଛନ୍ତି । ଏହାକୁ ନଜରରେ ରଖି ସେ ବିଜେଡିର ଏକ ବଡ କ୍ଷତି ଘଟାଇବେ ବୋଲି ଦାବି କରି ଆସୁଛନ୍ତି ।
ଉଲ୍ଲେଖଯୋଗ୍ୟ, ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଅବଗଣନା ଆରମ୍ଭ ହୋଇଛି । ଏମାନେ ବିଧାନ ପରିଷଦ, ରାଜ୍ୟସଭା, ନିଗମ ଆଦିକୁ ଆଖେଇ ବିଜେଡି ଭିତରେ ରହିବେ ନା ଦଳ ଛାଡି ନିଜ ଭାଗ୍ୟ ପରୀକ୍ଷା କରିବେ, ତାକୁ ନେଇ ହିସାବକିତାବ ଚାଲିଛି । ଓଡ଼ିଶାର ପରମ୍ପରା ହେଉଛି, ହାରିବା ଦଳ ସପକ୍ଷରେ ଭୋଟର ଅପେକ୍ଷାକୃତ କମ ରହିଛନ୍ତି । ଛୋଟ ଦଳକୁ ବିଶେଷ ଗୁରୁତ୍ୱ ମିଳିନାହିଁ, ଏକଥା ଗତ ନିର୍ବାଚନମାନଙ୍କର ଫଳାଫଳ ସଙ୍କେତ ଦେଇଛି । ଏମିତି ସ୍ଥିତିରେ ଦାମଙ୍କ ନୂଆ ଦଳ ରଣନୀତି ସମସ୍ତଙ୍କ ଉଲ୍ଲସିତ କରୁଛି ନିଶ୍ଚୟ ।
ଏମିତିରେ ବି ପୂର୍ବରୁ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ମଧ୍ୟରୁ ପ୍ରମୁଖ କେଇ ନେତା ଦଳ ଛାଡି ବିଜେପି ଆଡକୁ ଯାଇଛନ୍ତି । ଆହୁରି କିଛି ନେତା ତାଲିକାରେ ଅଛନ୍ତି । ବିଜେଡିରୁ ଆସିଥିବା ଏହି ନେତାଙ୍କୁ ନେଇ ଆଜି ଦିନରେ ରାଜ୍ୟରେ ବିଜେପି ଚର୍ଚ୍ଚାରେ ରହିଛି । ଠିକ୍ ଏମିତି ଏକ ସମୟରେ ଡାକ୍ତର ରାଉତ ବିଜେଡି ପାଇଁ କମ୍ ଓ ବିଜେପି ପାଇଁ ବଡ ଝଟ୍କା ଆଣିଛନ୍ତି । ଏବେ ଯେଉଁ ବିଜୁ ଅନୁଗତ ବିଜେପିକୁ ଯାଇଥାନ୍ତେ ବା ବିଜେପି ଭୋଟ ବ୍ୟାଙ୍କ ବଢାଇବା ଦିଗରେ ସାହାଯ୍ୟ କରିଥାନ୍ତେ, ସେଠାରେ ଡାକ୍ତର ରାଉତ ଭାଗ ବସାଇବେ । ତାଙ୍କ ଦଳ ବିକଳ୍ପ ଭାବେ ଉଭା ହେବ । ସେମାନେ ବିଜେପିକୁ ଜିତିବା ଆଶାରେ ଯାଇ ହଲାପଟା ହେବା ଅପେକ୍ଷା ଦାମଙ୍କ ଦଳରେ ଭାଗ୍ୟ ପରୀକ୍ଷା କରିବାକୁ ଚାହିଁବେ । କିଛି ନେତା ଦାମଙ୍କ ପରିଣତ ବୟସକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୂଆ ଦଳ ଠାରୁ ଦୂରେଇ ରହିବେ । ଆଉ କିଛି ବିଜେପି ଓ ଦାମଙ୍କ ଠାରୁ ଅପେକ୍ଷାକୃତ ଦୂରରେ ରହି ନିଜକୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିବାକୁ ଗୁରୁତ୍ୱ ମଣିପାରନ୍ତି ।
ରାଜନୈତିକ ମହଲର କହିବା କଥା ହେଉଛି, ବିଜେଡି ବିରୋଧୀ ଭୋଟ ଦାମ ବାବୁ ଦଳ କରିଥିଲେ ଯାଇଥାନ୍ତା, ନ କଲେ ବି ଯିବ । ସେଥିରୁ ବିଜେଡି ଯେତିକି ଅଟକାଇ ପାରିବ, ସେତିକି ଅଧିକ ଆସନ ଦଳ ଜିତିବ । କିନ୍ତୁ ଏବେ ଅଡୁଆ କଥାଟି ହେଲା, ଏ ଭୋଟରେ ଦାମଙ୍କ ପ୍ରସ୍ତାବିତ ବିଜୁ ସମତାକ୍ରାନ୍ତି ଦଳ ଭାଗ ବସାଇଲେ, ଏହା ବିଜେଡିକୁ ଯେତେ କ୍ଷତି କରିବା କଥା ସେଭଳି କରିବନି । କାରଣ, ବିଜେପିର ଭୋଟ ବ୍ୟାଙ୍କ ଅଛି ଓ ସେଥିରେ ଅସନ୍ତୁଷ୍ଟ ଭୋଟ ମିଶିଥିଲେ, ବିଜେଡି ପାଇଁ ବଡ ବିପର୍ଯ୍ୟୟ ଆଣିଥାନ୍ତା । ଏବେ କିନ୍ତୁ ଦାମ ବାବୁ ସେଥିରୁ କିଛି ଅଂଶ ନେଲେ, ବିଜେଡି ଅକଳରେ ପଡିବ ସତ କିନ୍ତୁ ପୂର୍ବ ଭଳି କ୍ଷତି ହେବନାହିଁ । କାରଣ ବିରୋଧୀ ଭୋଟରେ ଆଉ ଗୋଟିଏ ଭାଗ ବସିଲା । ଯେହେତୁ ବିଜେପିର ନିଜସ୍ୱ ଭୋଟ ବ୍ୟାଙ୍କ ନାହିଁ, ଏଣୁ ଅସନ୍ତୁଷ୍ଟ କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡି ଭୋଟକୁ ନେଇ ନେତା ଜିତିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ । ଅବଶ୍ୟ ବିଜେଡି ନେତାଙ୍କ ଏବେ ବଡ଼ ପରିଣାମ ଭୋଟ ହାତେଇବାକୁ ପଡିବ । ନିକଟତମ ପ୍ରାର୍ଥୀଙ୍କ ଠାରୁ ବ୍ୟବଧାନ ନ ବଢାଇଲେ ୧୯୯୫ ମସିହା ସ୍ଥିତି ଉପୁଜିପାରେ ।
ଅନ୍ୟପକ୍ଷରେ ଆଜି ଯାଏ ବିଜେପି ଡାକ୍ତର ରାଉତଙ୍କ ଗୋଟିଚାଳନାରେ କୁତୁ କୁତୁ ହେଉଥିଲା । ଏବେ କିନ୍ତୁ ଚିନ୍ତାରେ ପଡିଯାଇଛି । ଏପରିକି ଡାକ୍ତର ରାଉତ ଦଳ କଲେ, ବିଜେଡି ଛାଡି ବିଜେପି ଯାଇ ଅଣନିଶ୍ୱାସୀ ଅବସ୍ଥାରେ ଥିବା କିଛି ନେତା ପୁଣି ଥରେ ଦାମଙ୍କ ଦଳକୁ ଫେରିବା ଅସମ୍ଭବ ନୁହେଁ ।
ଅତୀତରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଗଣତନ୍ତ୍ର ପରିଷଦ ସଫଳତା ପାଇନଥିଲା । ହରେକୃଷ୍ଣ ମହତାବଙ୍କ ଜନ କଂଗ୍ରେସ ଏବଂ ବିଜୁ ପଟ୍ଟନାୟକଙ୍କର ଉତ୍କଳ କଂଗ୍ରେସ ବି ସମାନ ପରିସ୍ଥିତି ସାମ୍ନା କରିଥିଲା । ପରବର୍ତୀ ସମୟରେ ବିଜୟ ମହାପାତ୍ର ଓଜିପି ବା ଓଡିଶା ଗଣ ପରିଷଦ ଗଠନ କରିଥିଲେ । ଦଳକୁ ୨ଟି ଆସନରେ ସଫଳତା ମିଳିଥିଲା । ପରବର୍ତୀ ନିର୍ବାଚନ ସାମ୍ନା କରିବା ପୂର୍ବରୁ ଦଳ ଏନ୍ସିପିରେ ବିଲୀନ ହୋଇଯାଇଥିଲା ।ସେହିପରି ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ, ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଓଡ଼ିଶା ଜନମୋର୍ଚ୍ଚା, ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଓଡିଶା, ଐର ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଏବଂ ଯତିଶ ମହାନ୍ତିଙ୍କ ସମୃଦ୍ଧ ଓଡ଼ିଶା ରାଜ୍ୟରେ ସଫଳତା ପାଇପାରିନାହାନ୍ତି । କେବଳ ବିଜେଡିକୁ ଏ କ୍ଷେତ୍ରରେ ଏକ ବିଲକ୍ଷଣ ବୋଲି ନିନ୍ଦୁକ ମାନେ ବି ସ୍ୱୀକାର କରନ୍ତି ।
ଏଭଳିସ୍ଥଳେ ପରିଣତ ବୟସରେ ଦାମଙ୍କ ଏଭଳି ଗୋଟିଚାଳନା କେବଳ ଆତ୍ମରକ୍ଷା ପାଇଁ ନା ସତରେ ପରିବର୍ତନ ପ୍ରକ୍ରିୟାର ଏକ ଅଂଶ ହେବ, ତାହା ଆସନ୍ତା ନିର୍ବାଚନରେ ହିଁ ଜଣାପଡିବ ।
ପ୍ରମୁଖ ଖବର
ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍
ଇରାନୀ ଧମକ ପରେ ଟ୍ରକ୍ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ