ଚିଟ୍ଫଣ୍ଡ ମାମଲାରେ ଓଡ଼ିଶାରେ ସିବିଆଇ-ପୁଲିସ ବଳକଷାକଷି
ପଶ୍ଚିମବଙ୍ଗରେ ସିବିଆଇକୁ ଅଟକାଇଲେ ଦିଦି, ପୁଲିସ ସାଥ୍ ଦେଲା
ମମତାଙ୍କ ଧାରଣା, ସମଗ୍ର ଦେଶରେ ହଇଚଇ, ବିରୋଧୀ ପୁଣି ମେଳି
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସିବିଆଇର ଚିଟ୍ଫଣ୍ଡ ତନାଘନାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶାରେ ସିବିଆଇ-ପୁଲିସ ମଧ୍ୟରେ ବଳ କଷାକଷି ଚାଲିଛି । ଆଇନକୁ ଧରି ପରସ୍ପର ପରସ୍ପରର ତାକତ ମାପୁଛନ୍ତି । ଏହି ପ୍ରସଙ୍ଗଟି ନାଟକୀୟ ମୋଡରେ ଥିବା ବେଳେେ ଏହାଠାରୁ କିନ୍ତୁ ଆହୁରି ଗମ୍ଭୀର ପରିସ୍ଥିତି ରବିବାର ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଛି । ଏଠାରେ ସିବିଆଇ-ପୁଲିସ ମୁହାଁମୁହି କେବଳ ହୋଇଛନ୍ତି ତାହା ନୁହେଁ, ଧସ୍ତାଧସ୍ତି ଖବର ମିଳିଛି । ସିବିଆଇ ଅଧିକାରୀଙ୍କୁ ପୁଲିସ କିଛି ସମୟ ଅଟକ ରଖିବା ପରେ ଛାଡିଦେଇଛି ଓ ଖୋଦ୍ ପୁଲିସ ସିବିଆଇ କାର୍ଯ୍ୟାଳୟକୁ କିଛି ସମୟ ଦଖଲରେ ରଖିଥିଲା । ଓଡ଼ିଶାରେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଏଯାଏ ଉଁ କି ଚୁଁ କହିନାହାନ୍ତି ।
ଗତ ୨୯ ତାରିଖରେ ଅମିତ ଶାହ ଓଡ଼ିଶା ଆସିବା ଦିନ ହିଁ ଚିଟଫଣ୍ଡ ପ୍ରସଙ୍ଗ ପୁଣି ଫେରିଥିଲା । ଓଡ଼ିଶାର ଦୁଇ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ କରିବା ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ମଧ୍ୟରେ ବିବୃତି ଯୁଦ୍ଧ ଚାଲିଛି । କେନ୍ଦ୍ରର ସିବିଆଇ ଅସ୍ତ୍ରକୁ କାଟିବା ଲାଗି ବିଜେଡି ପୁଲିସ ପ୍ରୟୋଗ କରି ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିକୁ ଛନ୍ଦିଛି । ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବµିପାତ୍ର ଓ ବ୍ରହ୍ମପୁର ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ପୁଲିସ ଛତ୍ରପୁର ଥାନାରେ ହାଜର ହେବା ପାଇଁ ନୋଟିସ କରିଛି । ଯେ କୌଣସି ମୁହୂର୍ତରେ ଉଭୟ ବିଧାୟକ ସିବିଆଇରେ ହାଜର ହୋଇପାରନ୍ତି ଓ ଏହି ଘଟଣାରେ ଅନ୍ୟମାନଙ୍କୁ ମଧ୍ୟ ନୋଟିସ ହୋଇପାରେ ।
ଏହି ପ୍ରସଙ୍ଗକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଠିକ୍ ଏତିକି ବେଳେ ରବିବାର ପଶ୍ଚିମବଙ୍ଗରେ ପୁଲିସ-ସିବିଆଇ ମୁହାଁମୁହିଁ ହୋଇଛନ୍ତି । ଚିଟଫଣ୍ଡ ଦୁର୍ନୀତି ମାମଲାରେ ପୁଲିସ କମିସନର ରାଜୀବ କୁମାରଙ୍କୁ ସିବିଆଇ ଅଧିକାରୀ ପଚରାଉଚରା କରିବା ପାଇଁ ଯିବା ବେଳେ ପଶ୍ଚିମବଙ୍ଗ ପୁଲିସ ସହିତ ସେମାନଙ୍କର ମୁହାଁମୁହିଁ ହୋଇଛି । ଏମିତିକି ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖିବା ପର୍ଯ୍ୟନ୍ତ କଥା ଯାଇଥିଲା । ସିବିଆଇ ଅଫିସକୁ ମଧ୍ୟ କିଛି ସମୟ ପାଇଁ ପୁଲିସ ନିଜ କବଜାକୁ ନେଇଯାଇଥିଲା । କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ସାମ୍ୱାଦିକମାନଙ୍କୁ ଡାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ବିରୋଧରେ ଗର୍ଜନ ତର୍ଜନ କରିବା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମାଷ୍ଟରମାଇଣ୍ଡ ବୋଲି ଅଭିହିତ କରିଛି । ଏହି ଘଟଣାରେ ମମତା ଆଉ ଦି ପାଦ ଆଗକୁ ଯାଇ ମେଟ୍ରୋ ଷ୍ଟେସନ ଆଗରେ ଧାରଣା ଦେଇଛନ୍ତି ।
ଏହି ମାମଲାରେ ଆସନ୍ତାକାଲି କେନ୍ଦ୍ର ସରକାର ବା ସିବିଆଇ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇପାରନ୍ତି । ବିଜେପି ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବ କରିଛି । ସେପଟେ ମମତାଙ୍କ ସମର୍ଥନରେ ଜାତୀୟସ୍ତରର ନେତାମାନେ ବାହାରିଲେଣି । ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପ୍ରମୁଖ ଚିତ୍କାର କରିଛନ୍ତି । ଆସନ୍ତାକାଲି ଏହି ପ୍ରସଙ୍ଗଟି ପୁଣି ନାଟକୀୟ ମୋଡ ନେଇପାରେ ବୋଲି କୁହାଯାଉଛି ।
ରବିବାର ସିବିଆଇ ଡିଜି ଦାୟିତ୍ୱରେ ଥିବା ଏମ୍ ନାଗେଶ୍ୱର ରାଓ କହିଛନ୍ତି, ଶାରଦା ମାମଲା ସମେତ ଏକାଧିକ ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ ରିପୋର୍ଟ ସିବିଆଇ କାର୍ଯ୍ୟାଳୟରେ ରହିଛି । ଏହି ଘଟଣାରେ ଏକାଧିକ ତୃଣମୂଳ କଂଗ୍ରେସ ନେତା ଅଛନ୍ତି । ସେମାନେ ଏସବୁ କାଗଜପତ୍ରକୁ ନଷ୍ଟ କରିଦେଇପାରନ୍ତି । ଯେହେତୁ ପୁଲିସ ସୁରକ୍ଷା ଦେଉନାହିଁ, ଏଣୁ ସିଆରପିଏଫ୍ ସହାୟତା ନିଆଯାଇଛି । ସିଆରପିଏଫ୍ ଯବାନମାନେ ଏବେ ସିବିଆଇ ଅଫିସ ଘେରି ରହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ : ଯୋଗାଣ ମନ୍ତ୍ରୀ
ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ
ତାରାଙ୍କୁ ନିଲମ୍ବନ, ୨୭ରେ ବିଧାନସଭା ଘେରିବ କଂଗ୍ରେସ
ହୋଲି ପାଇଁ ଗାଇଡ୍ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ
ପୁରୀ ଶ୍ଵେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ
ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ହଟାଇ ଦିଆଯାଇଛି
Prev Post
Next Post