ସଂଜୀବ ସାହୁଙ୍କୁ ଦିଆଯାଇପାରେ ବିଶ୍ରାମ
ସରକାରୀ ଅଧିକାରୀଙ୍କୁ ମିଳିବ ଆଠମଲ୍ଲିକ
କଂଗ୍ରେସର ସସ୍ମିତାଙ୍କ ଉପରେ ବିଜେଡି ଆଖି
ଭୁବନେଶ୍ୱର: ପୂର୍ତ ସଚିବ ନଳିନୀ ପ୍ରଧାନ ଯେ କୌଣସି ମୁହୂର୍ତରେ ସରକାରୀ ଚାକିରି ଛାଡି ବିଜେଡିରେ ଯୋଗ ଦେଇପାରନ୍ତି ।ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଏଥର ବିଜେଡି ଆଉ ଟିକେଟ୍ ଦେବନି । ଶ୍ରୀ ପ୍ରଧାନଙ୍କ ସ୍ଥାନରେ ନଳିନୀଙ୍କୁ ବିଜେଡି ଏଠାରେ ଲୋକସଭା ପ୍ରାର୍ଥୀ କରିବ । ଏ ନେଇ ଠୋସ୍ ରଣନୀତି ପ୍ରସ୍ତୁତ ହୋଇଛି । କେବଳ ସେତିକି ନୁହେଁ, ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆଠମଲ୍ଲିକ ବିଧାୟକ ସଂଜୀବ ସାହୁଙ୍କୁ ଏଥର ଦଳ ବିଶ୍ରାମ ଦେବ । ବୀରମହାରାଜପୁର ଉପ ନିର୍ବାଚନରୁ ବିଧାନସଭାକୁ ଆସିଥିବା ଶ୍ରୀ ସାହୁ କ୍ରମାଗତ ଭାବେ ବିଜୟ ଲାଭ କରିଆସୁଥିଲେ । ହେଲେ ଲୋକପ୍ରିୟତା ହ୍ରାସ ପରିପ୍ରେକ୍ଷୀରେ ସଂଜୀବଙ୍କୁ ଏଥର ଟିକେଟ୍ ମିଳିବା ସମ୍ଭାବନା କ୍ଷୀଣ । ତାଙ୍କ ସ୍ଥାନ ମଧ୍ୟ ଜଣେ ସରକାରୀ ଅଫିସର ନେବେ । ସ୍ଥାନୀୟ ଅଞ୍ଚଳର ଜଣେ ଅଧିକାରୀ ଖୁବ୍ ଶୀଘ୍ର ବିଜେଡିରେ ଯୋଗ ଦେଇ ଆଠମଲ୍ଲିକ ରାଜନୀତିରେ ପାଦ ଥାପିବେ ବୋଲି କୁହାଯାଉଛି ।
ସେହିପରି ଅନୁଗୁଳ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ପୁଣି ଥରେ ବିଜେଡି ଟିକେଟ୍ ପାଇବା ନେଇ ମଧ୍ୟ ପ୍ରଶ୍ନ ଚିହ୍ନ ଲାଗିଲାଣି । କର୍ମୀଙ୍କ ଅସନ୍ତୋଷ କାରଣରୁ ସୁଶାନ୍ତଙ୍କୁ ନେଇ ନବୀନ ପଞ୍ଚମ ଥର ନିର୍ବାଚନ ଲଢିବେ, ରାଜନୈତିକ ପଣ୍ଡିତମାନେ ଏଭଳି ପୂର୍ବାନୁମାନ ଲଗାଇପାରୁନାହାନ୍ତି । କୌତୂହଳର କଥା ହେଲା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମହିଳା ସଭାନେତ୍ରୀ ଇଂ ସସ୍ମିତା ବେହେରାଙ୍କ ଉପରେ ବିଜେଡିର ଆଖି ପଡିଛି । ଏ ନେଇ ସୋସିଆଲ ମିଡିଆରେ ଖବର ଛାଇଗଲାଣି, ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆଲୋଚନା ଜୋର ଧରିଛି । ହେଲେ ସସ୍ମିତା କିନ୍ତୁ ଏହାକୁ ଗୁଜବ କହି ଚର୍ଚ୍ଚାକୁ ଏଡାଇବା ଲାଗି ଯେତେ ଚେଷ୍ଟା କରୁଛନ୍ତି, ତାଙ୍କୁ ଛେଣ୍ଡିପଦାରୁ କଂଗ୍ରେସ ଟିକେଟ୍ ନ କରାଇ ଦେବା ଲାଗି କୁଚକ୍ରୀ ଗୋଷ୍ଠୀର ଏହା ଏକ ଷଡ୍ଯନ୍ତ୍ର ବୋଲି ଯେତେ ଯାହାକୁ କହୁଛନ୍ତି, କେହି ଏହାକୁ ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି ।
ଉଲ୍ଲେଖଯୋଗ୍ୟ, ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇ ନଗେନ୍ଦ୍ର ଯେଭଳି ବଦନାମ ହୋଇଛନ୍ତି, ନିଜ ନିର୍ବାଚନମଣ୍ଡଳୀରେ ଅନେକ ଭଲକାମ କରିଥିଲେ ହେଁ, ନିଜଗୁଣରୁ ସଂଜୀବ ନିର୍ବାଚନମଣ୍ଡଳୀରେ ଆଉ ଆଗଭଳି ଲୋକପ୍ରିୟ ନାହାନ୍ତି । ଏବେ ବିଜେପିର ସେଠାରେ ଶକ୍ତି ବୃଦ୍ଧି ଘଟୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସବୁ ଅଞ୍ଚଳକୁ ନିଜ ହସ୍ତମୁଦି ମାହାଲ ଭଳି ବ୍ୟବହାର କରୁଛନ୍ତି । ଏଣୁ କୌଣସି ପରିସ୍ଥିତିରେ ଯେମିତି ଧର୍ମେନ୍ଦ୍ରଙ୍କୁ ତାଙ୍କ ମାଟିରେ ଦଳ ଛିଡା କରାଇ ଦେବନି, ସେଥିପାଇଁ ବିଜେଡି ସମ୍ୱଲପୁର ଓ ଢେଙ୍କାନାଳ ଲୋକସଭା ଅନ୍ତର୍ଗତ ବିଧାନସଭା ଆସନରେ ରଣନୀତି ବଦଳାଇଛି ।
ପ୍ରମୁଖ ଖବର
କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍, ୧୨,୫୭୨ ଅଯୋଗ୍ୟ ଘୋଷିତ