ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଜାତୀୟ ଦଳ କୋଳରେ ଲୁଚିଲେ ଟାଣୁଆ ନେତା

0
  • ଦାମ, ଖାରବେଳ, ପଞ୍ଚାନନ, ବ୍ରଜ ଗୋଟିଏ ରାସ୍ତାରେ
  • ନବୀନଙ୍କୁ କମ୍ପୁଥିଲେ, ଆପେ ବଞ୍ଚିବା ପାଇଁ ରାହା ଖୋଜିଲେ
  • ନୀତି ଆଦର୍ଶ ଚୁଲିକୁ ଗଲା, ନୂଆ ନୀଡରେ ବି କୋଣଠେସା ହେବେ

ଭୁବନେଶ୍ୱର:ୟେସା କରିଦେବୁ, ତେସା କରିଦେବୁ । ଆମର ଏମିତି ସଂଗଠନ ଅଛି । ସରକାରକୁ ଉପାଡି ଫିଙ୍ଗିଦେବୁ । କିଏ ନବୀନଙ୍କ ବିକଳ୍ପ ବୋଲି କହୁଥିଲେ ତ ଆଉ କିଏ ତାଙ୍କ ସମକକ୍ଷ ନେତା ବୋଲି ବି ଦାବି କରୁଥିଲେ । ଗତ କିଛି ମାସ ଧରି ରାଜ୍ୟ ରାଜନୀତିର ତୁଙ୍ଗ ନେତାମାନେ ଏମିତି ଗର୍ଜନ ତର୍ଜନ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା । ଏହି ନେତାମାନେ ସଙ୍କେତ ଦେଉଥିଲେ, ଯେମିତି ଏମାନେ ହିଁ କେବଳ ରାଜ୍ୟ ରାଜନୀତିର କର୍ଣ୍ଣଧାର ।

ହେଲେ ନିର୍ବାଚନ ଯେତିକି ପାଖେଇ ଆସୁଛି, ଏସବୁ ନେତାମାନଙ୍କର ଦକ୍ଷତା ସାମ୍ନାକୁ ଆସିବାରେ ଲାଗିଲାଣି । କିଏ ଦଳବଳ ସହିତ କଂଗ୍ରେସ ଶିବିରରେ ଆଶ୍ରୟ ନେଇଛନ୍ତି ତ ଆଉ କିଏ ବିଜେପିରେ । ଆଞ୍ଚଳିକ ଦଳ ଗଠନ କରି ବା ଜାତୀୟ ଦଳର ଓଡ଼ିଶା ଶାଖା ଖୋଲି ନବୀନଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାର ସାମର୍ଥ୍ୟ ଏମାନଙ୍କ ମଧ୍ୟରୁ କେହି ବି ଦେଖାଇ ପାରିନାହାନ୍ତି । କେବଳ ସେତିକି ନୁହେଁ, ଏମାନେ ଏକାଠି ହୋଇ ବିଜେଡିକୁ କ୍ଷମତାରୁ ବିତାଡିତ କରିବା ଲାଗି ଯେଉଁ ସ୍ୱପ୍ନ ଦେଖୁଛନ୍ତି, ତାହା ଯଦି ସମ୍ଭବ ନ ହେଲା, ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ଏସବୁ ନେତାଙ୍କ ମୁହଁଫୁଟାଣିକୁ ଲୋକେ ପ୍ରତ୍ୟାଖ୍ୟାନ କରିବାର ଭୟ ମଧ୍ୟ ରହିଛି ।

ବିଜେଡି ଦଳରୁ ବହିଷ୍କାର କରିବା ପରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଅତ୍ୟନ୍ତ ନିରବରେ ବସିଥିଲେ । କେଉଁଠି ବି ନବୀନଙ୍କ ବିରୋଧରେ ବା ବିଜେଡି ବିରୋଧରେ ସେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିନାହାନ୍ତି । ବିଳମ୍ୱରେ ହେଲେ ବି ନବୀନ ତାଙ୍କୁ ପୁଣି ଥରେ ଦଳକୁ ଫେରାଇ ଆଣିଛନ୍ତି ।

ଅପରପକ୍ଷରେ ରାଜ୍ୟ ରାଜନୀତିର ମୁଣ୍ଡିଆଳ ବୋଲି ଦାବି କରୁଥିବା ତିିନିଜଣ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ, ଐର ଖାରବେଳ ସ୍ୱାଇଁ ସବୁ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ବିଜେପିର ଆଶ୍ରୟ ନେଇଛନ୍ତି । ଏକଦା ବିଜେପି ବିରୋଧରେ ତମ୍ୱିତୋଫାନ କରୁଥିବ ତଥା ବିଜେପି ବିରୋଧୀ ବିଜୁ ବାବୁଙ୍କ ପଟ୍ଟ ଶିଷ୍ୟ ବୋଲି ଦାବି କରୁଥିବା ଦାମ ଏବେ ଗେରୁଆ ରଙ୍ଗରେ ରଙ୍ଗିନ ହୋଇ ଆଉ ଯେତେ ପାଟି କରୁଛନ୍ତି, ତାହାର ପ୍ରଭାବ ଦେଖିବାକୁ ମିଳୁନାହିଁ । ବରଂ ନବୀନ ଦାମଙ୍କ ପତ୍ନୀଙ୍କ ବିୟୋଗରେ ଯାଇ ତାଙ୍କ ଘରେ ଶେଷ ଶ୍ରଦ୍ଧା ସୁମନ ଦେବା ଘଟଣା ଚର୍ଚ୍ଚାକୁ ଆସିଛି ।

ଖାରବେଳ ନିଜ ଆସନରେ ଲଢିବା ଲାଗି ବି ସୁଯୋଗ ନାହିଁ । ବିଜେପି ସୋମବାର ତାଙ୍କୁ ଦଳକୁ ଆଣିବା ପରେ କନ୍ଧମାଳରେ ଲଢାଇବ । ଏଥିରେ ବିଜେପିର ବିଶେଷ କିଛି ଶକ୍ତି ବୃଦ୍ଧି ହେବାର ନାହିଁ, ବରଂ ଖାରବେଳ କୁଳରେ ଲାଗିଯିବେ । ସେହିଭଳି ପଞ୍ଚାନନ କାନୁନଗୋ କୌଣସି ବାଟ ନପାଇ କଂଗ୍ରେସରେ ମିଶିଛନ୍ତି । ବ୍ରଜ କିଶୋର ତ୍ରିପାଠୀଙ୍କ ପାଇଁ ପୁରୀ ଆସନରେ ତଥାପି ମୂଲଚାଲ କରୁଛି ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପିକୁ ଯାଇ ଜୀବନର ଶେଷ ଅବସ୍ଥାରେ ଅସ୍ତିତ୍ୱ ହରାଇଛନ୍ତି ।

ପୂର୍ବତନ ବିଜୟ ମହାପାତ୍ରଙ୍କ ସ୍ଥିତି ବି ସମାନ । ନବୀନଙ୍କ ବିରୋଧରେ ହୁଂ କାର ଦେଉଥିବା ବିଜୟ ବିଜେପିରେ ଯୋଗଦେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏହା ଯଦି ବାସ୍ତବ ରୂପ ନିଏ, ତେବେ ସେଠାରେ ରହି ସେ ନବୀନଙ୍କର କେତେ କ୍ଷତି କରିପାରିବେ ତାହା ଅଲଗା କଥା, କିନ୍ତୁ ମୂଲ୍ୟବୋଧଭିତ୍ତିକ ରାଜନୀତିରେ ଏମାନଙ୍କ ମଧ୍ୟରୁ କେହି ବି ଆଜି ଦିନରେ ନବୀନଙ୍କ ସମକକ୍ଷ ହେବା ସ୍ଥିତିରେ ନାହାନ୍ତି ।

କୌତୂହଳର କଥା ହେଲା,ଏସବୁ ନେତାମାନେ ଖର୍ଚ୍ଚ ବହୁଳ ନିର୍ବାଚନକୁ ଡରି ବିଜେପିକୁ ବା କଂଗ୍ରେସକୁ ଯାଉଛନ୍ତି ବୋଲି ପ୍ରକାରାନ୍ତରେ ସୂଚନା ଦେଉଛନ୍ତି । ବାସ୍ତବ କଥା ହେଲା, ସାଧାରଣ ଲୋକଙ୍କ ସମସ୍ୟା ଠାରୁ ଏମାନେ ଧୀରେ ଧୀରେ ଦୂରେଇ ଗଲେଣି । ଗଣମାଧ୍ୟମକୁ ଆୟୁଧ କରି ନିଜର ପତିଆରା ବଞ୍ଚାଇପାରିଛନ୍ତି ସିନା ନୂଆ ପିଢୀରେ ଗ୍ରହଣୀୟତା ରଖିପାରୁନାହାନ୍ତି । ଲୋକଙ୍କ ଭିତରେ ଏମାନଙ୍କ ଭଲପାଇବା ଆଉ ସେମିତି ନାହିଁ । ଏଣୁ ଯେ କୌଣସି ବ୍ୟାନରରେ ଏସବୁ ନେତାମାନେ ତିଷ୍ଠି ରହିବାକୁ ଉଚିତ ମଣୁଛନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ସିଧା ସିଧା ମତ ରଖିଲେଣି ।

ଉଲ୍ଲେଖଯୋଗ୍ୟ, ବ୍ୟକ୍ତିଗତ ସ୍ୱାର୍ଥ ଛାଡି ଏକାଠି ହୋଇପାରୁନଥିବା ଏହି ନେତାମାନେ ଆଗାମୀ ଦିନରେ ରାଜ୍ୟ ସ୍ୱାର୍ଥ ରକ୍ଷାରେ କିଭଳି ଲାଗିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ କଥା ।

Leave A Reply

Your email address will not be published.