- ଆଚମ୍ୱିତ କରୁଛି ଲୋକପ୍ରତିନିଧି, ରାଜନେତାଙ୍କ ଆଚରଣ
- ନିର୍ବାଚନରେ କାକୁତିମିନତି ହେଉଥିଲେ, ଏବେ ବଦଳିଗଲେ
- ବିପଦବେଳେ ମଉଜ କରୁଛନ୍ତି ନେତା, ବୁଲୁଛନ୍ତି ରାଜ୍ୟବାହାରେ
- ବିଜେଡି, କଂଗ୍ରେସ ଓ ବିଜେପି ଦଳର ନେତା, କର୍ମୀଙ୍କ ଦେଖା ନାହିଁ
- ନବୀନ, ଧର୍ମେନ୍ଦ୍ର ଲଢୁଛନ୍ତି, ଭାଷଣବାଜିରେ ବ୍ୟସ୍ତ ନିରଞ୍ଜନ
- ମୋଦୀ ଅନୁଧ୍ୟାନ କଲେ ସ୍ଥିତି, ସମବେଦନା ଜଣାଇଲେନି ରାହୁଲ
ଭୁବନେଶ୍ୱର: ଏପ୍ରିଲ ମାସରେ ଏଇ ସମୟରେ ଭୋଟରଙ୍କ ଦୁଆରେ କାକୁତିମିନତି ହେଉଥିଲେ ନେତା । ସବୁ ସମୟରେ ସାଙ୍ଗରେ ରହିବେ ବୋଲି ପ୍ରତିଶ୍ରୁତି ଅଜାଡି ଦେଉଥିଲେ । ଅନୁନୟ ବିନୟ ହୋଇ ତାଙ୍କୁ ସମର୍ଥନ ଜଣାଇବା ପାଇଁ ନିବେଦନ କରୁଥିଲେ । ଠିକ୍ ମାସକ ପରେ ଏସବୁ ନେତାଙ୍କ ଆଚରଣ ଓ ଉଚ୍ଚାରଣ ଏବଂ ଚରିତ୍ରର ପରୀକ୍ଷା ନିରୀକ୍ଷାର ସୁଯୋଗ ଦେଇଛନ୍ତି ଭଗବାନ । ଓଡ଼ିଶାର ୧୧ଟି ଜିଲ୍ଲା ତଥା ରାଜ୍ୟର ପ୍ରାୟ ଏକ ତୃତୀୟାଂଶ ଲୋକେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ମାଡ଼ରେ ଆକ୍ତାମାକ୍ତା ହୋଇଯାଇଛନ୍ତି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ପୁରୀ ସହରରେ ନାହିଁ ନଥିବା କ୍ଷତି ଘଟାଇଛି ବାତ୍ୟା । ଲୋକେ ଅଣ୍ଟା ସଳଖି ଠିଆ ହେବା ତ ଦୂରର କଥା ଗତ ୬ ଦିନ ଧରି ସମ୍ପୂର୍ଣ୍ଣ ଅନ୍ଧାରରେ ଅଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ଘର ଉଜୁଡିଯାଇଛିା ଖୋଲା ଆକାଶ ତଳେ ଭୋକ ଉପାସରେ ସଢୁଛନ୍ତି ।
ଠିକ୍ ଏମିତି ଏକ ସମୟରେ ଆମ ଲୋକପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତା ଓ କର୍ମୀ କିନ୍ତୁ ମଉଜରେ ବ୍ୟସ୍ତ । ନିର୍ବାଚନ ପରର କ୍ଲାନ୍ତି ମେଣ୍ଟାଇବା ପାଇଁ କିଏ ରାଜ୍ୟ ବାହାରେ ବୁଲୁଛି, ଆଉ କିଏ ଦେଶ ବାହାରକୁ ଯାଇଛନ୍ତି । ହୋଟେଲରେ ରହୁଛନ୍ତି ଓ ପର୍ଯ୍ୟଟନ କ୍ଷେତ୍ର ବୁଲି ମଉଜ କରୁଛନ୍ତି । କିଛି ନେତା ଜନସେବା ଛାଡି ଧର୍ମ ଅର୍ଜନ କରିବା ଆଳରେ ବିଭିନ୍ନ ପୀଠ ପରିଦର୍ଶନ କରୁଛନ୍ତି । କିଛି ଦିନ ତଳେ ଏସବୁ ସହରରେ ଭୋଟ ମାଗୁଥିଲେ ଏମାନେ । ଏବେ ନିଜ ଭୋଟରଙ୍କ ଦୁର୍ଦଶା ଦୂର କଥା ସମବେଦନା ଜଣାଇବା ଲାଗି କାହାର ଆଗ୍ରହ ବି ନାହିଁ ।
ଭୁବନେଶ୍ୱରରେ ବିଧାୟକ କିମ୍ୱା କୌଣସି ରାଜନୈତିକ ଦଳର ପ୍ରାର୍ଥୀଙ୍କର ଦେଖା ମିଳୁନାହିଁ । ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ କିମ୍ୱା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଭୁବନେଶ୍ୱର ଉତ୍ତର ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି କେଉଁଠି ଜଣେ ମହିଳାଙ୍କ ଆଖିରୁ ଲୁହ ପୋଛୁଥିବା ଦେଖାଯାଉନାହିଁ । ମୁମ୍ୱାଇ ପୁଲିସ କମିସନର ରିଲିଫ ପାଣ୍ଠିକୁ କୋଟିଏ ଟଙ୍କା ଦେଇଛନ୍ତି ସତ, କିନ୍ତୁ ତାଙ୍କ ନେତୃତ୍ୱରେ ଥିବା ବିଜୁ ଯୁବ ବାହିନୀ ଲୋକଙ୍କର କି ସେବା କରୁଛି, କେଉଁଠି କରୁଛି, କେମିତି କରୁଛି, ତାହା ନଜରରେ ପଡୁନାହିଁ । ପୁରୀ ସହରର ସ୍ଥିତି ତଦ୍ରୁପ । ରାଜନୈତିକ ଦଳର ନେତାଙ୍କ ଉପସ୍ଥିତି କେଉଁଠି ବି ବାରି ହେଉନାହିଁ ।
ରଥଯାତ୍ରା ସମୟରେ ଏସବୁ ନେତା ଭିଭିଆଇପି ପାସ୍ ଧରି ବ୍ୟାରିକେଡ୍ ଭିତରେ ପଇଁତରା ମାରନ୍ତି । ପ୍ରଶାସନର ନିଦ ହଜାଇ ଦିଅନ୍ତି । ନିର୍ବାଚନ ସରିବା ପରେ ପ୍ରଶାସନକୁ ମନ ଭରି ଗାଳି ଦେଇ ସେମାନଙ୍କ ବଡ ପଣ ଜାହିର କରନ୍ତି । ଆଜି କିନ୍ତୁ ବାଧ୍ୟବାଧ୍ୟକତାରେ ହେଉ ବା ବ୍ୟବସ୍ଥା ଅନୁସାରେ, ପ୍ରଶାସନିକ ଅଧିକାରୀମାନେ ଲୋକଙ୍କୁ ଏ ବିପତ୍ତିରୁ ଉଦ୍ଧାର ପାଇଁ ପ୍ରାଣାନ୍ତକ ଉଦ୍ୟମ କରୁଛନ୍ତି । ଲୋକଙ୍କ ସହିତ ତଳସ୍ତରରେ ରହି ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଲାଗି ଉଦ୍ୟମ ଚଳାଇଛନ୍ତି ।
ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛାଡିଦେଲେ ଏ ବିପତ୍ତି ସମୟରେ କୌଣସି ଜଣେ ବି ମନ୍ତ୍ରୀ ସଚିବାଳୟ ଆସି ନିଜ ବିଭାଗର ସ୍ଥିତି ପରଖିବା ଲାଗି ଆଗ୍ରହ ଦେଖାଉନାହାନ୍ତି । ସେପଟେ ଭୋଟ ଗୋଟାଇ ଫେରିବା ପରେ ବିଜେପି ମୁଖପାତ୍ର ତଥା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ୱିତ ପାତ୍ରଙ୍କର କେଉଁଠାରେ ଦେଖା ମିଳୁନାହିଁ । ସାଂସଦ ପିନାକୀ ମିଶ୍ରଙ୍କର ବି ।
ସେହିଭଳି ଓଡ଼ିଶାର ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଥରୁଟିଏ ବି ବାତ୍ୟାଞ୍ଚଳ ବୁଲିନାହାନ୍ତି । କଂଗ୍ରେସ ସ୍ଥିତି ନ କହିବା ଭଲ । ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟଟାୟକ ହାତଗଣତି ଗୋଟିଏ ଦୁଇଟି ସ୍ଥାନ ବୁଲି ସରକାରଙ୍କୁ ସମାଲୋଚନା କରିବା ଛଡା ଆଉ କିଛି କରିନାହାନ୍ତି । ତାଙ୍କ କଂଗ୍ରେସ ବା ସେବାଦଳ କର୍ମୀଙ୍କୁ କେଉଁଠାରେ ଲୋକଙ୍କ ସେବା କରିବା ଦେଖିବା ସାତସପନ ପାଲଟିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ବୁଲି ଫେରିଛନ୍ତିି । ୧ ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ଦେଇଛନ୍ତି । ଦଲାଇଲାମା ବି ସମବେଦନା ଜଣାଇଲେ । ହେଲେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଥରୁଟିଏ ଆସିବା ପାଇଁ ତ ସମୟ ପାଉନାହାନ୍ତି, ଲୋକଙ୍କୁ ସମବେଦନ ଜଣାଇବା ସହିତ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ଲାଗି ବି କହୁନାହାନ୍ତି । ଲୋକଙ୍କର ଏ ବିପତ୍ତି ବେଳେ ଦଳର କର୍ମୀମାନଙ୍କୁ ସେମାନଙ୍କ ପାଖରେ ରହିବା ଲାଗି ନିର୍ଦେଶ ବି ଦେଉନାହାନ୍ତି ।
ଏଠାରେ ଉଲ୍ଲେଖଥାଉକି, ଏହି ସବୁ ନେତାମାନେ କିଛି ଦିନ ତଳେ ଓଡ଼ିଶା ବିକାଶ ପାଇଁ ଲୋକଙ୍କୁ ସ୍ୱପ୍ନ ଦେଖାଉଥିଲେ । ପ୍ରବର୍ତାଉଥିଲେ ଯେ ଆମେ ୟେସା କରିବୁ, ତେସା କରିବୁ । ଓଡ଼ିଶାକୁ ବିକାଶରେ ପୋତି ପକାଇବୁ । ଓଡ଼ିଶାର ଦୁଃଖ ସମୟରେ ପାଖରେ ଛିଡା ହେଉନଥିବା ଏସବୁ ନେତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ନା କୋଳେଇ ନେବେ, ତାହା ଆଗାମୀ ଦିନରେ ଜଣାପଡିବ ।